ଭୁବନେଶ୍ୱର: ଏକ ନିପଟ ମଫସଲ ଗାଁରେ ଜନ୍ମିତ ବାପା-ମା ଛେଉଣ୍ଡ ୨୪ ବର୍ଷର ଯୁବକ ଅନିମେଶ ପ୍ରଧାନ । ଜଣେ ମେଧାବୀ ଛାତ୍ର ପାଇଁ ସବୁଠାରୁ କଠିନ କୁହାଯାଉଥିବା ଆଇଏଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ରାଉରକେଲା ଏନଆଇଟିରୁ କମ୍ପ୍ୟୁଟର ସାଇନସ୍ ରେ ବି.ଟେକ୍ କରିଥିବା ଅନିମେଶ ପ୍ରଥମ ଉଦ୍ୟମରେ ହିଁ ଏତେ ବଡ଼ ସଫଳତା ପାଇଛନ୍ତି । ତାହା ପୁଣି ବିନା କୋଚିଂରେ । ଅନିମେଶଙ୍କ ଏହି ସଫଳତାରେ ସାରା ଓଡ଼ିଶାବାସୀ ଆଜି ଗର୍ବିତ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଅନିମେଶଙ୍କ ଏହି ସଫଳ ଯାତ୍ରା ପଛରେ ରହିଛି ବିରାଟ ସଂଘର୍ଷ କାହାଣୀ । ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଭାଲୁଗାଡ଼ିଆ ଗାଁରେ ତାଙ୍କର ଜନ୍ମ । ପ୍ରଭାକର ପ୍ରଧାନ ଓ ଅରୁଣା ପାତ୍ରଙ୍କର ପୁଅ । ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ଏମସିଏଲ୍ ଡିଏଭି ପବ୍ଲିକ୍ ସ୍କୁଲରୁ ଦ୍ୱାଦଶ ଶ୍ରେଣୀରେ ୯୮.୮% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୨୧ ମସିହାରେ ରାଉରକେଲା ଏନଆଇଟିରୁ କମ୍ପ୍ୟୁଟର ସାଇନସ୍ ରେ ବି. ଟେକ୍ ପାସ୍ କରିଥିଲେ । ଏହାପରଠୁ ସେ ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(ଆଇଓସିଏଲ୍) ରେ ଇନଫରମେସନ୍ ସିଷ୍ଟମ୍ ଅଫିସର ଭାବେ ଚାକିରି କରୁଛନ୍ତି ।
ତେବେ ସେଥିରେ ତାଙ୍କର କ୍ୟାରିୟର୍ ଅଟକି ଯାଇ ନ ଥିଲା । ଆଇଏଏସ୍ ହେବାକୁ ସ୍ୱପ୍ନ ଦେଖି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ବିନା କୋଚିଂରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଶପଥ ନେଇଥିଲେ । ମାତ୍ର ଏହି ସମୟରେ ତାଙ୍କ ପାରିବାରିକ ଜୀବନକୁ ମାଡ଼ି ଆସିଥିଲା ଘୋର ଦୁର୍ଦ୍ଦଶା । ବାପା ଛେଉଣ୍ଡ ଅନିମେଶଙ୍କ ମା’ କ୍ୟାନସର୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଏହା ତାଙ୍କୁ ଭୀଷଣ କଷ୍ଟ ଓ ବିଚଳିତ କରିଥିଲେ ମଧ୍ୟ ସେଥିରେ ଭାଙ୍ଗି ପଡ଼ି ନ ଥିଲେ କି ଲକ୍ଷ୍ୟପଥରୁ ଓହରି ଯାଇ ନ ଥିଲେ । ମା’ ଙ୍କ ଟ୍ରିଟମେଣ୍ଟ ଚାଲିଥିବା ବେଳେ ସେ ୟୁପିଏସସି ପରୀକ୍ଷା ଦେଉଥିଲେ ।
ମାତ୍ର ଆଜି ତାଙ୍କର ଏହି ବିରାଟ ସଫଳତା ଦେଖିବାକୁ ମା’ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଗତମାସରେ ଆଖି ବୁଜିଦେଇଛନ୍ତି । ଏହା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ବୋଲି କହିଛନ୍ତି ଅନିମେଶ । ମା’ ଙ୍କୁ ମନେ ପକେଇ କହିଛନ୍ତି, ସେ ଆଜି ନାହାନ୍ତି ସତ, କିନ୍ତୁ ଆଜି ଯାହା ବି ହୋଇଛି ତାହା କେବଳ ମା’ ଙ୍କ ଯୋଗୁଁ । ସେ ହିଁ ତାଙ୍କର ପ୍ରେରଣା ବୋଲି ଅନିମେଶ କହିଛନ୍ତି ।
ପୂର୍ବରୁ ସେ ସ୍କୁଲରେ ପଢ଼ୁଥିବା ବେଳେ ୨୦୧୭ ମସିହାରେ ତାଙ୍କ ବାପା ପ୍ରଭାକର ପ୍ରଧାନ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ଭଉଣୀ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗରେ ଚାକିରି କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ଭଉଣୀଙ୍କ ପ୍ରେରଣାକୁ ମଧ୍ୟ ମନେ ପକାଇଛନ୍ତି ଅନିମେଶ ।
Continue Reading