ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ କାଳିଆ ଯୋଜନାର ମିଶ୍ରଣ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇସାରିଛି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ରାଜ୍ୟ ସରକାର ଚୁପ୍ ରହିଥିଲେ । ଆଜି ସାମ୍ବାଦିକମାନେ ଘେରିବା ପରେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପାଟି ଖୋଲିଛନ୍ତି । ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣକୁ ମନ୍ତ୍ରୀ ହଁ କରିବା ସହ କାଳିଆ ଯୋଜନା ଚାଲୁ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏହାର ଅଙ୍କ ବତାଇନାହାନ୍ତି ଅରୁଣ ।
ଆନ୍ଧ୍ରପ୍ରଦେଶର ‘ଅନ୍ନଦାତା ସୁଖିଭବ’ ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ସହିତ ଯେଭଳି ବିଲୟ କରାଯାଇଛି, ସେହି ଢ଼ାଞ୍ଚାରେ ‘କାଳିଆ’ ଯୋଜନାକୁ ବିଲୟ କରିବାକୁ ରାଜ୍ୟ ସରକାର ଚାହୁଁଥିବା କୃଷିମନ୍ତ୍ରୀ ହାଲକା ସୂଚନା ଦେଇଛନ୍ତି ।
କାଳିଆ ଯୋଜନାରେ ଚାଷୀ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଇବାର ଯେଉଁ ବ୍ୟବସ୍ଥା ଅଛି କିଷାନ ସହ କାଳିଆର ମିଶ୍ରଣ ପରେ ଚାଷୀଙ୍କୁ ସେହି ୧୦ ହଜାର ଟଙ୍କା ସହାୟତା ମିଳିବାର ବ୍ୟବସ୍ଥା କରାଯାଉଛି । ସୁତରାଂ କାଳିଆ ଯୋଜନାକୁ ନେଇ ଚାଷୀଙ୍କ ମନରେ ଯେଭଳି ଦ୍ୱନ୍ଦ ନ ରହେ ସେଥିପାଇଁ କୃଷିମନ୍ତ୍ରୀ ଚାଲାକ ହୋଇ ପଦେ ଦିପଦ ପ୍ରାଞ୍ଜଳ ଉତ୍ତର ଦେଇଛନ୍ତି । କେନ୍ଦ୍ର-ରାଜ୍ୟ ଭାଗମାପର ଗଣିତ ଚାଷୀଙ୍କ ମୁଣ୍ଡରେ ପୂରାଇବାକୁ ଚାହିଁନାହାନ୍ତି ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ଥିବା ବେଳେ କାଳିଆ ଯୋଜନାରେ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଘୋଷଣା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହା ପୃଥକ୍ ଯୋଜନା ହୋଇଥିବାରୁ ଓଡ଼ିଶାର ଚାଷୀ ବର୍ଷକୁ ୧୬ ହଜାର ଟଙ୍କା ପାଇଥାଆନ୍ତେ । ମାତ୍ର କିଷାନରେ କାଳିଆ ବିଲୟ ହେବାର ନୂଆ ବ୍ୟବସ୍ଥାରେ ଚାଷୀଙ୍କୁ ସର୍ବମୋଟ ୧୦ ହଜାର ଟଙ୍କା ମିଳିବ । ସେଥିରୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଏବଂ ରାଜ୍ୟ ସରକାର ୪ ହଜାର ଟଙ୍କା ଦେବେ । ଏହି ପାଇଁ ଉଭୟ କେନ୍ଦ୍ର୍ର ଓ ରାଜ୍ୟ ସରକାର ସମ୍ମତି ଦେଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ପିଏମ୍ କିଷାନ ଯୋଜନାରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ଯାହା କି ‘କାଳିଆ’ରେ ଅଛି । ‘କାଳିଆ’ରେ ଏହି ଭୂମିହୀନ ଚାଷୀଙ୍କ ପାଇଁ ବାର୍ଷିକ ୧୨,୫୦୦ ଟଙ୍କାର ସହାୟତା ବ୍ୟବସ୍ଥା ଥିଲା । ନୂଆ ବ୍ୟବସ୍ଥାରେ ଏହି ଭୂମିହୀନ ଚାଷୀ ବଞ୍ଚିତ ହେବେ ନାହିଁ । ସେମାନଙ୍କୁ ପୂର୍ବଭଳି ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ରାଜ୍ୟ ସରକାରଙ୍କ ଏହି ମିଶ୍ରଣ ପ୍ରସ୍ତାବରେ କେନ୍ଦ୍ର ସରକାର ମୋହର ମାରିଥିବା ଜଣାପଡ଼ିଛି ।
ସ୍ମରଣଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଚାଷୀକୂଳଙ୍କ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଘୋଷଣା କରିଥିଲେ । ପରେ ପରେ କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନା ଘୋଷଣା କରିଥିଲେ । ଏହି ଦୁଇଟି ଯୋଜନାକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଜେଡ଼ି ତାର ନିର୍ବାଚନୀ ପ୍ରଚାରରେ ‘କାଳିଆ’ କୁ ମୁଖ୍ୟ ଅସ୍ତ୍ର କରିଥିଲା ବେଳେ ‘କାଳିଆ’ ନାଁରେ ଚାଷୀଙ୍କୁ ଟଙ୍କା ଦେଇ ବିଜେଡ଼ି ଭୋଟ ହାତେଇବାକୁ ଉଦ୍ୟମ କରୁଛି ବୋଲି ବିରୋଧୀ ଦଳ ତମ୍ବିତୋଫାନ କରିଥିଲେ । ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ରାଜ୍ୟ ବିଜେଡ଼ି ସହ କେନ୍ଦ୍ର ବିଜେପିର ସମ୍ପର୍କ ବଢ଼ିଯାଇଛି । ଏହି ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୁଇ ବୃହତ୍ତ ଯୋଜନାର ମିଶ୍ରଣକୁ ନେଇ ବୁଝାମଣା ହୋଇଥିବା କୁହାଯାଉଛି ।
ତେବେ ରାଜ୍ୟ ସରକାରଙ୍କର ‘କାଳିଆ’ ଆଭିମୁଖ୍ୟକୁ ଉଭୟ କଂଗ୍ରେସ ଓ ରାଜ୍ୟ ବିଜେପି ନେତାମାନେ ସମାଲୋଚନା କରିଛନ୍ତି । ନବନିର୍ମାଣ କୃଷକ ସଂଗଠନ ଏହି ପ୍ରସଙ୍ଗରେ ଆନ୍ଦୋଳନର ଡାକରା ଦେଇଛି ।