ନୂଆଦିଲ୍ଲୀ: ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୁଣ୍ଢେଇବା ଏବଂ ପରେ ରାହୁଲ ନିଜ ସିଟ୍ ରେ ବସି ଆଖି ମାରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ସାଂସଦର ଏହି ଦୁଇଟି ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ବିରୋଧରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଆଲୋଚନାରେ ଭାଗ ନେଇ ରାହୁଲ ଗାନ୍ଧୀ ଏନଡ଼ିଏ ସରକାର ଓ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ସେ କଟୁ ସମାଲୋଚନା କରିଥିଲେ । ଦେଶରେ ବେକାରୀ ସମସ୍ୟାଠାରୁ ଆରମ୍ଭ କରି କଳାଟଙ୍କା, ବିମୁଦ୍ରାକରଣ, ରଫେଲ୍ ଦୁର୍ନୀତି, ବିଦେଶ ନୀତି ଆଦି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ ରାହୁଲ । ଆପଣ ମୋତେ ପପୁ କହିପାରନ୍ତି କିନ୍ତୁ ମୁଁ ଆପଣଙ୍କୁ ସମ୍ମାନ ଦିଏ ବୋଲି ମୋଦିଙ୍କ ଉଦେ୍ଦଶ୍ୟରେ କହିଥିଲେ ରାହୁଲ ।
ତେବେ ରାହୁଲଙ୍କ ଭାଷଣ ସରିଲା କ୍ଷଣି ସେ ନିଜ ଆସନ ଛାଡ଼ି ସିଧା ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ । ତାଙ୍କ କାନ ପାଖରେ କ’ଣ ଫୁସୁ ଫୁସୁ ହୋଇ କହିବା ପରେ ତାଙ୍କୁ କୁଣ୍ଢାଇ ଧରି ଆଲିଙ୍ଗନ କରିଥିଲେ । ପ୍ରତ୍ୟୁତ୍ତରରେ ମୋଦି ମଧ୍ୟ ତାଙ୍କ ସହ ହାତ ମିଳାଇଥିଲେ । ସେଠାରୁ ରାହୁଲ ନିଜ ସିଟ୍ କୁ ଫେରିବା ପରେ ତାଙ୍କ ପାଖ ସିଟ୍ ରେ ବସିଥିବା ସହଯୋଗୀଙ୍କ କାନରେ କ’ଣ କହି ଆଖି ମିଟିକା ମାରିଥିଲେ । କ୍ୟାମେରାରେ ଏହି ଦୃଶ୍ୟକୁ ସାରା ଦେଶର ଲୋକ ଦେଖୁଥିଲେ ।
ସଂସଦରେ ରାହୁଲଙ୍କ ଏଭଳି ଆଚରଣକୁ ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ନାପସନ୍ଦ କରିଛନ୍ତି । ଏହା ସଂସଦ, ଡ୍ରାମା ସୋ ନୁହେଁ ବୋଲି କହି ରାହୁଲଙ୍କ ଉପରେ ବିଗିଡ଼ିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ସମ୍ମାନ ଦେବା କଥା ବୋଲି ସେ କହିବା ସହ ସଂସଦର ଏକ ସ୍ୱତନ୍ତ୍ର ଗାରିମା ଅଛି ବୋଲି ଚେତାଇ ଦେଇଥିଲେ ।
ରାହୁଲଙ୍କ ଏହି ଦୁଇଟି ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଛି । ଦେଶତମାମ ଏହାକୁ ନେଇ ଚର୍ଚ୍ଚା ହେଉଛି ।