ଭୁବନେଶ୍ୱର: ଆବାସ ଦୁର୍ନୀତି ନେଇ ଆଜି ସଂସଦରେ କମ୍ପିଲେ ଅପରାଜିତା ଷଡ଼ଙ୍ଗୀ । କାର୍ଯ୍ୟାନୁଷ୍ଠାନରେ ରାଜ୍ୟ ସରକାର ଟାଳଟୁଳ ନୀତି ଧରୁଥିବାରୁ ବାଧ୍ୟ ହୋଇ ପ୍ରସଙ୍ଗଟି ସଂସଦକୁ ଆଣିଲେ ବୋଲି ମିଡ଼ିଆକୁ କହିଛନ୍ତି । ତେବେ ଏହା ପଛର ମଜାଦାର କାହାଣୀ ସାମନାକୁ ଆସିଛି । ବେଗୁନିଆ ନିର୍ବାଚନମଣ୍ଡଳୀରେ ଆବାସ କେଳେଙ୍କାରୀର ମୁଖ୍ୟ ଖଳନାୟକ ଆଉ କେହି ନୁହଁନ୍ତି, ଖୋଦ୍ ସାଂସଦଙ୍କର ଖାସ୍ ସହଯୋଗୀ । ସେ ଗିରଫ ହୋଇସାରିଥିବାରୁ ଅପରାଜିତା ନିଜ ଦେହରୁ ତାଙ୍କ କଳଙ୍କ ଝାଡ଼ିବା ପାଇଁ ଏଭଳି ଅଭିନୟ କରିଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନମଣ୍ଡଳୀର ଗଡ଼ମାଣତୀର ପଞ୍ଚାୟତରେ ଆବାସ ଦୁର୍ନୀତି ହୋଇଥିବା ନେଇ କିଛି ଦିନ ତଳେ ଅଭିଯୋଗ ବାଢ଼ିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜିକାଲି ସାଂସଦଙ୍କର ଖାସ୍ ଲୋକ ପାଲଟିଥିବା ସେହି ଗାଁର ରାମଚଣ୍ଡୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶିଶିର ମଙ୍ଗରାଜଙ୍କ ଇସାରାରେ ସାଂସଦ ଏହି ଅଭିଯୋଗ ଆଣିଥିଲେ । ଶିଶିର ନିଜେ ଏହି ଜାଲରେ ପଡ଼ିଯିବେ ବୋଲି ବୋଧହୁଏ ସେତେବେଳେ ଭାବି ନ ଥିଲେ ।
ସାଂସଦ ଏ ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଜଣାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଜଣ ବରିଷ୍ଠ ଅଧିକାରୀ ଗଡ଼ମାଣତୀର ଯାଇ ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ବେଳେ ଆବାସ କେଳେଙ୍କାରୀର ମୁଖ୍ୟ ମାଷ୍ଟରମାଇଣ୍ଡ ଶିଶିର ମଙ୍ଗରାଜ ବୋଲି ଧରାପଡ଼ିଲା । ଶିଶିରଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଗଲା । ଏହି ଏତଲା ଆଧାରରେ ପୁଲିସ ଶିଶିରଙ୍କୁ ଗିରଫ କରି ଜେଲ୍ ପଠାଇଲା । ଗତକାଲି ଖୋର୍ଦ୍ଧା କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ।






