ଭୁବନେଶ୍ୱର: ଜାତୀୟସ୍ତରରେ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ି ଭାବମୂର୍ତ୍ତି କୁ ମାଟିରେ ମିଶାଇବାକୁ ଦିଲ୍ଲୀରେ ଖେଳ ଖେଳୁଥିଲେ ବୈଜୟନ୍ତ ପଣ୍ଡା । ବଡ଼ ବଡ଼ ମିଡ଼ିଆ ବନ୍ଧୁଙ୍କ ସାହାରା ନେଉଥିଲେ । ଦିଲ୍ଲୀ ମିଡ଼ିଆକୁ ନିଜ ପକେଟରେ ଧରି ବୁଲୁଥିଲେ । ହେଲେ ତାହା ବୁମେରାଂ ହୋଇଯାଇଛି । ତାଙ୍କ ରାଜନେତା ଚରିତ୍ର ପଛରେ ସାଂଘାତିକ ଦୋନମ୍ବରୀ କାରବାରକୁ ପଦାରେ ପକାଇଦେଇଛି ମିଡ଼ିଆ । ଆୟକର ବିଭାଗକୁ ତାଙ୍କ ବିରୋଧରେ ଆସିଥିବା ଫେରା ଆଇନ ଉଲ୍ଲଂଘନ ଓ ଟିକସ ଠକେଇ ଭଳି ସଙ୍ଗୀନ ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ଏହି ମଉକାରେ ପୁରୁଣା ବନ୍ଧୁଙ୍କ ଉପରେ ଦାଉ ସାଜିଛି ବିଜେଡ଼ି । ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ଭୁବନେଶ୍ୱରରେ ବି ଦଳ ତାଙ୍କୁ ଛାଡ଼ିନି । ବୈଜୟନ୍ତଙ୍କ ନିଦ ହଜେଇଲା ଭଳି ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛି ।
ଆଜି ଲୋକସଭାର ଶୂନ୍ୟକାଳରେ ଭର୍ତ୍ତୃହରି ଏହି ପ୍ରସଙ୍ଗ ଉଠାଇଥିଲେ ।
ଭର୍ତ୍ତୃହରି ପଚାରିଥିଲେ-
୧- ବୈଜୟନ୍ତ ପଣ୍ଡା ଜଣେ ଭାରତୀୟ ପାସପୋର୍ଟଧାରୀ । ମାତ୍ର ଟିକସର ସ୍ୱର୍ଗ କୁହାଯାଉଥିବା ନାସାଉ, ବାହାମାସ୍ ରେ ସେ, ତାଙ୍କ ପତ୍ନୀ ଏବଂ ପାରିବାରିକ ବନ୍ଧୁ ଚଳାଉଥିବା କମ୍ପାନୀ କାରବାର ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମତି ନେଇଥିଲେ କି?
୨- ଶ୍ରୀ ପଣ୍ଡା କହିଛନ୍ତି, ଉକ୍ତ ସମୟରେ ସେ ଜଣେ ବିଦେଶୀ ଛାତ୍ର କିମ୍ବା ପ୍ରବାସୀ ଭାରତୀୟ ଥିଲେ । ତେଣୁ ଆକାଉଣ୍ଟ୍ ଖୋଲିବା ପୂର୍ବରୁ ରିଜର୍ଭ ବ୍ୟାଙ୍କର ଅନୁମତି ଦରକାର ନ ଥିଲା । ମାତ୍ର ଭାରତକୁ ଫେରିଲା ପରେ ସେ ଜଣେ ଭାରତୀୟ ଭାବେ ରିଜର୍ଭ ବ୍ୟାଙ୍କ ପାଖରେ ତାଙ୍କ ଆକାଉଣ୍ଟ ଘୋଷଣା କରିଥିଲେ କି?
୩- ଶ୍ରୀ ପଣ୍ଡା ତାଙ୍କ ଆକାଉଣ୍ଟ ବନ୍ଦ କଲା ବେଳେ ରିଜର୍ଭ ବ୍ୟାଙ୍କକୁ ସେ ସମ୍ପର୍କରେ ଅବଗତ କରିଥିଲେ କି? ଏବଂ ବିଦେଶୀ ବ୍ୟାଙ୍କରେ ଗଚ୍ଛିତ ଥିବା ଟଙ୍କାକୁ ଆଇନ ଅନୁଯାୟୀ ପ୍ରତ୍ୟର୍ପଣ କରିଥିଲେ କି?
