ଭୁବନେଶ୍ୱର: ଓଡ଼ିଶାରେ ଦୁଇ ଦୁଇ ଥର ବିଧାୟକ ଥିଲେ । ବିଧାନସଭା ସମୟରେ ଏମଏଲଏ କ୍ୱାଟର୍ସ ରୁ ଚାଲି ଚାଲି ଅଥବା ଲିଫ୍ଟ ମାଗି କାହାରି ମଟରସାଇକେଲରେ ଆସୁଥିଲେ ବିଧାନସଭା । ଘରେ ନ ଖାଇଲେ, ୪ ନମ୍ବରର ଏମଏଲଏ କଲୋନୀ ପାଖାପାଖି କୌଣସି ଏକ ଛୋଟ ଚାଳିଆ ହୋଟେଲ ଯାଇ ଖାଉଥିଲେ । ତାଙ୍କର କ୍ୱାଟର୍ସ କୁ ପଶିଗଲେ ସେଠି ଜଣେ ବିଧାୟକ ରହୁଛନ୍ତି ବୋଲି ବିଶ୍ୱାସ ହେଉ ନ ଥିଲା । ବୟସର ଅପରାହ୍ନରେ ପହଞ୍ଚିଥିବା ରୋଗିଣା ମାଆ(ଆଉ ନାହାନ୍ତି) ଏବଂ ସିଏ । କେବେ କେବେ କିଛି ସମ୍ପର୍କୀୟଙ୍କୁ ଘରେ ଦେଖିବାକୁ ମିଳୁଥିଲା । ଖଣ୍ଡେ ସାଇକେଲ, କିଛି ଲୁଗାପଟା, ବହିପତ୍ର, ଟିଭିଟେ ବ୍ୟତୀତ ଘରେ ସେଭଳି କୌଣସି ଆଖିଦୃଶିଆ ଆସବାବପତ୍ର ଦେଖିବାକୁ ମିଳୁ ନ ଥିଲା ।
ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଜୀବନ ଜୀଉଁଥିବା ଏହି ବିଧାୟକଙ୍କର ପ୍ରଚଣ୍ଡ ବାଗ୍ମୀତାକୁ ବିଧାନସଭା ଭିତରେ ଓ ବାହାରେ ସମସ୍ତେ ଦେଖୁଥିଲେ । ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ କରିବା ସହ ତାଙ୍କଠାରୁ ସାହାଯ୍ୟ, ସହଯୋଗ ଲୋଡୁଥିବା କୌଣସି ବ୍ୟକ୍ତିଙ୍କୁ ନିରାଶ କରୁ ନ ଥିଲେ । ଦୃଢ଼ ମନୋବଳ ସମ୍ପନ୍ନ ଅତ୍ୟନ୍ତ ସଚ୍ଚୋଟ, ପରୋପକାରୀ ଏହି ଶାନ୍ତ ଓ ଭଦ୍ର ସ୍ୱଭାବର ବ୍ୟକ୍ତିତ୍ୱ ଜଣଙ୍କ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଗାଁ କନିଆ ଶିଙ୍ଘାଣି ନାକି ଭଳି ଜନ୍ମମାଟିର ଏଭଳି ଜଣେ ବ୍ୟକ୍ତିତ୍ୱ ଓଡ଼ିଶା ମିଡ଼ିଆ ପାଇଁ ପୂର୍ବରୁ ସେଭଳି ଆକର୍ଷଣ ନ ଥିଲା କି ଚର୍ଚ୍ଚା ହେଉ ନ ଥିଲା । ଗତଥର ନିର୍ବାଚନରେ ପରାଜିତ ହେବା ପରେ ଦଳ ପାଇଁ ବି ସତେ ଯେମିତି ଅଲୋଡ଼ା ରହିଥିଲେ । ମାତ୍ର ଏଥର ସେ ହାରିନାହାନ୍ତି । ବାଲେଶ୍ୱର ଲୋକସଭା ଆସନରୁ ବିଜେଡ଼ିର ପାୱାରଫୁଲ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ଦରବାରକୁ ତାଙ୍କର ଏଣ୍ଟ୍ରି ଏବେ ସବୁ ଜାତୀୟ ଗଣମାଧ୍ୟମର ଶିରୋନାମା ହୋଇଛି । ତାଙ୍କର ବେଶଭୂଷା, ସରଳ ଜୀବନ, ଯୋଗ, ବାଗ୍ମୀତା ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବେ ସୋସିଆଲ୍ ମିଡ଼ିଆ, ଜାତୀୟସ୍ତରର ଖବରକାଗଜ ଓ ଟିଭି ଚାନେଲଗୁଡ଼ିକ ପାଇଁ ଆକର୍ଷଣ ପାଲଟିଛି । ତାଙ୍କୁ ନେଇ ଏବେ ସବୁଦିନ ଚାଲୁଛି ଷ୍ଟୋରି । ଜାତୀୟ ଗଣମାଧ୍ୟମରେ ତାଙ୍କୁ ଦ୍ୱିତୀୟ ମୋଦି ବୋଲି ଚିତ୍ରଣ କରାଗଲାଣି । ଓଡ଼ିଶାର ଏହି ସାଂସଦଙ୍କ ପାଇଁ ଏବେ ସାରା ଦେଶବାସୀ ଗର୍ବିତ ।







