ଭୁବନେଶ୍ୱର: ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାରା ରାଜ୍ୟ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଆଦି ସହରରେ ନାହିଁ ନ ଥିବା ଅବସ୍ଥା । ଭୁବନେଶ୍ୱର ଓ କଟକରେ ଜଳବନ୍ଦୀ ହୋଇଛନ୍ତି ଶହ ଶହ ଲୋକ । ଗତ ରାତିରୁ ସେମାନେ ନିଜ ଘରେ ଜଳବନ୍ଦୀରେ ଅଛନ୍ତି । ଘର ଭିତରେ ଅଣ୍ଟେ ପାଣି । ପ୍ରଖର ସ୍ରୋତ । ଘରର ଆସବାବପତ୍ର ଛିନଛତ୍ର ଅବସ୍ଥାରେ ପାଣିରେ ଭାସୁଛି । କାର, ମଟର ସାଇକେଲ ଡୁବି ଯାଇଛି । ସହରର ତଳିଆ ଅଞ୍ଚଳର ରାସ୍ତା ଉପରେ ମୁଣ୍ଡେ ଉଚ୍ଚରେ ପାଣି । ସମୁଦ୍ର ପରି ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଫାୟାର ବ୍ରିଗେଡ଼ ଓ ଓଡ୍ରାଫ୍ ଟିମ୍ ପଇଁତରା ମାରୁଛି ଟ୍ୱିନ୍ ସିଟିରେ । ସ୍ମାର୍ଟ ସିଟିରେ ରହୁଥିବା ଲୋକଙ୍କ ଅବସ୍ଥା ଦେଖି ଲଜ୍ଜାରେ ମୁଣ୍ଡ ନଇଁଯାଉଛି ।

ପୁରୀ ବଡ଼ଦାଣ୍ଡରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି । ଶରଧାବାଲିରେ ୨ ଫୁଟ ଉଚ୍ଚରେ ପାଣି । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥ ଚକ ବୁଡ଼ିଛି ପାଣିରେ । ପୁରି ସାହି, ଗଳିରେ ବର୍ଷାପାଣିର ସୁଅ ଛୁଟିଛି ।







