ଭୁୁବନେଶ୍ୱର: କ୍ୟାନସର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରି ଆସୁଥିବା ‘କୋଣାର୍କ କ୍ୟାନସର ଫାେଉଣ୍ଡେସନ’ ଆଉ ଏକ ମହତ୍ କାର୍ଯ୍ୟ ହାତକୁ ନେଇଛି । ବର୍ତ୍ତମାନ ସମୟରେ ଓଡ଼ିଶାର ରକ୍ତଭଣ୍ଡାର ଗୁଡ଼ିକରେ ଦେଖାଯାଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ ନୂଆ ଉଦ୍ୟମ ଆରମ୍ଭ କରାଯାଇଛି । ରକ୍ତ ବିନା କାହାରି ଜୀବନ ଯେଭଳି ବିପଦରେ ନ ପଡ଼େ ଏହାକୁ ଦୃଷ୍ଟିରେ ରଖି “ଅମୃତ ବିନ୍ଦୁ” ନାମରେ ରକ୍ତ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ ହୋଇଛି ।
‘କୋଣାର୍କ କ୍ୟାନସର ଫାେଉଣ୍ଡେସନ’ ପକ୍ଷରୁ ପ୍ରଥମ ରକ୍ତଦାନ ଶିବିର “ଅମୃତ ବିନ୍ଦୁ” ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ରୋଟାରୀ ଭବନଠାରେ ଆୟୋଜିତ ହୋଇଥିଲା । ଖ୍ୟାତାନାମା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ୧୭୧ ଥର ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଥିବା ଗୋପୀ ମୋହନ ପଟ୍ଟନାୟକ ଏବଂ କ୍ୟାନସର ଫାଉଣ୍ଡେସନ ସଦସ୍ୟ ଶିବ ନାରାୟଣ ପଟ୍ଟନାୟକ ମିଳିତ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ ।
ରାଜଧାନୀ ରକ୍ତଭଣ୍ଡାର ଅଧିକାରୀ ଏବଂ ତାଙ୍କ ଟିମ୍ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ । ଶିବିରକୁ କୋଣାର୍କ କ୍ୟାନସର୍ ଫାଉଣ୍ଡେସନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ । ଉକ୍ତ ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଓଡ଼ିଶାରେ ପ୍ରତିବର୍ଷ ଆବଶ୍ୟକୀୟ ପାଖାପାଖି ୫ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାରୁ ଏହାର ଅଭାବ ପୂରଣ କରିବା ଦିଗରେ “ଅମୃତ ବିନ୍ଦୁ’ ନିରନ୍ତର ଭାବେ ରାଜ୍ୟବ୍ୟାପୀ କାର୍ଯ୍ୟ କରିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, କ୍ୟାନସର ପୀଡ଼ିତ ରୋଗୀଙ୍କୁ ଚିକିତ୍ସାରେ ସହଯୋଗ କ୍ଷେତ୍ରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କୋଣାର୍କ କ୍ୟାନସର ଫାଉଣ୍ଡେସନ’ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହି ଅନୁଷ୍ଠାନ କ୍ୟାନସରରେ ପୀଡ଼ିତ ଅସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସହ ସେମାନଙ୍କୁ ଆର୍ଥିକ ଓ ମାନସିକ ସହାୟତା ପ୍ରଦାନ କରିଆସୁଛି । ଓଡ଼ିଶାର କ୍ୟାନସର ରୋଗୀଙ୍କୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନରେ ସବୁ ପ୍ରକାର ସହଯୋଗ କରାଯାଉଛି । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କରୁଛି ।