ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମୋଟ ୧୮ ଓଏଏସ୍ ଙ୍କ ବଦଳି ତାଲିକା ଆଜି ପ୍ରକାଶ ପାଇଛି ।
ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦୁଝର ପିଡ଼ି ଡିଆରଡ଼ିଏ ଉଦ୍ଧବ ଚରଣ ମାଝୀ ଯୋଜନା ଓ ସମନ୍ୱୟ ବିଭାଗକୁ ଆସିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ସେ କାର୍ଯ୍ୟ କରିବେ । ଇଡ଼କୋ ସିଜିଏମ୍ ଡ. ଗଣେଶ୍ୱର ଜେନା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି । ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ମହେଶ୍ୱର ପାଣିଗ୍ରାହୀଙ୍କୁ କେନ୍ଦୁଝର ପିଡ଼ି, ଡିଆରଡିଏ ପଦରେ ଅବସ୍ଥାପିତ କରାଯାଇଛି । କଟକର ଏଡିଏମ୍ ଶ୍ରୀକାନ୍ତ ତରାଇଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡର ସମ୍ପାଦକ ନିଯୁକ୍ତି ଦିଆଯାଇଛି । ଶିଳ୍ପ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଏଡ଼ିଏମ୍ ଭାବେ ବଦଳି କରାଯାଇଛି । ଓଡ଼ିଶା ଏସସି ଆଣ୍ଡ ଏସଟି ଡେଭେଲପମେଣ୍ଟ ଫାଇନାନସ୍ କୋଅପରେଟିଭ କର୍ପୋରେସନର ଜେନେରାଲ୍ ମ୍ୟାନେଜର ବାଳମୁକୁନ୍ଦ ଭୂୟାଁ ମାଲକାନଗିରି ପିଡ଼ି ଡିଆରଡିଏ ନିଯୁକ୍ତି ପାଇଛନ୍ତି । ଗଞ୍ଜାମ ଏଡ଼ିଏମ୍ ଲକ୍ଷ୍ମୀକାନ୍ତ ସେଠୀ ଶ୍ରମ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି । କଳାହାଣ୍ଡି ପିଡି, ଡିଆରଡିଏ ଜ୍ଞାନରଂଜନ ଭଞ୍ଜଦେଓଙ୍କୁ ଗଜପତି ଏଡ଼ିଏମ୍ ନିଯୁକ୍ତି ଦିଆଯାଇଛି ।
ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦଙ୍କୁ କଟକ ଏଡ଼ିଏମ୍ ଭାବେ ବଦଳି କରାଯାଇଛି । ଏସଏସ ଏବଂ ଇପିଡ଼ି ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର କଳାହାଣ୍ଡି ପିଡ଼ି,ଡିଆରଡିଏ ହୋଇଛନ୍ତି । ଫୁଲବାଣୀ ଉପଜିଲ୍ଲାପାଳ ଭାବେ ଦୋଳମଣି ପଟେଲଙ୍କର ବଦଳି ଆଦେଶକୁ ବାତିଲ କରାଯାଇ ତାଙ୍କୁ ପୂର୍ବଭଳି ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଉପବାଚସ୍ପତିଙ୍କର ବ୍ୟକ୍ତିଗତ ସଚିବ ରବୀନ୍ଦ୍ର କୁମାର ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଫେରାଇ ଦିଆଯାଇଛି । ପୂର୍ବପରି କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସଡି ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ସେହିଭଳି ଆଠଗଡ଼ ବିଡ଼ିଓ ଅଜାମ୍ବର ମହାନ୍ତିଙ୍କୁ ଢ଼େଙ୍କାନାଳ ଡିଆରଡିଏର ଏପିଡି(ପ୍ରଶାସନ) ଭାବେ ବଦଳି କରାଯାଇଛି । ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ସୁକିନ୍ଦାର ସ୍ୱତନ୍ତ୍ର ଏଲଏଓ ଭାବେ ପାରଳାଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ବେହେରାଙ୍କ ବଦଳିକୁ ବାତିଲ କରାଯାଇଛି । ତାଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ ନିଯୁକ୍ତି ଦିଆଯାଇଛି । ଧର୍ମଗଡ଼ ବିଡ଼ିଓ ଅଶୋକ କୁମାର ଭୋଇଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ପାରଳାଖେମୁଣ୍ଡି ଆଇଟିଡିଏ ପିଏ ଶେଷଦେବ ମିଶ୍ରଙ୍କୁ ପାରଳଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବିଡ଼ିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଫୁଲବାଣୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।