ଭୁବନେଶ୍ୱର: ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ସରକାରରେ ଓଡ଼ିଶାରୁ ନୂଆମୁହଁ ଭାବେ ଚର୍ଚ୍ଚିତ ଚେହେରା ପ୍ରତାପ ଷଡ଼ଙ୍ଗୀ ସାମିଲ ହେବାକୁ ଯାଉଛନ୍ତି । ମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍ ଯାଇଥିବା ସୂଚନା ମିଳିଛି । ପୂର୍ବରୁ ମୋଦି ସରକାରରେ ଟାଣୁଆ ମନ୍ତ୍ରୀ ରହିଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମନ୍ତ୍ରୀ ହେବାକୁ ଫୋନ୍ କଲ ପାଇଛନ୍ତି । ତେଣୁ ବର୍ତ୍ତମାନ ସୁଦ୍ଧା ମିଳୁଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ହିଁ ମୋଦିଙ୍କ ନୂଆ ଟିମ୍ ରେ ସାମିଲ ହେବାକୁ ଯାଉଛନ୍ତି ।
ଗତଥର ଓଡ଼ିଶାର ସୁନ୍ଦରଗଡ଼ ଆସନ ଜିତିଥିବା ବିଜେପିର ଏକମାତ୍ର ସାଂସଦ ଜୁଏଲ୍ ଓରାମ୍ ଙ୍କୁ ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ନେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ଯାଇ କେନ୍ଦ୍ର ମନ୍ତ୍ରୀଣ୍ଡଳରେ ସ୍ଥାନ ପାଇଥିଲେ । ଚଳିତ ନିର୍ବାଚନରେ ବିଜେପି ଓଡ଼ିଶାରୁ ୮ ଟି ଆସନ ନେଇଥିବାରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ପ୍ରତିନିଧିତ୍ୱ ଅଧିକ ହେବ ବୋଲି ଚର୍ଚ୍ଚା ହେଉଥିଲା । ଓଡ଼ିଶାରୁ ୩ ଜଣ ମନ୍ତ୍ରୀ ପଦ ପାଇବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଧର୍ମେନ୍ଦ୍ର ଓ ଜୁଏଲ୍ ତାଙ୍କ ପଦ ବଜାୟ ରଖିବେ ଏବଂ ନୂଆ ମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା । କେନ୍ଦ୍ରାପଡ଼ାରୁ ହାରିଥିବା ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା କରିଥିଲେ ।
ତେବେ ଶେଷ ସୂଚନା ଅନୁଯାୟୀ ଓଡ଼ିଶାରୁ କେବଳ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ହେବେ । ମଧ୍ୟପ୍ରଦେଶରୁ ଧର୍ମେନ୍ଦ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହେଉଥିବା ବେଳେ ଓଡ଼ିଶାରୁ ନିର୍ବାଚିତ ଏକମାତ୍ର ପ୍ରତାପ ଷଡ଼ଙ୍ଗୀ ହେବେ ମନ୍ତ୍ରୀ । ଜୁଏଲ୍ ଓରାମ୍ ଙ୍କ ପାଖକୁ ଫୋନ୍ ଯାଇ ନ ଥିବାରୁ ତାଙ୍କୁ ବାଦ୍ ଦିଆଯାଉଥିବା ଜଣାପଡ଼ିଛି । ତେବେ ଶେଷ ମୁହୁର୍ତ୍ତରେ ଆଉ କିଏ ଯୋଡି ହେବେ ନା ନାହିଁ ତାହାକୁ ଅପେକ୍ଷା କରାଯାଇଛି । ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ତାଙ୍କ ବାସଭବନରେ ଚା’ ପାର୍ଟିରେ ଭେଟି ପ୍ରଧାନମନ୍ତ୍ରୀ ଏବେ ଆଲୋଚନା କରୁଥିବା ବେଳେ ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।