ବିଧାନସଭାରେ ଦାମଙ୍କ ସିଟ୍ ବଦଳିଲା
ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ନେତା ଦାମୋଦର ରାଉତଙ୍କ ବୟାନବାଜିକୁ ବିଜେଡ଼ି ଆଉ ବରଦାସ୍ତ କରିପାରିନି । ଆଜି ବିଧାନସଭାରେ ପ୍ରଥମ ଥର ପାଇଁ ଦାମଙ୍କୁ ଆଟାକ୍ କରିଛନ୍ତି ବିଧାୟକ ସମୀର ଦାଶ । ଶୁନ୍ୟକାଳରେ ସେ ସିଧାସଳଖ ଦାମଙ୍କୁ ଆଟାକ୍ କରିଥିଲେ । କହିଥିଲେ, ଦାମବାବୁ ଅବକାରୀ ମନ୍ତ୍ରୀ ଥିବା ବେଳେ ୯୩ ଟି ବିଦେଶୀ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦେଇଥିଲେ । ସେଥିରୁ ତାଙ୍କ ଜିଲ୍ଲା ଜଗତସିଂହପୁରରେ ୮ ଟି ଦୋକାନ ଥିଲା । କେବଳ ପାରାଦ୍ୱୀପରେ ୩ଟି ଦୋକାନ ଥିଲା । ଉକ୍ତ ମଦ ଦୋକାନଗୁଡ଼ିକୁ ଲାଇସେନ୍ସ ପ୍ରଦାନରେ ସ୍ୱଚ୍ଛତା ଥିଲା ନା ନାହିଁ ତାହାର ତଦନ୍ତ ପାଇଁ ସେ ଦାବି କରିଥିଲେ । ଦାମ ଅବକାରୀ ମନ୍ତ୍ରୀ ଥିଲା ବେଳେ ମଦ ଦୋକାନ୍ ଲାଇସେନ୍ସ ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା କରିଛନ୍ତି ବୋଲି ସମୀର ଇଙ୍ଗିତ ଦେଇଥିଲେ ।
ସେପଟେ ବିଧାନସଭା ବାହାରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଦାମଙ୍କୁ ଆଟାକ୍ କରିଥିଲେ । କହିଥିଲେ, ଦୁର୍ନୀତି କଥା ଦାମବାବୁ ମନ୍ତ୍ରୀ ଥିବା ବେଳେ ଉଠାଇଲେନି କାହିଁକି? ଯଦି ଅଫିସର ତାଙ୍କ କଥା ଶୁଣୁ ନ ଥିଲେ ପ୍ରୋସିଡିଂ କଲେନି? ବହିଷ୍କାର ପୂର୍ବ ଯାଏଁ ନବୀନଙ୍କ ପ୍ରଶଂସା କରୁଥିଲେ ଆଉ ବହିଷ୍କାର ପରେ ଗାଳି ଦେଉଛନ୍ତି । ଦାମବାବୁ ଦୋମୁହାଁ କଥା କହୁଛନ୍ତି । ଦାମଙ୍କ କଳା କାରନାମା ଉପରେ କହିଥିଲେ, ଟିଟୋ ସହ ଦାମବାବୁଙ୍କର ସମ୍ପର୍କ ରହିଛି । ଇଫକୋକୁ ଭୟଭୀତ କରି ଦାମଙ୍କ ପୁଅ ପରିବହନ କାମ ହାତେଇଛନ୍ତି । ଦାମବାବୁ ଜାତି କଥା କହି ଭେଦଭାବ ସୃଷ୍ଟି କରୁଥିଲେ । ଅଙ୍ଗନବାଡ଼ି କର୍ମୀ ଓ ବ୍ରାହ୍ମଣ ସମାଜକୁ ଆକ୍ଷେପ କରୁଥିବାର ଅଭିଯୋଗ ଅଛି । ସବୁବେଳେ ଅବାନ୍ତର କଥା କହି ମିଡ଼ିଆରେ ରହିବାକୁ ଚେଷ୍ଟା କରୁଛନ୍ତି । ଦାମଙ୍କ ତୁଣ୍ଡରେ ବାଡ଼ବତା ନାହିଁ ବୋଲି ସୂର୍ଯ୍ୟ କହିଥିଲେ ।
ସେପଟେ ସମୀର ଓ ସୂର୍ଯ୍ୟଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି ଦାମ । ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡ଼ିନାହାନ୍ତି ସେ । ଦାମ କହିଛନ୍ତି, ସୂର୍ଯ୍ୟ ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ । ସେ ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି । ସମୀର ଦାଶଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଟିକେଟ ପାଇଁ କଳ୍ପତରୁ ଦାସଙ୍କୁ କେତେ ଟଙ୍କା ଦେଇଥିଲେ କୁହନ୍ତୁ । ମଦ ଦୋକାନ ଲାଇସେନ୍ସ ପ୍ରସଙ୍ଗରେ ଦାମ କହିଛନ୍ତି, ଇଚ୍ଛାକୃତ ଭାବେ ମୁଖ୍ୟମନ୍ତ୍ରୀ ମତେ ଅବକାରୀ ବିଭାଗ ଦେଇଥିଲେ । କାରଣ କେହି ମଦ ପିଇ ମଲେ ମତେ ଇସ୍ତଫା ଦେବାକୁ କୁହାଯିବ । ୩ ବର୍ଷ ମନ୍ତ୍ରୀ ରହିଲି, ହେଲେ ଜଣେ ବି କେହି ମଦ ପିଇ ମଲେନି । ମୋ ସମୟରେ ରାଜସ୍ୱ ବଢ଼ିଛି ଏବଂ କେଉଁଠି ଅନ୍ୟାୟ କରାଯାଇନି । ବିଜୁବାବୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ମାରିବାକୁ କହିଥିଲେ । ଏବେ ତାଙ୍କ ପୁଅ ନବୀନ ଦୁର୍ନୀତିକୁ ନୀତି କରିବାକୁ ଚାହୁଁଛନ୍ତି ବୋଲି ଦାମ କହିଥିଲେ ।
ଦାମଙ୍କ ସିଟ୍ ବଦଳିଲା: ବିଜେଡ଼ିରୁ ବହିଷ୍କୃତ ନେତା ଦାମ ରାଉତଙ୍କ ବିଧାନସଭା ସିଟ୍ ବଦଳିଛି । ପୂର୍ବରୁ ଡି-୩ ଆସନରେ ବସୁଥିବା ଦାମଙ୍କୁ ଏଫ-୧୦ ସିଟ୍ ମିଳିଛି । ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତ୍ ଏହା ଅବଗତ କରାଇଛନ୍ତି । ବିଜେଡ଼ିରୁ ଦାମୋଦର ରାଉତଙ୍କ ବହିଷ୍କାର ଖବର ଦଳର ନେତା ନବୀନ ପଟ୍ଟନାୟକ ତାଙ୍କୁ ଜଣାଇଥିବା ବାଚସ୍ପତି ଗୃହରେ ସୂଚନା ଦେଇଥିଲେ ।