ମାଲକାନଗିରି: ବହୁ ପ୍ରତୀକ୍ଷିତ ଓ ବହୁ ଉତ୍କଣ୍ଠିତ ଐତିହାସିକ ଗୁରୁପ୍ରିୟା ସେତୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି । ୧୯୮୬ ମସିହାରୁ ଆଶା ଓ ଆଶଙ୍କାରେ ଗତି କରି ଆସୁଥିବା ଏହି ସେତୁ ବାସ୍ତବତାର ରୂପ ନେଇ ଲୋକଙ୍କ ସ୍ୱପ୍ନକୁ ଶେଷରେ ସାକାର କରିଛି । ‘ରାଜ୍ୟର ସ୍ୱପ୍ନ’ କୁହାଯାଉଥିବା ଏହି ସେତୁ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ୧୫୧ଟି ଗାଁର ଲୋକଙ୍କୁ ବାହାର ଦୁନିଆ ସହ ଯୋଡିପାରିଛି । ଆଜି ଦିନ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ୯୧୦ ମିଟର ଲମ୍ବ ଏହି ସେତୁକୁ ଉଦଘାଟନ କରି ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ।
୧୯୬୦ରେ ବାଲିମେଳା ଓ ୧୯୮୦ରେ ମାଛକୁଣ୍ଡ ବୃହତ୍ତ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଚିତ୍ରକୋଣ୍ଡାର ୧୫୧ ଟି ଗାଁ ବାହାର ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରାୟ ୩୫ ହଜାର ଲୋକ ପ୍ରଭାବିତ ହେଉଥିଲେ । ସେମାନଙ୍କ ପାଇଁ ଯୋଜନା ଓ ବିକାଶ ସ୍ୱପ୍ନ ହୋଇଯାଇଥିଲା । ବାହାର ଦୁନିଆ ସହ ସମ୍ପର୍କ ଯୋଡିବା ପାଇଁ ଏକମାତ୍ର ଭରସା ଥିଲା ବୋଟ୍ । ଗୁରୁପ୍ରିୟା ନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୯୮୬ ମସିହାରୁ ଉଦ୍ୟମ ହୋଇଥିଲେ ବି ଲାଲବାହିନୀ ସେଥିରେ ବାଧକ ସାଜିଥିଲେ । ଶେଷରେ ଉଦ୍ୟମ ସଫଳ ହୋଇଛି । ୨୦୧୪ ମସିହାରେ କୋଲକତାର ମେସର୍ସ ରୟାଲ୍ ଇନଫ୍ରାଷ୍ଟକ୍ଚର୍ ଲିମିଟେଡ଼ ୧୮୭.୨୫ କୋଟିର ଟେଣ୍ଡର ଧରି କାମ ଆରମ୍ଭ କରିବା ପରେ ଗତମାସରେ ଶେଷ କରିଛି । କାମ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ସବୁ ସହାୟତା ଦେଇଥିଲେ ।
କହିବା ବାହୁଲ୍ୟ, ମାଲକାନଗିରିର କଟ୍ ଅଫ୍ ଅଞ୍ଚଭାବେ ରହି ଆସିଥିବା ଚିତ୍ରକୋଣ୍ଡା ଅଞ୍ଚଳ ମାଓବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିଲା । ଏହାକୁ ଲାଲଗଡ଼ କୁହାଯାଉଥିଲା । କେବଳ ମାଲକାନଗିରି ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ୩୩୨ ଟି ମାଓ ହିଂସା ସଂଗଠିତ ହୋଇଥିଲା । ସେଥିରେ ୧୦୧ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୭ ଜଣ ସୁରକ୍ଷା କର୍ମୀ ଜୀବନ ହାରିଥିଲେ । ନିର୍ଦ୍ଦିଷ୍ଟ ଭାବେ ଚିତ୍ରକୋଣ୍ଡା କଟ ଅଫ୍ ଅଞ୍ଚଳରେ ମାଓ ହିଂସାରେ ଗତ ୧୦ ବର୍ଷ ମଧ୍ୟରେ ୨୫ ସାଧାରଣ ଲୋକ ମରିଥିବା ବେଳେ ୪୯ ଜଣ ସୁରକ୍ଷା କର୍ମୀଙ୍କ ପ୍ରାଣ ଯାଇଛି । ଅଞ୍ଚଳର ସ୍ଥିତି ଦୃଷ୍ଟିରୁ ଦୀର୍ଘ ବର୍ଷ ଧରି ସେଠାରେ ମାଓବାଦୀଙ୍କ ରାଜୁତି ଚାଲିଥିଲା । ସରକାର ଓ ସୁରକ୍ଷାକର୍ମୀଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇତିମଧ୍ୟରେ ମାଓ କାର୍ଯ୍ୟକଳାପ ୮୦ ପ୍ରତିଶତ ହ୍ରାସ୍ ହୋଇଥିବା ସରକାର ଦାବି କରିଛନ୍ତି । ତେବେ ସେ ଯାହା ବି ହେଉ, ଗୁରୁପ୍ରିୟା ସେତୁ ଯୋଗେ ବିଚ୍ଛିନ୍ନାଞ୍ଚଳ ସହ ବାହାର ଦୁନିଆର ସଂଯୋଗ ପରେ ଏବେ ନୂଆ ଆଶା ସଂଚାର ହୋଇଛି । ଏହାଦ୍ୱାରା ମାଓ କାର୍ଯ୍ୟକଳାପ ବନ୍ଦ ହେବା ସହ ଅଞ୍ଚବିକାଶ ତ୍ୱରାନ୍ୱିତ ହୋଇପାରିବ ।
ଗୁରୁପ୍ରିୟା ସେତୁର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସେତୁର ଏମୁଣ୍ଡରୁ ସେମୁଣ୍ଡ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ପର୍ବକୁ ଦୃଷ୍ଟିରେ ରଖି ଆଜି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଥିଲା । ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା । ଗୁରୁପ୍ରିୟା ସେତୁକୁ ବିଏସଏଫ ଜବାନ ଘେରି ରହିଥିଲେ । ଚିତ୍ରକୋଣ୍ଡାଠାରୁ ଜାନବାଇ ଘାଟ ପର୍ଯ୍ୟନ୍ତ ସୁରକ୍ଷା ଜବାନ(ବ୍ଲାକ୍ କ୍ୟାଟ୍ କମାଣ୍ଡ) ପଇଁତରା ମାରିଥିଲେ ।