ଭୁବନେଶ୍ୱର: ଓଡ଼ିଶାର ଇଜ୍ଜତ ଲୁଟୁଥିବା ଅଣଓଡ଼ିଆ ସାମ୍ବାଦିକଙ୍କ ସହ ପ୍ରୀତି । ଅଥଚ ଓଡ଼ିଆ ସାମ୍ବାଦିକଙ୍କୁ ଛେଇ ଛେଇ ମାର ମାର । ନିଜେ ଏକ ନମ୍ବର ଓଡ଼ିଆ ଟିଭି ଚାନେଲର ମାଲିକ ହୋଇ ମଧ୍ୟ ଓଡ଼ିଆ ଗଣମାଧ୍ୟମ ପ୍ରତି ବୈଜୟନ୍ତ ପଣ୍ଡାଙ୍କର ହୀନମନ୍ୟତା ଆଜି ପୁଣି ଧରାପଡ଼ିଛି । ଅଣଓଡ଼ିଆ ସାମ୍ବାଦିକ ବନ୍ଧୁଙ୍କୁ ଧରି ହେଲିକପ୍ଟର ଉଡ଼ାଣ ପାଇଁ ଚର୍ଚ୍ଚାରେ ଥିବା ବୈଜୟନ୍ତ ଆଜି ସଂଧ୍ୟାରେ ଦିଲ୍ଲୀରୁ ଫେରିଲା ପରେ ଓଡ଼ିଆ ଟିଭି ଚାନେଲ୍ ମାନଙ୍କୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇ ସିଧା ଘରକୁ ପଳେଇଥିଲେ ।
ସଂଧ୍ୟା ୮.୨୦ ମିନିଟ୍ ରେ ବୈଜୟନ୍ତ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ବାହାରିଲା କ୍ଷଣି ସେଠାରେ ଅପେକ୍ଷାରତ ସାମ୍ବାଦିକମାନେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର୍ ର ଟୁଇଟର ଟିପ୍ପଣୀ ଏବଂ ପୂର୍ବରୁ ତାଙ୍କର ଚରିତ୍ର ଜାଣି ମଧ୍ୟ ତାଙ୍କୁ କିଭଳି ହେଲିକପ୍ଟରରେ ବସି ପୁରୀ, କୋଣାର୍କ ବୁଲାଇଥିଲେ ବୋଲି ବୈଜୟନ୍ତଙ୍କୁ ପ୍ରଶ୍ନ କରିଥିଲେ । ମାତ୍ର ବୈଜୟନ୍ତ କିଛି ଶୁଣି ନ ଥିଲେ । ଯାହା କହିବା କଥା ଫେସବୁକ୍ ରେ କହିଛି କହି ନିଜ ଗାଡ଼ି ଭିତରକୁ ପଳାଇଥିଲେ ।
ଇଂରାଜୀ ଓ ହିନ୍ଦୀ ଚାନେଲ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରି ବୈଜୟନ୍ତ ବାଇଟ୍ କି ଇଣ୍ଟରଭ୍ୟୁ ଦେବାକୁ ପସନ୍ଦ କରୁଥିବା ବେଳେ ଓଡ଼ିଆ ସାମ୍ବାଦିକଙ୍କୁ ସେ ସବୁବେଳେ ହୀନ ଦୃଷ୍ଟିରେ ଦେଖନ୍ତି । ଏକଥା ଓଡ଼ିଆ ମିଡ଼ିଆ ଜଗତରେ ସମସ୍ତେ ଜାଣନ୍ତି । ତେବେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣକୁ ନେଇ ମିଡ଼ିଆରେ ନଗଦ ଜୋର୍ ଚର୍ଚ୍ଚା ଚାଲିଥିବା ବେଳେ ସମସ୍ତେ ଆଶା କରୁଥିଲେ ଓଡ଼ିଆ ମିଡ଼ିଆରେ ସେ ନିଜର ପ୍ରତିକ୍ରିୟା ରଖିବେ । ମାତ୍ର ଗତକାଲିଠାରୁ ଟୁଇଟରରେ ପ୍ରତିକ୍ରିୟା ରଖି ଚାଲିଥିବା ବୈଜୟନ୍ତ ଆଜି ନିଜେ ଏକ ଭିଡ଼ିଓ କରି ତାକୁ ଫେସବୁକ୍ ରେ ଛାଡ଼ିଛନ୍ତି । ଓଡ଼ିଶା ମାଟିରେ ସାମ୍ବାଦିକଙ୍କ ସାମନାରେ ରହି ପ୍ରତିକ୍ରିୟା ଦେବାକୁ ତାଙ୍କର ପସନ୍ଦ ହୋଇନି ।