ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଆସନ୍ତା ୨୬ ତାରିଖରେ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ସେଦିନ ମାଲକାନଗିରିଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି । ପୂର୍ବରୁ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୁରୁପ୍ରିୟା ସେତୁ ଉଦଘାଟନର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମାତ୍ର ପାଗ ଖରାପ ଯୋଗୁଁ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା ।
ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ୯ ଟି ପଞ୍ଚାୟତବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ମାଧ୍ୟମ ହେବ ଗୁରୁପ୍ରିୟା ସେତୁ । ୯୧୦ ମିଟର ଲମ୍ବ ଏହି ସେତୁ ଜାନବାଇ ନଦୀ ଉପରେ ନିର୍ମିତ ହୋଇଛି । ମାଓବାଦୀଙ୍କ ଚରାଭୂଇଁ ଭାବେ ପରିଚିତ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ଲୋକେ ଗୁରୁପ୍ରିୟା ସେତୁ ଜରିଆରେ ଦୁନିଆ ଦେଖିବେ । ୨୬ ତାରିଖ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ସରକାରୀସ୍ତରରେ ପୁଣି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।