ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହ ଯୋଡିଥିବା ଗୁରୁପ୍ରିୟା ସେତୁକୁ ନେଇ ଆଜି ସବୁ ମହଲରେ ଚର୍ଚ୍ଚା । ଖାଲି ରାଜ୍ୟରୁ ନୁହେଁ, ସାରା ଦେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଆସୁଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ସ୍ୱୀକୃତି ଭାବେ ଅଜାଡ଼ି ହୋଇପଡ଼ିଛି ସୋସିଆଲ୍ ମିଡ଼ିଆରେ ବାର୍ତ୍ତା । ସେତୁ ଉଦଘାଟନ ହେଲା ଦିନ ୧୨ଟାରେ । ଆଉ ଅପରାହ୍ନ ୩ ଟା ଭିତରେ ସାରା ଦେଶରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ୧୧ ହଜାର ଟୁଇଟ୍ ଆସିଲାଣି । ବହୁ ଘାତ ପ୍ରତିଘାତ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆଜି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ଲୋକେ ଦୁନିଆ ସମ୍ପର୍କରେ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।
ଖାଲି ସମ୍ପର୍କର ସେତୁ ନୁହେଁ, ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ନାମିତ କରି ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସ୍ୱାଭିମାନ ଅଞ୍ଚଳର ଜନସାଧାରଣଙ୍କ ଜୀବନ ଓ ଜୀବିକାରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ସେଥିମଧ୍ୟରେ ରହିଛି ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ଉନ୍ନତି, ସଡ଼କ ଯୋଗାଯୋଗ, ବିଦ୍ୟୁତିକରଣ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ସୁବିଧା ।

ଗୁରୁପ୍ରିୟା ସେତୁ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଏବେଠାରୁ ମାଲକାନଗିରିର ଏହି ଅଞ୍ଚଳରୁ ବିଚ୍ଛିନ୍ନ ଶବ୍ଦଟି ଇତିହାସକୁ ଚାଲିଗଲା । ଆଜିଠାରୁ ଏହି ଅଞ୍ଚଳ ସ୍ୱାଭିମାନ ଅଞ୍ଚଳ ଭାବରେ ବିକାଶର ନୂଆ ପରିଚୟ ସୃଷ୍ଟି କଲା । ବାମପନ୍ଥୀ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି କହିଥିଲେ । ବିକାଶ ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।







