– ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି
– ୨୪ କ୍ୟାବିନେଟ୍, ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ), ୨୪ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ
– ନମ୍ବର ଥ୍ରି ଅମିତ୍ ଶାହା
– ନୂଆ ଟିମ୍ ରେ ୬ ମହିଳା
– ମୋଦିଙ୍କ ବିିଶ୍ୱାସ ଜିଣିଲେ ପ୍ରତାପ ଷଡ଼ଙ୍ଗୀ
ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ଅତିଥିଙ୍କ ସମେତ ପ୍ରାୟ ୮ ହଜାର ବ୍ୟକ୍ତିଙ୍କ ଉପସ୍ଥିତିରେ ମୋଦି ତାଙ୍କର ଦ୍ୱିତୀୟ ପାଳି ଶାସନ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୋଦିଙ୍କ ଟିମ୍ ରେ ୨୪ କ୍ୟାବିନେଟ୍ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଏବଂ ୨୪ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ।
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କୁ ଏଥର ମୋଦିଙ୍କ ଟିମ୍ (ସରକାର)ରେ ଦେଖିବାକୁ ମିଳିଛି । ରାଜନାଥ ସିଂଙ୍କ ପରେ ତାଙ୍କ ନାଁ ରହିଛି । ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ୍ ଙ୍କ ଭଳି ହେଭିୱେଟ୍ ନିଜ ଇଚ୍ଛାରେ ମନ୍ତ୍ରୀପଦରୁ ଓହରିଯାଇଛନ୍ତି । ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ମୋଦି ତାଙ୍କ କ୍ୟାବିନେଟ୍ ରେ ସାମିଲ କରିଛନ୍ତି । ମୋଦିଙ୍କ ତାଙ୍କ ଟିମ୍ ରେ ୬ ମହିଳାଙ୍କୁ ସ୍ଥାନ ଦେଇଛନ୍ତି । ଓଡ଼ିଶାର ୨ ମୁହଁ ହୋଇଛନ୍ତି ମୋଦିଙ୍କ ପ୍ରିୟ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବଭଳି କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ପ୍ରଥମ ଥର ପାଇଁ ବାଲେଶ୍ୱର ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ମୋଦିଙ୍କ ପୁରୁଣା ଟିମ୍ ରେ ଥିବା ଜୁଏଲ୍ ଓରାମ୍ ଏଥର ବାଦ ପଡ଼ିଛନ୍ତି ।