ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି । ଏମସ୍ ରେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖାଯାଇଛି । ତାଙ୍କ ଅବସ୍ଥା ଅପରିବର୍ତ୍ତିତ(ରିମେନସ୍ ଟୁ ବି କ୍ରିଟିକାଲ୍) ବୋଲି ଆଜି ଦିନ ୧୧ଟା ବେଳେ ଏମସ୍ ରୁ ପ୍ରକାଶିତ ବୁଲେଟିନ୍ ରେ କୁହାଯାଇଛି । ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମସ୍ ରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ରାଜନେତା ଏମସ୍ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏମସ୍ ରେ ପହଞ୍ଚୁଛନ୍ତି ।
କିଡ଼ନୀ ଓ ୟୁରିନାରି ଟ୍ରାକ୍ଟ ସଂକ୍ରମଣରେ ଆକ୍ରାନ୍ତ ୯୩ ବର୍ଷୀୟ ବାଜପେୟୀ ଗତ ଜୁନ୍ ୧୧ ତାରିଖରେ ଏମସ୍ ରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଲାଇଫ୍ ସିଷ୍ଟମ୍ ସପୋର୍ଟରେ ରଖାଯାଇଛି । ଗତ ୨୪ ଘଣ୍ଟା ଭିତରେ ତାଙ୍କର ଅବସ୍ଥା ଅଧିକରୁ ଅଧିକ ଖରାପ ହୋଇପଡ଼ିଥିବା ଗତକାଲି ଏମସ୍ ସ୍ୱତନ୍ତ୍ର ବୁଲେଟିନ୍ ରେ କୁହାଯାଇଥିଲା । ତାଙ୍କର ସେଭଳି ଅବସ୍ଥା ଜାରି ରହିଥିବା ଏବେ କୁହାଯାଇଛି ।