ପୁରୀ: ବାହୁଡ଼ିଲେ ମହାପ୍ରଭୁ । ନିର୍ଦ୍ଧାରିତ ସମୟର ଢ଼େର୍ ପୂର୍ବରୁ ସିଂହଦ୍ୱାରରେ ପହଞ୍ଚିଛନ୍ତି ଶ୍ରୀଜୀଉଙ୍କ ତିନି ରଥ । ଜନ୍ମବେଦିରୁ ରତ୍ନବେଦିକୁ ଫେରିଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଅନୁକୂଳ ପାଗ ଓ ଅତ୍ୟନ୍ତ ଶୃଙ୍ଖଳାର ସହ ସବୁ ରୀତିକାନ୍ତି ସମ୍ପନ୍ନ ହେବାରୁ ସଂଧ୍ୟା ପୂର୍ବରୁ ସିଂହଦ୍ୱାରରେ ପହଞ୍ଚିଛନ୍ତି ତିନିରଥ ।
ଆଜି ନିର୍ଦ୍ଧାରିତ ସମୟର ଅଢ଼େଇ ଘଣ୍ଟା ପୂର୍ବରୁ ସକାଳ ୯ଟାରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଦାମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟ । ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । ଦିନ ୧୨.୨୦ରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା । ତାହା ପୁଣି ନିର୍ଦ୍ଧାରିତ ସମୟର ଅଢ଼େଇ ଘଣ୍ଟା ପୂର୍ବରୁ । ଲକ୍ଷ ଲକ୍ଷ ଭକ୍ତ ଟାଣି ଆଣିଥିଲେ ତିନି ରଥଙ୍କୁ । ସବୁ କିଛି ରୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା । ସଂଧ୍ୟା ୬ଟା ପୂର୍ବରୁ ସିଂହଦ୍ୱାରରେ ଲାଗିଥିଲେ ତିନି ରଥ । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଭାବରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ସେବାୟତ ବନ୍ଧୁ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସର୍ବୋପରି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।