‘ବିଜେପିର ମୁଖଶାଳା ବଡ଼, ମନ୍ଦିର ଛୋଟ’
‘ଦଳ ପାଇଁ ବିପଦ ଆତ୍ମଘୋଷିତ ବଡ଼ ନେତା’
‘ବିଜେପିକୁ ଆସିବା ଭୁଲ୍ ନିଷ୍ପତ୍ତି ଥିଲା’
‘୧୫ ଦିନ ପରେ ଭବିଷ୍ୟତ ନିଷ୍ପତ୍ତି’
ଭୁବନେଶ୍ୱର: ବିଜେପି ଓ ବିଧାୟକ ପଦରୁ ଦିଲ୍ଲୀପ ରାୟଙ୍କ ଇସ୍ତଫା ଦେବାର କେଇ ମିନିଟ୍ ପରେ ବିଜୟ ମହାପାତ୍ର ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି । ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ବିଜେପିରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ । ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ପଠାଇ ଦେଇଛନ୍ତି । ବିଜେପିରେ ସବୁ ଜିନିଷ ଚରମସୀମାରେ ପହଞ୍ଚିଯାଇଥିଲା । ଦଳ ଛାଡ଼ିବା ବ୍ୟତୀତ ତାଙ୍କ ପାଇଁ ଅନ୍ୟ କିଛି ରାସ୍ତା ନ ଥିଲା ବୋଲି ସେ କହିଛନ୍ତି । ଦିଲ୍ଲୀପ ରାୟ ଓ ତାଙ୍କର ଏଭଳି ଅବସ୍ଥା ପାଇଁ ସେ କାହାରି ନାଁ ନେଇ ନ ଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ତାଙ୍କର ଇଙ୍ଗିତ ଥିଲା । ଦଳରେ ଯାହା ଚାଲିଥିଲା ତାହା ସମସ୍ତେ ଜାଣିଛନ୍ତି । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇଲେ ତାହାକୁ ଭିନ୍ନ ଚିତ୍ରଣ କରାଯାଉଥିଲା । ଏହା ପଛରେ ଅହଂକାରୀ ଓ ଆତ୍ମଘୋଷିତ ବଡ଼ ନେତାଙ୍କ ଚକ୍ରାନ୍ତ ଥିଲା । ଏ ସମ୍ପର୍କରେ ବହୁବାର ପ୍ରଧାନମନ୍ତ୍ରୀ, ଅମିତ୍ ଶାହା ଓ କେନ୍ଦ୍ରୀୟ ନେତୃବର୍ଗଙ୍କୁ ଜଣାଇଥିଲେ ବି ସୁଫଳ ମିଳିଲା ନାହିଁ ବୋଲି ବିଜୟ କହିଛନ୍ତି ।
ସାମ୍ବାଦିକଙ୍କ ପ୍ରଶ୍ନରେ ବିଜୟ କହିଥିଲେ, ଦଳରେ ବହୁତ କିଛି ଘଟିଛି । ହେଲେ ସର୍ବସାଧାରଣରେ ମୁଁ ତାହାକୁ ପ୍ରକାଶ କରିବାକୁ ଚାହୁଁନାହିଁ । ଦଳରେ କିଏ କ’ଣ କରୁଛନ୍ତି ଆପଣମାନେ ସବୁ ଜାଣିଛନ୍ତି । ଆଜିର ଦିନରେ ମୁଁ କାହାର ନାଁ ନେବାକୁ ଚାହୁଁନାହିଁ । ବିଜେପିର ଅବସ୍ଥା କହିବାକୁ ଯାଇ ବିଜୟ କହିଥିଲେ ଯେ ଦଳର ମୁଖଶାଳା ବଡ଼, ହେଲେ ମନ୍ଦିର ଛୋଟ । ଏଠି ରାଜ୍ୟର ସ୍ୱାର୍ଥ ପାଇଁ କାହାର ଚିନ୍ତା ନାହିଁ । ନିଜ ନିଜର ସ୍ୱାର୍ଥରକ୍ଷା ପାଇଁ ଆତ୍ମଘୋଷିତ ବଡ଼ ନେତାମାନେ ଚିନ୍ତିତ । ୧୨୦ ପ୍ଲସ୍ ମିଶନ୍ ସମ୍ପୂର୍ଣ୍ଣ ଭୁଲ୍ ଆକଳନ । ଘରୋଇ ଭାବେ ଆଲୋଚନା କାଳରେ ଦଳର ସମସ୍ତେ ଏହାକୁ ସ୍ୱୀକାର କରୁଛନ୍ତି । ୨୦୦୯ ମସିହାରେ ବିଜେପିରେ ତରବରିଆ ଭାବେ ଯୋଗଦେବା ତାଙ୍କର ମସ୍ତବଡ଼ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଥିଲେ ।
ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ୧୫ ଦିନ ପରେ ନିଷ୍ପତ୍ତି ନେବୁ ବୋଲି ବିଜୟ କହିଛନ୍ତି । ଦିଲ୍ଲୀପ ଆଜିଠାରୁ ବିଦେଶ ଯାଉଛନ୍ତି । ସେ ଫେରିଲା ପରେ ଏକାଠି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି । ଆମେ କୌଣସି ଦଳରେ ମିଶିବାକୁ ନେଇ ଏ ପର୍ଯ୍ୟନ୍ତ କଥାବାର୍ତ୍ତା କରିନୁ । ଚର୍ଚ୍ଚାରେ ବିଶ୍ୱାସ କରନ୍ତୁ ନାହିଁ । ଓଡ଼ିଶା ରାଜନୀତି ଏବେ ଅସ୍ପଷ୍ଟ । ଆଗକୁ ବହୁତ କିଛି ଘଟିବ । ତେଣୁ ଅପେକ୍ଷା କରନ୍ତୁ ବୋଲି ବିଜୟ କହିଥିଲେ ।
ଇସ୍ତଫାପତ୍ରରେ କ’ଣ ରହିଛି: ଅମିତ୍ ଶାହାଙ୍କୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ମିଳିତ ଭାବେ ଇସ୍ତଫାପତ୍ର ପଠାଇଛନ୍ତି । ସେମାନେ ଲେଖିଛନ୍ତି, ରାଜ୍ୟରେ ବିଜେପିର ଦହନୀୟ ସ୍ଥିତି ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଆପଣ କିମ୍ବା ଆପଣଙ୍କ କେନ୍ଦ୍ରୀୟ ନେତା ପରାମର୍ଶ କି ସମୀକ୍ଷା କରିବାକୁ ଉଚିତ ମଣିଲେ ନାହିଁ । ମହାନଦୀ ଜଳ ବିବାଦଠାରୁ ଆରମ୍ଭ କରି ରାଉରକେଲାରେ ପ୍ରତିଶ୍ରୁତି ଦିଆଯାଇଥିବା ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ସୁପର ସ୍ପେଶିଆଲିଟି ହସ୍ପିଟାଲ୍, ପାରାଦ୍ୱୀପ ରିଫାଇନାରୀରେ ପ୍ରତିଶ୍ରୁତି ଦିଆଯାଇଥିବା ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗରେ ଆମେ ବାରମ୍ବାର ସ୍ୱର ଉଠାଇଥିଲୁ । ମାତ୍ର ତାହାକୁ କର୍ଣ୍ଣପାତ କରାଗଲା ନାହିଁ । ଦଳର ଅନେକ ନେତା ଏହାକୁ ସମର୍ଥନ କରୁଥିଲେ ମଧ୍ୟ ଟିକେଟ କଟିଯିବା ଭୟରେ ନିରବ ରହିଲେ ।







