ଭୁୁବନେଶ୍ୱର: ଅତୀତରେ ଓଲିଉଡ୍ ର ଚର୍ଚ୍ଚିତ ଅଭିନେତା ପପୁ ପମ୍ ପମ୍ ଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ୍ ମାମଲାଟି ମିଛ । ଏଥିରେ କୌଣସି ସତ୍ୟତା ନ ଥିବାରୁ କୋର୍ଟ ତାଙ୍କୁ ନିଦେ୍ର୍ଦାଷ ସାବ୍ୟସ୍ତ କରିଛନ୍ତି । ଆଜି କୋର୍ଟଙ୍କ ରାୟ ଆସିବା ପରେ ପପୁଙ୍କ ଆଖିରୁ ଆନନ୍ଦର ଲୁହ ବୋହିଛି । ଅକାରଣରେ ୪୩ ଦିନ ଜେଲଦଣ୍ଡ ସହ ୬ ବର୍ଷ ଧରି ସାଂଘାତିକ କଷ୍ଟ ଓ ନିର୍ଯ୍ୟାତନା ପାଇଥିବା ପପୁ ତାଙ୍କ ମନର କୋହ ଗଣମାଧ୍ୟମକୁ ଜଣାଇଛନ୍ତି । ବଡ଼କଥା ହେଲା, ତାଙ୍କର ଏହି ଅବସ୍ଥା ପାଇଁ ପପୁ ମିଡିଆକୁ ଅନେକାଂଶରେ ଦାୟୀ କରିବା ସହ ଚାନେଲ୍ ବାଲାଙ୍କର ବ୍ୟାଣ୍ଡ ବଜେଇ ଦେଇଛନ୍ତି ।
ବିଭିନ୍ନ ଚାନେଲ୍ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ଦେଇ ପପୁ କହିଛନ୍ତି, କାଷ୍ଟିଂ କାଉଚ୍ କେବଳ ଫିଲ୍ମରେ ହେଉନାହିଁ । ମିଡିଆରେ ଏହା ବେଶୀ ହେଉଛି । ତେବେ ନିଜ କଥା ହୋଇଥିବାରୁ ତାହା ଜନସାଧାରଣଙ୍କ ଦୃଷ୍ଟିକୁ ଅଣାଯାଉନାହିଁ । ସେ କହିଛନ୍ତି, ମୋ କେସ୍ ବେଳେ ଟିଭି ଚାନେଲ୍ ଗୁଡ଼ିକ ସତ୍ୟର ଅନୁସନ୍ଧାନ ନ କରି ମୋତେ ବଦନାମ କରିବାରେ ଲାଗିପଡ଼ିଥିଲେ । ମୋ ବିରୋଧରେ କିଏ ଭଲ ବାଇଟ୍ ଦେଇପାରିବ ସେଭଳି ଲୋକ ଯୋଗାଡ଼ କରୁଥିଲେ । ଚାନେଲ୍ ର ଦର୍ଶକ ବଢ଼ାଇବା ଏବଂ ଚାନେଲ୍ କୁ ଚର୍ଚ୍ଚାରେ ରଖିବା ପାଇଁ ହଜାରେ ମିଛ କଥା ଯୋଡି ଖବର କରାଯାଇଥିଲା ବୋଲି ପପୁ ନିଜ ବିଷୋଦଗାରରେ କହିଛନ୍ତି ।
ମିଡିଆ ଉପରେ ରାଗିଯାଇଥିବା ପପୁ ପମ୍ ପମ୍ ଚାନେଲ୍ ଗୁଡ଼ିକ କେଉଁ ସ୍ତରକୁ ଯାଇପାରନ୍ତି ତାହା ଟୁଙ୍ଗୁରୁ ଭୋଳର ଉଦାହରଣରେ ବୁଝାଇ ଦେଇଛନ୍ତି । ମାସ ମାସ ଧରି ଟୁଙ୍ଗୁରୁ ଭୋଳର ଖବର ବାଜୁଛି । ଏବେ ଯୁଆଡ଼େ ଦେଖିବ ବାବୁସାନ୍- ପ୍ରକୃତି ମିଶ୍ର ଖବର । ସେମାନଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ନେଇ ଦିନ ଦିନ ଧରି ଲଗାତର ଖବର କରାଯାଉଛି । ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଖବର ଆଗରେ ବାବୁସାନ ଖବରର ଗୁରୁତ୍ୱ କେମିତି ଅଧିକ ହୋଇଗଲା ବୋଲି ପପୁ ପ୍ରଶ୍ନ କରିଛନ୍ତି ।
ସବାଶେଷରେ ମିଡିଆକୁ ଏଥିକ୍ସର ପାଠ ପଢ଼ାଇଛନ୍ତି ଅଭିନେତା ପପୁ । ଆପଣମାନେ ଏଥିକ୍ସ ରଖନ୍ତୁ, ଭଲ ଖବର କରନ୍ତୁ । କୁଆକୁ ଛୁଆ କରନ୍ତୁ ନାହିଁ ବୋଲି ପପୁ ପରାମର୍ଶ ଦେଇଛନ୍ତି । ପବ୍ଲିକ୍ ସବୁ ଜାଣନ୍ତି ବୋଲି ସେ କହିଛନ୍ତି ।
ସୂଚନାଥାଉକି, ଟିଭି ଏବଂ ୟୁଟୁ୍ୟବ୍ ଚାନେଲ୍ ରେ ଏଇ କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଭୋଳ ଏବଂ ଏବେ ବାବୁସାନ୍ ଖବରର ବହୁଳ ମାତ୍ରାରେ ପ୍ରସାରଣକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ବାବୁସାନ୍ ଙ୍କ ପିଛା ଛାଡୁ ନ ଥିବା ମିଡିଆକୁ ଦୁଇଦିନ ତଳେ ତାଙ୍କ ମାଆ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତାରେ କାକୁତି ହୋଇଥିଲେ । ତାଙ୍କ ପରିବାରକୁ ଟିକେ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି କୋହଭରା କଣ୍ଠରେ ଅନୁରୋଧ କରିଥିଲେ ।