ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରରେ ଉଡ଼ି ଚର୍ଚ୍ଚାକୁ ଆସିଛନ୍ତି ଅଣଓଡ଼ିଆ, ଅନାମଧ୍ୟେୟ ଅଭିଜିତ୍ ଆୟାର ମିତ୍ର । ହେଲିକପ୍ଟରରେ ବସି ପୁରୀ ଶ୍ରୀମନ୍ଦିର ଭିଡ଼ିଓ ଉଠାଇଛନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିର ଭିଡ଼ିଓ ବି ଉଠାଇଛନ୍ତି । ଏହାକୁ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ସେଥିରେ କୋଣାର୍କ ମନ୍ଦିର ସମ୍ପର୍କରେ ଲେଖିଛନ୍ତି.. ଓଡ଼ିଶାର କୋଣାର୍କ ମନ୍ଦିର ଟେମ୍ପଲ୍ ନୁହେଁ । ହମ୍ପଲ୍ । ମନ୍ଦିର କାରୁକାର୍ଯ୍ୟ(ନଗ୍ନ ମୂର୍ତ୍ତି) ହିନ୍ଦୁ ପରମ୍ପରା ବିରୋଧୀ । ଏ ହେଉଛି ମୁସଲମାନଙ୍କ ସଂସ୍କୃତି । ରାମନ୍ଦିର ନିର୍ମାଣ ବେଳେ ଏଭଳି ମୂର୍ତ୍ତି ରହିବନି ।
ଅଭିଜିତ୍ ଙ୍କ ଏହି ତାତ୍ସଲ୍ୟଭରା ଟିପ୍ପଣୀ ସାରା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ବିଧାନସଭାଠାରୁ ଆରମ୍ଭ କରି ଚା ଖଟି ପର୍ଯ୍ୟନ୍ତ ସବୁଠି ଏହାର ବିରୋଧ କରାଯାଇଛି । ଏଭଳି ଜଣେ ବ୍ୟକ୍ତିଙ୍କୁ କିଏ ଓଡ଼ିଶା ଆଣିଲା ତାହାର ଅନୁସନ୍ଧାନ କରିବାକୁ ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି । ଶ୍ରୀମନ୍ଦିର ଓ କୋଣାର୍କ ଉପରେ ବେଆଇନ ଭାବେ ହେଲିକପ୍ଟରେ ବୁଲିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଶାସକ ଦଳର ବିଧାୟକମାନେ ଅଭିଜିତ୍ ଙ୍କ ଟିପ୍ପଣୀର ପ୍ରବଳ ପ୍ରତିବାଦ କରି ତାଙ୍କର ଗିରଫ ଦାବି କରିଥିଲେ । ବିଧାନସଭା ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଅପରାହ୍ନରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଠାରେ ଏହାର ପ୍ରତିବାଦ ବିକ୍ଷୋଭ କରାଯାଇଥିଲା । ଚିଲିକାରେ ହେଲିକପ୍ଟର ଉଡ଼ାଇଥିବା ବୈଜୟନ୍ତ ପଣ୍ଡାଙ୍କ ସମେତ କୋଣାର୍କ ମନ୍ଦିର ଉପରେ ହୀନ ଟିପ୍ପଣୀ ଦେଇଥିବା ତାଙ୍କ ବନ୍ଧୁ ଅଭିଜିତ୍ ଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ଯାହା ଖବର ମିଳୁଛି, ଏହି ଅନାମଧ୍ୟେୟ ଅଣଓଡ଼ିଆ ବ୍ୟକ୍ତି ଅଭିଜିତ୍ ଜଣେ ସ୍ତମ୍ଭକାର । ଆରଏସଏସ୍ ର ଜଣେ କ୍ୟାଡର୍ । କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ତାଙ୍କର କୁଆଡ଼େ ଭଲ ସମ୍ପର୍କ । ବୈଜୟନ୍ତ ପଣ୍ଡା ତାଙ୍କୁ ଆଣି ହେଲିକପ୍ଟରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲାଇବା ଘଟଣା ବିବାଦକୁ ଆସିଲା ପରେ ବୈଜୟନ୍ତ-ଅଭିଜିତ୍ ସମ୍ପର୍କ ଧରାପଡ଼ିଛି । ଅଭିଜିତ୍ ଙ୍କ ଅସଲ ପରିଚୟ କ’ଣ ଓ ବୈଜୟନ୍ତଙ୍କ ସହ ତାଙ୍କର ଆଉ କି ଗହନ ସମ୍ପର୍କ ତାହା ଏବେ ତଦନ୍ତ ସାପେକ୍ଷ । ସବୁଠାରୁ ଲଜ୍ଜା ଓ ଦୁର୍ଭାଗ୍ୟର କଥା, କୋଣାର୍କ ସମ୍ପର୍କରେ ଅଭିଜିତ୍ ଅରୁଚିକର ମନ୍ତବ୍ୟ ଦେଇଥିଲେ ମଧ୍ୟ ବନ୍ଧୁ ବୈଜୟନ୍ତଙ୍କୁ ବାଧିନି । ଓଡ଼ିଶାର ସଂସ୍କୃତି ଓ ସ୍ୱାଭିମାନ ଜଡ଼ିତ ଏହି ପ୍ରସଙ୍ଗରୁ ସେ ଦୂରେଇ ରହିଛନ୍ତି । ଏ ସମ୍ପର୍କରେ ତାଙ୍କ ଟୁଇଟର୍ ରୁ ପଦୁଟିଏ ବାହାରୁନି । ଜଣେ ଅଣଓଡ଼ିଆ ମୁହଁରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ନିନ୍ଦାଗାନ ତାଙ୍କୁ ଯେମିତି ଆନନ୍ଦିତ କରୁଛି ।
ଖାଲି ସେତିକି ନୁହେଁ । ଆଜି ଦିନତମାମ ଅଭିଜିତ୍ ଙ୍କ ଟୁଇଟରରୁ ଗାଳି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଠୋର ଭାଷାରେ ସେ ଗାଳି କରିଥିବା ବେଳେ ଏହି ପ୍ରସଙ୍ଗ ଉଠାଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ବି ସମାଲୋଚନା କରିଛନ୍ତି । କୋଣାର୍କ ସମ୍ପର୍କରେ ଓଡ଼ିଆ ସଂସ୍କୃତିର ପକ୍ଷ ରଖି ତାଙ୍କୁ ସମାଲୋଚନା କରୁଥିବା ଓଡ଼ିଆଙ୍କୁ ବି ମନଇଚ୍ଛା ଗାଳି କରିଛନ୍ତି ସେ । ସେମାନଙ୍କୁ ଅର୍ଦ୍ଧଶିକ୍ଷିତ ବୋଲି କହିବାକୁ ପଛାଇ ନାହାନ୍ତି ରାଜନେତାଙ୍କ ସାନ୍ନିଧ୍ୟରେ ଭ୍ରମଣ କରିବାକୁ ଆସିଥିବା ଏହି ତଥାକଥିତ ସାମ୍ବାଦିକ ।