ଭୁବନେଶ୍ୱର: ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ ଦଳ ଛାଡ଼ିବାର କାରଣ ଉଲ୍ଲେଖ କରିନାହାନ୍ତି । ବରଂ ଦୀର୍ଘ ୨୫ ବର୍ଷ କାଳ କଂଗ୍ରେସରେ ରହି ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।
୨୦୧୯ ନିର୍ବାଚନରେ ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଟାଣୁଆ ବିଧାୟକ ଭାବରେ ତାଙ୍କର ପରିଚୟ ଅଛି ।
ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।