ହେଲିକପ୍ଟର ସିଜ୍, ବୈଜୟନ୍ତଙ୍କ ନାଁରେ ମାମଲା
ଭୁବନେଶ୍ୱର: ଶନିବାର ଦିନ ଚିଲିକାର ନଙ୍ଗାବାଣୀ ମୁହାଣରେ ଅବତରଣ କରିଥିବା ଅଜଣା ପ୍ଲେନ୍ ର ସନ୍ଧାନ ମିଳିଛି । ଏହା ଇମ୍ଫା କମ୍ପାନୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି । ଚିଲିକା ଭଳି ଏକ ଇକୋ ସେନସିଟିଭି ଜାଗା(ନୋ ଫ୍ଲାଇଂ ଜୋନ୍) ରେ ଏହି ହେଲିକପ୍ଟର ଚକ୍କର କାଟି ଅବତରଣ କରିବା ଏବଂ ପ୍ରବଳ ଗର୍ଜନ କରି ଜଳରାଶି ଉପରେ ୧୫ ମିନିଟ୍ ରହି ପଳେଇବା ଏକ ଗର୍ହିତ ଅପରାଧ କାର୍ଯ୍ୟ । ପୁଲିସ ତଦନ୍ତରୁ ତାହା ଇମ୍ଫା ହେଲିକପ୍ଟର ବୋଲି ସ୍ପଷ୍ଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଅରଖକୁଦା ମେରାଇନ୍ ପୁଲିସ ସଂପୃକ୍ତ ଧଳା ହେଲିକପ୍ଟରକୁ ଜବତ କରିଥିବା ବେଳେ ଏହାର ମାଲିକ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏଥିସହ ସଂପୃକ୍ତ ହେଲିକପ୍ଟରର ବ୍ଲାକ୍ ବକ୍ସ ଜବତ ପାଇଁ ଏୟାରକ୍ରାଫ୍ଟ ଅଥରିଟିକୁ ଚିଠି ଲେଖିଛି ପୁଲିସ ।
ଚିଲିକାରେ ବିମାନ ଉଡ଼ାଣ ନେଇ ଆଜି ସିଡ଼ିଏ ଏସିଏଏଫ ବିନୋଦ ଆଚାର୍ଯ୍ୟ ଅରଖକୁଦା ମେରାଇନ ଥାନାରେ ଏତଲା ଦେଇଥିଲେ । ପୁଲିସ ଏହି ଏତଲା ଆଧାରରେ ତଦନ୍ତ ଆରମ୍ଭ କରିବା ସହ ଆଇପିସିର ଧାରା ୨୭୭(ବେଆଇନ ଭାବେ ସର୍ବସାଧାରଣଙ୍କ ପାଇଁ ଥିବା ଜଳାଶୟ ନଷ୍ଟ କରିବା), ଧାରା ୨୭୮(ସ୍ୱାସ୍ଥ୍ୟ ହାନିକରକ ପରିବେଶ ସୃଷ୍ଟି କରିବା), ଧାରା ୩୩୬, ଧାରା ୪୩୧(ସର୍ବସାଧାରଣ ରାସ୍ତା,ବ୍ରିଜ୍ ଓ ନଦୀ ଆଦିକୁ ନଷ୍ଟ କରିବା)ରେ ମାମଲା ରୁଜୁ କରିଥିଲା । ଏସବୁ ମାମଲାରେ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି । ଏଥିସହ ଏୟାରକ୍ରାଫ୍ଟ ଆକ୍ଟ ୧୧ରେ ମଧ୍ୟ ମାମଲା ରୁଜୁ ହୋଇଛି । ସେଥିରେ ୨ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।
ବୈଜୟନ୍ତଙ୍କ ନାଁରେ ପୂର୍ବରୁ ଏଭଳି ବେଆଇନ ହେଲିକପ୍ଟର ଉଡ଼ାଣ ମାମଲା ରହିଛି । ସାତକୋଶିଆ ଅଭୟାରଣ୍ୟ ଭଳି ନିଷିଦ୍ଧାଞ୍ଚଳରେ ସେ ହେଲିକପ୍ଟର ଉଡ଼ାଇ ଚର୍ଚ୍ଚାକୁ ଆସିଥିଲେ । ତେବେ ସେତେବେଳେ ସରକାରରେ ପ୍ରଭାବଶାଳୀ ଥିବାରୁ ସେ ମାମଲାକୁ ଚପାଇ ଦେବାରେ ସମର୍ଥ ହୋଇଥିଲେ । ଜଙ୍ଗଲ ବିଭାଗ ପାଖରେ ସେହି ମାମଲା ଏବେ ବି ପଡ଼ିରହିଛି । ମାମଲାରୁ ପରଦା ହଟେଇଲେ ବୈଜୟନ୍ତଙ୍କ ପାଇଲଟ ଲାଇସେନ୍ସ ରଦ୍ଦ ହେବାର ଯଥେଷ୍ଟ ସମ୍ଭାବନା ଏବେ ବି ରହିଛି ।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଚିଲିକାର ନଙ୍ଗାବାଣୀ ମୁହାଣରେ ଏକ ବିମାନ ଅବତରଣ କରି ପଳେଇଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ଖବର ପଦାକୁ ଆସିଲା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଚିଲିକା ଭଳି ନୋ ଫ୍ଲାଇଂ ଜୋନ୍ ରେ ବିମାନ ଉଡ଼ାଇବାକୁ କିଏ ଦୁଃସାହାସ କଲା ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା ।
ବୈଜୟନ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ଆତ୍ମରକ୍ଷା ପାଇଁ ମାମଲାରେ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରିଛନ୍ତି । ତାଙ୍କ ବିରୋଧରେ କୁଆଡ଼େ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଟୁଇଟ୍ କରିଛନ୍ତି । ମଜ୍ଜାର କଥା ହେଉଛି, ବୈଜୟନ୍ତ ସେଦିନ ହେଲିକପ୍ଟର ଉଡ଼ାଇଥିବା କଥାକୁ ଅସ୍ୱୀକାର କରିନାହାନ୍ତି । ମାତ୍ର ସ୍ଥାନ ଓ ସମୟକୁ ନେଇ ଖେଳ ଖେଳିବା ଆରମ୍ଭ କରିଛନ୍ତି । ସେଇ ସମୟରେ ସେ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଫେରିଥିଲେ ବୋଲି ସଫେଇ ଦେଇଛନ୍ତି ।
ନବୀନ ଏ ସବୁ ନକରି ରାଜନୀତି କରିବା ଶିଖନ୍ତୁ.
ଏ ସବୁ ଗୋଟେ ଦକ୍ଷ ରାଜନେତା ର ଲକ୍ଷଣ ନୁହେଁ.