ଭୁବନେଶ୍ୱର: ଆଉ ୧୧ଟି ବିଧାନସଭା ଆସନ ପାଇଁ ଆଜି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେପିରୁ ଇସ୍ତଫା ଦେଇ ପୁଣି ବିଜେପିକୁ ଫେରିଥିବା ଟାଣୁଆ ନେତା ବିଜୟ ମହାପାତ୍ର ପାଟକୁରା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଗତଥର ସେ ମହାକାଳପଡ଼ାରୁ ବିଜେପି ପ୍ରାର୍ଥୀ ଥିଲେ । ଏଥର ସେହି ଆସନରେ ପ୍ରାର୍ଥୀ ହୋଇଛନ୍ତି ବିଜୟ ପ୍ରଧାନ । କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ଦୁଇ ବିଜୟଙ୍କ ନାଁ ଘୋଷଣା ହେଲା ପରେ ଜିଲ୍ଲା ବିଜେପି ରାଜନୀତି ସରଗରମ ହୋଇଛି । ଦୁଇ ବିଜୟଙ୍କୁ ବିରୋଧ କରି ଦଳର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଅଫିସ ସାମନାରେ ଦଳର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ପୋଡ଼ିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ଜଣେ ନେତାଙ୍କ ସୂଚନା ଅନୁଯାୟୀ, ଗତ ଦୁଇବର୍ଷ ଧରି କେନ୍ଦ୍ରାପଡ଼ା ବିଜେପି ସଂଗଠନକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ କେଶରୀ(ଟୁଲୁ) ପରିଡ଼ାଙ୍କୁ ପାଟକୁରା ଏବଂ ଭୁବନ ମୋହନ ଜେନାଙ୍କୁ ମହାକାଳପଡ଼ାରୁ ପ୍ରାର୍ଥୀ କରାଯିବ ବୋଲି ସ୍ଥିର ହୋଇଥିଲା । ସେହି ଅନୁଯାୟୀ ଦଳର କାର୍ଯ୍ୟକ୍ରମ ଚାଲୁଥିଲା । ମାତ୍ର ବୈଜୟନ୍ତ ପଣ୍ଡା ବିଜେପିକୁ ଆସି ପାୱାରଫୁଲ୍ ହେବା ପରେ ତାଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି ଜିଲ୍ଲା ବିଜେପି ସଂଗଠନ । ବିଜୟ ମହାପାତ୍ରଙ୍କୁ ସାଙ୍ଗରେ ଧରି ସେ ତାଙ୍କର ଗୋଟିଚାଳନା କରୁଛନ୍ତି । ଏକା ସାଙ୍ଗରେ ଟୁଲୁ ପରିଡ଼ା ଓ ଭୁବନ ଜେନାଙ୍କୁ ସଫା କରିବାକୁ ଜାଲ୍ ବିଛାଯାଇଛି । ମହାକାଳପଡ଼ାରେ ପ୍ରାର୍ଥୀ ହୋଇଥିବା ବିଜୟ ପ୍ରଧାନ ବୈଜୟନ୍ତ ପଣ୍ଡାଙ୍କର ଏକାନ୍ତ ସହଯୋଗୀ ଭାବେ ଜଣାଶୁଣା । ପୂର୍ବରୁ ସେ ତିନି ତିନି ଥର ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାହା ନାମକୁ ମାତ୍ର । ପାଟକୁରା କି ମହାକାଳପଡ଼ାରେ ତାଙ୍କର ସେଭଳି ସ୍ଥିତି ନାହିଁ ।
ସୂଚନାଯୋଗ୍ୟ, ବିଜୟ ମହାପାତ୍ର ବିଜେପିକୁ ଫେରିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରି ସଂକଳ୍ପ କରିଥିଲେ । ବିଜୟ ମହାପାତ୍ରଙ୍କୁ ଦଳରେ ପୁର୍ନବାର ଗ୍ରହଣ କରିପାରିବେନି ବୋଲି ଜଣାଇ ଦେଇଥିଲେ । ଆଜି ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା ହେଲା ପରେ ଜିଲ୍ଲା କର୍ମକର୍ତ୍ତାମାନେ ବିଦ୍ରୋହ ଆରମ୍ଭ କରିଛନ୍ତି । ମହାକାଳପଡ଼ାରେ ବିଜୟ ପ୍ରଧାନଙ୍କ ପ୍ରାର୍ଥୀତ୍ୱକୁ ବି ସେମାନେ ଗ୍ରହଣ କରିନାହାନ୍ତି । ପରିବର୍ତ୍ତିତ ସମୀକରଣ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ସେମାନେ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିଶ୍ରୁତି ରଖି ନ ଥିବାରୁ ସେମାନେ କ୍ଷୁବ୍ଧ ହୋଇଛନ୍ତି ।