ଭୁବନେଶ୍ୱର: ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜାଣିନାହାନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା । ନିଆଁରେ ପୋଡ଼ି ଯାଇଥିବା ସୌମ୍ୟରଞ୍ଜନଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲ୍ ଅଣାଯାଇଥିବା ବେଳେ ସେ ହସ୍ପିଟାଲ୍ ବାରଣ୍ଡାରେ ପ୍ରଥମ ଥର ପାଇଁ କୁଆଡ଼େ ବିଦ୍ୟାଭାରତୀଙ୍କୁ ଦେଖିଥିଲେ । ଅତଏବ ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତିକୁ ତଦନ୍ତକାରୀ ପୁଲିସ ଆଗରେ ସିଧା ସିଧା ଫାଙ୍କି ଦେଇଛନ୍ତି ଡିଏଫଓ ।
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୧୧ ଦିନ ପରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପୁଲିସ ଆଜି ଦୀର୍ଘ ସାଢ଼େ ୩ ଘଣ୍ଟା କାଳ ଜେରା କରିଥିଲା । ଏଇ ଡିଏଫଓ ହେଉଛନ୍ତି ମାମଲାର ଅଭିଯୁକ୍ତ ନଂ-୨ । ସୌମ୍ୟଙ୍କ ମୃତ୍ୟୁର ପରଦିନ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବାବୁ ଓ ରୋଷେୟା ମନ୍ମଥଙ୍କ ବିରୋଧରେ ତାଙ୍କ ବାପା ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଣି ପୁଲିସରେ ଏତଲା ଦେଇଥିଲେ । ସୌମ୍ୟ ମୃତ୍ୟୁ ପରଠାରୁ ଡିଏଫଓ ଅଫିସ ଆସିବା ବନ୍ଦ କରିଦେଇଥିଲେ । ତାଙ୍କ ସରକାରୀ ବାସଭବନରେ ବି ନ ଥିଲେ । ମାତ୍ର ଆଜି ଏହି ଅଭିଯୁକ୍ତ ଡିଏଫଓଙ୍କୁ ପୁଲିସ ସୁରକ୍ଷା ବଳୟରେ ତାଙ୍କ ନିଜ ଅଫିସ୍ କୁ ନେଇ ପଚରାଉଚୁରା କରିଥିଲା ।
କେବଳ ଡିଏଫଓ ନୁହଁନ୍ତି ଘଟଣାଦିନ ସୌମ୍ୟରଞ୍ଜନଙ୍କ ଆମ୍ବୁଲାନସକୁ ବାଟରେ ଅଟକାଇଥିବା ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ତଥା ଗୁରାଣ୍ଡି ଥାନା ଆଇଆଇସି ମମତା ପଣ୍ଡା ଏବଂ ଆମ୍ବୁଲାନସ୍ ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇଥିଲା ।
ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ ତଦନ୍ତରୁ ଏହା ସ୍ପଷ୍ଟ ଯେ ସୌମ୍ୟ ଓ ପତ୍ନୀ ବିଦ୍ୟାଙ୍କ ମଧ୍ୟରେ ସମ୍ପର୍କ ବିଲକୁଲ ଭଲ ନ ଥିଲା । କାରଣ ପୂର୍ବରୁ ଜବତ ହୋଇଥିବା ବିଦ୍ୟାଙ୍କ ଡାଏରୀ ଓ ଆଜି ଜବତ ହୋଇଥିବା ସୌମ୍ୟଙ୍କ ଡାଏରୀ ସେମାନଙ୍କ ସମ୍ପର୍କର ପେଡି ଖୋଲିଦେଇଛି । ସୌମ୍ୟଙ୍କୁ ବିଦ୍ୟା ଅତ୍ୟନ୍ତ ଘୃଣା କରୁଥିଲେ ଏବଂ ତାଙ୍କଠାରୁ ମୁକ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଅପରପକ୍ଷରେ ବିଦ୍ୟାଙ୍କୁ ସୌମ୍ୟ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ ଚାକିରି ଛାଡ଼ିଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।
