ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଏକ ଟ୍ୱିଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାର ବିଫଳତାକୁ ସେ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି “ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଟେକ୍ନିକାଲ ଆଣ୍ଡ ମ୍ୟାନେଜମେଣ୍ଟ ସପୋର୍ଟ ଟିମ୍(ଟିଏମଏସଟି ଓଡ଼ିଶା) ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ରୋଗୀମାନଙ୍କୁ ସେମାନଙ୍କ ଔଷଧ ଖର୍ଚ୍ଚର ୮୦ ଭାଗ ନିଜ ପକେଟରୁ ବହନ କରିବାକୁ ପଡୁଛି ବୋଲି କୁହାଯାଇଛି । ରାଜ୍ୟରେ ନିରାମୟ ଯୋଜନାରେ ମାଗଣା ଔଷଧର ସଫଳତାର ଏହା ନମୁନା” ।
କେନ୍ଦ୍ରମନ୍ତ୍ରୀ ନିଜେ ଏହି ତଥ୍ୟ ବାହାର କରିଛନ୍ତି କି ତାଙ୍କ ବିଜ୍ଞ ପରାମର୍ଶମଣ୍ଡଳୀଠାରୁ ଏହି ତଥ୍ୟ ପାଇଛନ୍ତି ତାହା ଆମକୁ ଜଣାନାହିଁ । କିନ୍ତୁ ଏହି ତଥ୍ୟଟି ସମ୍ପୂର୍ଣ୍ଣ ଭୁଲ୍ ବୋଲି ଜଣାପଡ଼ିଛି । ବାସ୍ତବ କଥା ହେଉଛି, ଟେକ୍ନିକାଲ୍ ଆଣ୍ଡ ମ୍ୟାନେଜମେଣ୍ଟ ସପୋର୍ଟ ଟିମ୍(ଟିଏମଏସଟି) ରାଜ୍ୟ ସରକାରଙ୍କୁ ୨୦୧୧ ସେପ୍ଟମ୍ବର ମାସରେ ଏକ ରିପୋର୍ଟ ଦେଇଥିଲେ । ରୋଗୀମାନଙ୍କୁ ସେମାନଙ୍କ ଔଷଧ ଖର୍ଚ୍ଚର ୮୦ ଭାଗ ନିଜ ପକେଟରୁ ବହନ କରିବାକୁ ପଡୁଛି ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ସେହି ରିପୋର୍ଟ ଆଧାରରେ ରାଜ୍ୟ ସରକାର ୨୦୧୫ ମେ ପହିଲାରୁ ଆରମ୍ଭ କରିଥିଲେ ‘ନିରାମୟ ଯୋଜନା’ । ଏହି ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ଔଷଧ ଦେବାର ବ୍ୟବସ୍ଥା ରହିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟିଏମଏସଟିର ୨୦୧୧ ସେପ୍ଟେମ୍ବର ରିପୋର୍ଟକୁ ଉଦ୍ଧାର କରି ଏବେ ଟ୍ୱିଟ୍ କରିଛନ୍ତି । ଆଉ ତାକୁ ନିରାମୟ ଯୋଜନାର ସଫଳତାର ନମୁନା ବୋଲି ଦର୍ଶାଇବାକୁ ଚାହିଁଛନ୍ତି । ସତେ ଯେମିତି ଆଗ ନିରାମୟ ଯୋଜନା ହୋଇଛି ଏବଂ ସେହି ଯୋଜନାର ନିଷ୍କର୍ସ ଏବେ ବାହାର କରିଛନ୍ତି ଟିଏମଏସଟି । କେନ୍ଦ୍ରମନ୍ତ୍ରୀ ନିଜ ବୁଦ୍ଧିରେ ଟ୍ୱିଟ୍ କରନ୍ତୁ କି ତାଙ୍କ ବିଜ୍ଞ ପରାମର୍ଶମଣ୍ଡଳୀଙ୍କ ବୁଦ୍ଧିରେ ଟ୍ୱିଟ୍ କରନ୍ତୁ ସେଥିରେ କାହାର ଆପତ୍ତି ନାହିଁ । ମାତ୍ର ସତ୍ୟକୁ ଅପଭ୍ରଂଶ କରି ଲୋକଙ୍କୁ ବିଭ୍ରାନ୍ତ କରାଇବାକୁ ଏଥିରେ ଚେଷ୍ଟା କରାଯାଇଥିବା ସ୍ପଷ୍ଟ ହେଉଛି ।