ଯଦି ଶ୍ରୀ ପଣ୍ଡା ଏହା କରିନାହାନ୍ତି, ତେବେ ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଏବଂ ମନି ଲଣ୍ଡରିଂ ଭଳି ଅନେକ ଭାରତୀୟ ଦଣ୍ଡିବିଧି ଆଇନ ତାଙ୍କ ପାଇଁ ପ୍ରଜୁଯ୍ୟ । ଏହି ଆଇନବଳରେ ତାଙ୍କ ମାମଲା ବିଚାର ହେବା ଦରକାର ବୋଲି ଶ୍ରୀ ମହତାବ ଗୃହର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏପଟେ ଭୁବନେଶ୍ୱରରେ ବିଜେଡ଼ି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକି ବୈଜୟନ୍ତଙ୍କୁ ଘାଣ୍ଟିଥିଲେ । ବୈଜୟନ୍ତଙ୍କ ପ୍ରସଙ୍ଗରେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିରବତାକୁ ସେ ପ୍ରଶ୍ନ କରିଥିଲେ । ଏଠି କଥା କଥାକେ ସିବିଆଇ, ଇଡ଼ି ଏବଂ ଆୟକର ତଦନ୍ତ କଥା ଉଠୋଉଛନ୍ତି କେନ୍ଦ୍ରମନ୍ତ୍ରୀ । କୌଣସି ଭିତ୍ତି ନ ଥିବା ଫାଲତୁ କଥା ଉପରେ ତାଙ୍କ ପାଟିରୁ ଏହି ସ୍ୱର ଶୁଭୁଛି । ମାତ୍ର ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଟିକସ ଫାଙ୍କି ଭଳି ଗୁରୁତର ଅଭିଯୋଗ ଆସିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯେ ପ୍ରସଙ୍ଗଟି ଜାଣିନାହାନ୍ତି ତାହା ତ ନୁହେଁ । ମିଡ଼ିଆଠାରୁ ଆରମ୍ଭ କରି ଲୋକସଭାରେ ଏହା ଚର୍ଚ୍ଚା ହୋଇସାରିଲାଣି । ହେଲେ ସବୁ ବିଷୟରେ ପାଟି ଖୋଲୁଥିବା ମାନ୍ୟବର କେନ୍ଦ୍ରମନ୍ତ୍ରୀ କାହିଁକି ବୈଜୟନ୍ତଙ୍କ ପ୍ରସଙ୍ଗରେ ପାଟି ଖୋଲୁନାହାନ୍ତି ବୁଝାପଡୁନି । ବ୍ୟାପମ୍ ସ୍କାମ୍ ର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଙ୍କଠାରୁ ବିମାନ ଟିକେଟ ନେବା ଏବଂ ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗରେ ମଧ୍ୟ ତାଙ୍କ ପାଟି ଏଭଳି ଚୁପ୍ ଥିଲା । ଟିଟୋ ପେଟ୍ରୋଲ୍ ପମ୍ପ୍ ଏବଂ ଏହାର ସିବିଆଇ ତଦନ୍ତ ଦାବି ଉପରେ ମଧ୍ୟ ତାଙ୍କ ପାଟି ଚୁପ୍ ଥିଲା । ଅନୁରୂପ ଭାବେ ବୈଜୟନ୍ତଙ୍କ ପ୍ରସଙ୍ଗରେ ସେ ନିରବ ହୋଇଯିବା ପଛର ରହସ୍ୟ କ’ଣ ବୋଲି ବିଜେଡ଼ି ମୁଖପାତ୍ର ପ୍ରଶ୍ନ କରିଥିଲେ ।
ସେହିଭଳି କେନ୍ଦ୍ରର ବିଜେପି ସରକାରଙ୍କୁ ମଧ୍ୟ ସେ କଡ଼ା ସମାଲୋଚନା କରିଥିଲେ । ବୈଜୟନ୍ତଙ୍କ ଟିକସ ଠକେଇ ପ୍ରସଙ୍ଗରେ ତଦନ୍ତ କରିବାର ପୂର୍ଣ୍ଣ କ୍ଷମତା କେନ୍ଦ୍ର ସରକାରଙ୍କର ରହିଛି । କିନ୍ତୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର କାହିଁକି ନିରବ ବୋଲି ଡ. ପାତ୍ର ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ବୈଜୟନ୍ତ ପଣ୍ଡା, ପତ୍ନୀ ଜାଗିମଙ୍ଗତ ପଣ୍ଡା ଓ ଅନ୍ୟ ଜଣେ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ୍ ଙ୍କ ନାମରେ ଆୟକର ବିଭାଗ ନିକଟରେ କଳା ଟଙ୍କାକୁ ଧଳା କରିବା ଏବଂ ଟିକସ ଫାଙ୍କି ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ବିଦେଶର ଏକ ଅଜଣା ସୂତ୍ରରୁ ୧୭ କୋଟି ୭୨ ଲକ୍ଷ ଟଙ୍କା ଆଣିଥିବା ନେଇ ଆୟକର ବିଭାଗ ପାଖରେ ଅଭିଯୋଗ ପହଞ୍ଚିଛି । ବାହାମାସ୍ ରେ ସ୍ଥାପନ କରାଯାଇଥିବା ତିନୋଟି ସେଲ୍ କମ୍ପାନୀ ଜରିଆରେ ଏହି ଅର୍ଥ କାରବାର ହୋଇଛି । ଅଭିଯୋଗ ଆସିଲା ପରେ ଆୟକର ରାଡାର ଏବେ ବୈଜୟନ୍ତ ଓ ଜାଗିଙ୍କ ଉପରେ ରହିଛି । କଳାଟଙ୍କା ଆଇନ ଏବଂ ଆୟକର ଆଇନ ଅଧିନରେ ଏହାକୁ ଅପରାଧ ଭାବେ ବିଚାର କରାଯାଉଛି । ଜାତୀୟ ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ଏହି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।