ଯାହା ହେଉ ନା କାହିଁକି, ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ କଳାବାଦଲ ଘୋଟି ସାରିଥିଲା ଯାହା ଏବେ ସ୍ପଷ୍ଟ । ତେବେ କିଏ ସେହି କଳାବାଦଲ ତାହା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ନିର୍ଦ୍ଦିଷ୍ଟ ଭାବେ ଜୁଲାଇ ୧୨ରୁ ୧୫ ତାରିଖ କଳାଦିନ ବୋଲି ସେମାନଙ୍କ ଡାଏରୀରେ ଲେଖା ହେବା ଏବଂ ୧୨ ତାରିଖ ରାତିରେ ସୌମ୍ୟ ନିଆଁରେ ପୋଡି ହୋଇ ମରିବାକୁ କେହି ମାମୁଲି ଭାବେ ଗ୍ରହଣ କରିପାରୁନାହାନ୍ତି ।
ଏହି ସମଗ୍ର ମାମଲାରେ ସମସ୍ତଙ୍କ ମନକୁ କେତୋଟି ପ୍ରଶ୍ନ ଆନ୍ଦୋଳିତ କରୁଛି । ଆଶା, ପୁଲିସ ଏ ଦିଗ ଗୁଡ଼ିକୁ ଧ୍ୟାନ ଦେବ ।
- ସୌମ୍ୟରଞ୍ଜନ ଜଳୁଥିବା ବେଳେ ବିଦ୍ୟାଭାରତୀ କରୁଥିଲେ କ’ଣ? କାରଣ ରୋଷେୟା ମନ୍ମଥ କହୁଛନ୍ତି, ସେ ଚିକ୍ରାର ଶୁଣି ସେଠାକୁ ଦୌଡ଼ି ଆସିଥିଲେ ଏବଂ ସୌମ୍ୟଙ୍କୁ ଜଳୁଥିବା ଦେଖି ବାଥରୁମ୍ ରୁ ପାଣି ଆଣି ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ପାଖରେ ବିଦ୍ୟା ଥିଲେ ମଧ୍ୟ ନିଆଁ ଲିଭାଇବା ବଦଳରେ ଚିତ୍କାର କରୁଥିଲେ । ରୋଷେୟାଙ୍କ ବୟାନ ସତ ହୋଇଥିଲେ ବିଦ୍ୟାଙ୍କ ଉପରେ ସନ୍ଦେହ ଆସିବା ସ୍ୱାଭାବିକ । ପୁଲିସ ଏ ଦିଗକୁ ଯାଇଛି ତ? ଅନ୍ୟପକ୍ଷରେ ବିଦ୍ୟାଙ୍କ ଚିତ୍କାର ଯଦି ରୋଷେୟାଙ୍କୁ ଶୁଭିଲା, ପାଖ ପଡୋଶୀଙ୍କୁ ଶୁଭିଲାନି କେମିତି?
- ରୋଷେୟାଙ୍କ କହିବାନୁଯାୟୀ ସୌମ୍ୟ ପୋଡ଼ି ହେଲା ବେଳେ ତାଙ୍କ ପାଟିରୁ କଥା ବାହାରୁ ନ ଥିଲା । ତେବେ କ’ଣ ସୌମ୍ୟ ନିଶାଶକ୍ତ ଅବସ୍ଥାରେ ପୋଡ଼ିଗଲେ ନା ଆଉ କିଛି?
- ୮୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇଥିବା ଜଣେ ଗୁରୁତର ବ୍ୟକ୍ତିଙ୍କୁ କେଉଁଠିକୁ ନେବାକୁ ପାରଳାଖେମୁଣ୍ଡି ଡାକ୍ତର ରେଫର୍ କରିଥିଲେ? କଟକ ବଡ଼ ଡାକ୍ତରଖାନା ନା ଆଉ କେଉଁଠିିକୁ?
- ପାରଳାଖେମୁଣ୍ଡି ଡାକ୍ତରଖାନାରେ ସୌମ୍ୟଙ୍କୁ ରାତି ୯.୪୫ ରେ ଭର୍ତ୍ତି କରାଗଲା । ମାତ୍ର ସେଠାରୁ କଟକ ଛାଡ଼ିଲା ବେଳକୁ ରାତି ସାଢ଼େ ୧୧ ଟା ପରେ ହୋଇଯାଇଥିଲା । ଏଭଳି ଜଣେ ଗୁରୁତର ବ୍ୟକ୍ତିଙ୍କୁ ଏତେ ସମୟ ଯାଏଁ ସେଠାରେ ପକାଇ ରଖାଗଲା କାହିଁକି? ପୁଣି ଗୁରୁତର ପୋଡି ହୋଇଯାଇଥିବା ଏସିଏଫ୍ ରାଙ୍କ୍ ର ଜଣେ ଉଚ୍ଚ ଅଧିକାରୀଙ୍କୁ ଲାଇଫ୍ ସପୋର୍ଟ ବ୍ୟବସ୍ଥା ଥିବା ଆମ୍ବୁଲାସ୍ ଯୋଗେ କଟକ ଅଣା ନ ଯାଇ ୧୦୮ ଆମ୍ବୁଲାନସ୍ ରେ ଅଣାଗଲା କାହିଁକି?
