ଭୁବନେଶ୍ୱର: ଆସନ୍ତାକାଲି(ରବିବାର) ସରକାରୀ ଛୁଟିକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ରବିବାର ସବୁ ଜିଲ୍ଲାରେ ସରକାରୀ ଅଫିସ ଖୋଲା ରହିବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷାକୁ ଆଖିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ଏ ମର୍ମରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସରକାରୀ କର୍ମଚାରୀମାନେ ନିଜ ନିଜ ଡିଷ୍ଟ୍ରିଟ୍ ହେଡକ୍ୱାର୍ଟସ୍ ଏବଂ ସବ୍ ଡିଷ୍ଟ୍ରିଟ୍ ହେଡକ୍ୱାର୍ଟସ୍ ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇତିମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ପଶ୍ଚିମବଙ୍ଗକୁ ମୁହାଁଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିବ । ସମୁଦ୍ରକୂଳକୁ ମତ୍ସ୍ୟଜୀବୀମାନେ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।