ଭୁବନେଶ୍ୱର: ଅଭିନେତାରୁ ନେତା ପାଲଟିଥିବା ଅରିନ୍ଦମ ରାୟ ଆଜି ବିଜେଡି ଛାଡ଼ି ବିଜେପି ହାତ ଧରିଛନ୍ତି । ବିଜେଡିରେ ସେ ଅସନ୍ତୁଷ୍ଟ ଥଲେ । ବିଜେପିରେ ଯୋଗଦେବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଆଜି ସେ ବିଜେଡିରୁ ଇସ୍ତଫା ଦେବାର ଅଧଘଣ୍ଟାଏ ଭିତରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଥିଲେ ।
ଅରିନ୍ଦମ ହେଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କର ଭିଣୋଇ । କଟକ ବିଜେଡି ରାଜନୀତିରେ ତାଙ୍କର ପ୍ରଭାବ ଥିଲା । କଟକ ବାରବାଟୀ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କ ନାଁ ବାରମ୍ବାର ଚର୍ଚ୍ଚା ହେଉଥିଲା । କଟକ ମେୟର ପ୍ରାର୍ଥୀ ଭାବେ ମଧ୍ୟ ତାଙ୍କ ନାଁ ଚର୍ଚ୍ଚାରେ ଥିଲା । ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେଥିପାଇଁ ତାଙ୍କ ମନରେ କ୍ଷୋଭ ଥିଲା ।
ସେ ବିଜେଡିି ଛାଡ଼ିବେ ବୋଲି ବହୁ ପୂର୍ବରୁ ସଙ୍କେତ ମିଳିସାରିଥିଲା । ଗତ କିଛି ମାସ ଭିତରେ ବିଜେପିର କିଛି ନେତାଙ୍କୁ ସାକ୍ଷାତ କରିବା ସହ ବିବାଦୀୟ ବୟାନ ଦେଉଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରିଥିଲେ । କଟକ ବାଲିଯାତ୍ରା ବେଳେ ଏକ ଯୁବ ସମ୍ମିଳନୀର ଆୟୋଜନ କରିଥିଲେ । ସେଥିରେ ଦଳୀୟ ବ୍ୟାନର୍ ନ ଥିଲା କି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନ ଥିଲା । ଏହା ତାଙ୍କୁ ଅଧିକ ବିବାଦୀୟ କରିଥିଲା ।
ଆଜି ଅପରାହ୍ନରେ ଅରିନ୍ଦମ ବିଜେଡିରୁ ତାଙ୍କର ଇସ୍ତଫାପତ୍ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ । ସେଥିରେ ଇସ୍ତଫାର କାରଣ ଲେଖିଛନ୍ତି ।
୨୦୦୯ ମସିହାରୁ ସେ ବିଜେଡିରେ ସକ୍ରିୟ ରହି ଆସିଛନ୍ତି । ୨୦୧୪ ରୁ ଦଳର ଷ୍ଟାର୍ କ୍ୟାମ୍ପନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତୃଣମୂଳସ୍ତରରେ ସଂଗଠନ କାର୍ଯ୍ୟ କରିଛନ୍ତି । କଟକ, ତିର୍ତ୍ତୋଲ, ତିର୍ତ୍ତୋଲ ଉପନିର୍ବାଚନ, କୋରାପୁଟ ଜିଲ୍ଲା ପରିଷଦ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ବେଳେ କାମ କରିଛନ୍ତି । ଏହା ସତ୍ତ୍ୱେ ଦଳରେ ତାଙ୍କୁ ସ୍ୱୀକୃତି ମିଳିଲାନି । ସଭାପତିଙ୍କୁ ଭେଟିବାକୁ ବି ସୁଯୋଗ ମିଳିଲା ନାହିଁ । ବୋଧହୁଏ ଦଳରେ ଏକ ଜାଗା ପାଇଁ ଏବଂ ଆପଣଙ୍କୁ ଭେଟିବାର ଯୋଗ୍ୟତା ମୋ ପାଖରେ ନାହିଁ । ତେଣୁ ଦଳର ପଦପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଆଶା କରୁଛି, ଆପଣ ମୋର ଅବସ୍ଥା ବୁଝିବେ ଏବଂ ମୋ ଉପରେ କୌଣସି ରାଗ ରଖିବେ ନାହିଁ ବୋଲି ଲେଖିଛନ୍ତି ଅରିନ୍ଦମ ।
ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପଠାଇବାର କେଇ ମିନିଟ୍ ପରେ ଅରିନ୍ଦମ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟ ଆସି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । ଶ୍ରୀ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।