- ପାରଳାଖେମୁଣ୍ଡି ଡାକ୍ତରଖାନାରେ ନା ବାଟରେ ନା କଟକ ମେଡ଼ିକାଲ୍ ରେ ସୌମ୍ୟଙ୍କର ମୃତ୍ୟୁ ହେଲା? ଯଦି ପାରଳାଖେମୁଣ୍ଡିରେ ମରିଛନ୍ତି, କଟକ ପଠାଗଲା କାହିଁକି? ଆଉ ଯଦି କଟକରେ ମୃତ୍ୟୁ ହେଲା ସେଠାରେ ପୋଷ୍ଟମର୍ଟମ କରାଗଲା ନାହିଁ କାହିଁକି?
- ସୌମ୍ୟ ତାଙ୍କ ସରକାରୀ ବାସଭବନରେ ଜଳିଥିଲେ ମଧ୍ୟ ପାଖରେ ଥିବା ପତ୍ନୀ କିମ୍ବା ତାଙ୍କ ଉପରିସ୍ଥ ଅଧିକାରୀ ପୁଲିସରେ ଏତଲା ଦେଇଥିଲେ କି? ଯଦି ଦେଇନାହାନ୍ତି, କାହିଁକି?
- ସୌମ୍ୟ ନିଆଁରେ ପୋଡ଼ି ହେଲା ପରେ ତାଙ୍କର କ୍ୱାର୍ଟର୍ସ ଚାବି କିଏ କାହାକୁ ଦେଇଥିଲେ?
- ଜୁଲାଇ ୧ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ବିଦ୍ୟାଭାରତୀ ଫୋନ୍ ରେ କାହା କାହା ସାଙ୍ଗରେ କଥା ହୋଇଥିଲେ ତାହାର କଲ୍ ରେକର୍ଡ ଯାଞ୍ଚ କରାଗଲାଣି କି?
- ସୁରକ୍ଷା ପାଇଁ ଡିଏଫଓଙ୍କ ବାସଭବନର ଗୋଟିଏ ବଡ଼ ଗେଟ୍ ଥିଲେ ବି ପଛପଟେ କମ୍ ଉଚ୍ଚତାର ଆଉ ଗୋଟେ ଗେଟ୍ କେବେ ଖୋଲାଗଲା? କେଉଁ ପରିସ୍ଥିତିରେ ଏହାର ଆବଶ୍ୟକତା ପଡ଼ିଲା । ଗେଟ୍ ଖୋଲିବା ବାବଦରେ ଅର୍ଥ କେଉଁ ସ୍କିମ୍ ରୁ ଖର୍ଚ୍ଚ କରାଯାଇଥିଲା?
- ବିଦ୍ୟାଭାରତୀ ବଲାଙ୍ଗୀର ଯାଇଥିବା ବେଳେ ବ୍ୟବହାର କରିଥିବା କାର୍ ଟି କାହାର ଓ କିଏ ତାହାକୁ ଡ୍ରାଇଭିଂ କରୁଥିଲେ?
- ଡିଏଫଓଙ୍କ ରୋଷେୟାକୁ ପଚରାଯାଇଛି କି କେଉଁ ଦିନ ଡିଏଫଓ ବିଦ୍ୟାଭାରତୀଙ୍କ ଘରେ ଖାଆନ୍ତି କିମ୍ବା ବିଦ୍ୟାଭାରତୀ ରୋଷେଇ କରି ଡିଏଫଓଙ୍କ ପାଖକୁ ପଠାନ୍ତି ନା ନାହିଁ?
- ବିଦ୍ୟାଭାରତୀ ଭୁବନେଶ୍ୱର କିମ୍ବା ତାଙ୍କ ବାପଘର ମୟୁରଭଞ୍ଜ ଯିବା ବେଳେ କେଉଁ ଗାଡ଼ିରେ ଯାଆନ୍ତି? ଡିଏଫଓଙ୍କ ଗାଡ଼ିରେ କେବେ ଯାଇଛନ୍ତି ନା ନାହିଁ?
- ଡିଏଫଓଙ୍କ ସରକାରୀ ବାସଭବନରେ କାମ କରୁଥିବା କର୍ମଚାରୀଙ୍କୁ ବିଦ୍ୟାଭାରତୀଙ୍କ ବିଷୟରେ ପଚରାଗଲାଣି କି?
- ଡିଏଫଓଙ୍କ ସହ ବିଦ୍ୟାଭାରତୀ ବାପାଙ୍କ ସମ୍ପର୍କ ଥିଲା ନା ନାହିଁ?
- ଡିଏଫଓଙ୍କୁ ୩୬ ବର୍ଷ ହୋଇଥିଲେ ବି କାହିଁକି ଏ ପର୍ଯ୍ୟନ୍ତ ବାହା ହୋଇନାହାନ୍ତି? ପୁଲିସ ଏହାର ବି ଛାନଭିନ୍ କଲେଣି କି?