ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦୁରପ୍ପା । ଆଜି ସକାଳ ୯ଟାରେ ରାଜଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ୍ ଶାହା ଯୋଗଦେଇନାହାନ୍ତି । ସେମାନଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି.ନଡ୍ଡା ଉତ୍ସବରେ ଉପସ୍ଥିତ ଥିଲେ ।
ଗତକାଲି ରାତିରେ ରାଜ୍ୟପାଳ ଶ୍ରୀ ବାଲା ବିଜେପି ବିଧାୟକ ଦଳ ନେତା ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଂଜ କରିବା ସହ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମ୍ କୋର୍ଟ ଯାଇଥିଲେ । ଅଭିଷେକ ସିଙ୍ଗଭିଙ୍କ ପିଟିସନ୍ କୁ ରାତି ଗୋଟାଏ ବେଳେ ସୁପ୍ରିମ୍ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ବିଚାର ପାଇଁ ଅନୁମତି ଦେଇ ଏକ ତିନିଜଣିଆ ବେଞ୍ଚ ଗଠନ କରିଥିଲେ । ଏହି ବେଞ୍ଚରେ ଥିଲେ ଜଷ୍ଟିସ୍ ଏ.କେ.ସିକ୍ରି, ଜଷ୍ଟିସ୍ ଏସ.ଏ ବବଡ଼େ ଏବଂ ଜଷ୍ଟିସ୍ ଅଶୋକ ଭୂଷଣ । ଉଭୟ ପକ୍ଷର ଯୁକ୍ତିକୁ ଦୀର୍ଘ ସାଢ଼େ ତିନିଘଣ୍ଟା ଧରି ଶୁଣିବା ପରେ ପାହାନ୍ତା ପାଖାପାଖି ପ୍ରାୟ ୫ଟାରେ ତିନିଜଣିଆ ବେଞ୍ଚ ସେମାନଙ୍କ ରାୟ ଦେଇଥିଲେ । ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ଡିଭିଜନ୍ ବେଞ୍ଚ ମନା କରିଦେଇଥିଲେ । ଶୁକ୍ରବାର ଦିନ ୧୦ଟାକୁ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଅପରପକ୍ଷରେ ୟେଦୁରପ୍ପାଙ୍କୁ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କ ତାଲିକା ପ୍ରଦାନ ସହ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦେଇଥିବା ଦୁଇଟି ଚିଠିକୁ ସୁପ୍ରିମକୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ ରେ ରାଜନୈତିକ ହାଇଡ୍ରାମା ଉପରେ ସମସ୍ତଙ୍କ ନଜର ରହିଥିଲା । ସୁପ୍ରିମ୍ କୋର୍ଟ ଙ୍କ ରାୟକୁ ରାତିତମାମ ସମସ୍ତେ ଅନାଇ ବସିଥିଲେ । ସୁପ୍ରିମକୋର୍ଟ ର ମିଡ଼ନାଇଟ୍ ଶୁଣାଣିରେ ଏହା ହେଉଛି ଦ୍ୱିତୀୟ ମାମଲା । ପୂର୍ବରୁ ୟାକୁବ୍ ମେନନ୍ ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ରାତିଅଧିଆ ଶୁଣାଣି କରିଥିଲେ ।