ଭୁୁବନେଶ୍ୱର: ମୃତ୍ୟୁ ସହ ସଂଘର୍ଷ କରୁଥିବା ଅଭିନେତା ପିଣ୍ଟୁ ନନ୍ଦ ଶେଷରେ ହାରିଗଲେ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍ ରେ ଗତକାଲି ରାତି ୧୧ଟା ୨୫ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ମାତ୍ର ୪୭ ବର୍ଷ ହୋଇଥିଲା ।
ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ଲିଭର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଲିଭର୍ ପ୍ଲାଣ୍ଟେସନ୍ ଉଦ୍ଦେଶ୍ୟରେ ତାଙ୍କୁ ଦିଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଲିଭର୍ ଆଣ୍ଡ ବିଲିୟାରୀ ସାଇନସ୍ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଅର୍ଗାନ୍ ଡୋନର୍ ନ ମିଳିବାରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା ।
ଗତକାଲି ଅପରାହ୍ନରେ ହସ୍ପିଟାଲ୍ ପକ୍ଷରୁ ଏକ ବୁଲେଟିନ୍ ଜରିଆରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଇଥିଲା । ଅର୍ଗାନ୍ ଟ୍ରାନସପ୍ଲାଣ୍ଟ ପାଇଁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ମଧ୍ୟ ସୂଚାଇ ଦିଆଯାଇଥିଲା । ପିଣ୍ଟୁଙ୍କ ଜୀବନ ବଞ୍ଚାଇବା ପାଇଁ ଓଲିଉଡ୍ ଜଗତ ସମେତ ବହୁ ଶୁଭେଚ୍ଛୁ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ । ମାତ୍ର ସବୁ ଉଦ୍ୟମ ବ୍ୟର୍ଥ ହୋଇଛି ।
ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଆଜି ହାଇଦ୍ରାବାଦରୁ ତାଙ୍କର ଶବ ଭୁବନେଶ୍ୱର ଅଣାଯାଇ ଏଠାରେ ସକ୍ରାର କରାହେବ ବୋଲି ଜଣାପଡ଼ିଛି ।