ଭୁବନେଶ୍ୱର: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାକୁ ହତ୍ୟାର ରୂପ ଦେଇ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୁଲିସର ଚଉଦ ପୁରୁଷ ଉଦ୍ଧାର କରୁଥିବା ରିପବ୍ଲିକ୍ ଟିଭି ମାଲିକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଶେଷରେ ସମାନ ମାମଲାରେ ଗିରଫ ହୋଇଛନ୍ତି । ଦୁଇବର୍ଷ ତଳେ ଜଣେ ଇଣ୍ଟେରିୟର୍ ଡିଜାଇନର୍ ଏବଂ ତାଙ୍କ ମାଆଙ୍କ ଆତ୍ମହତ୍ୟାର କାରଣ ଅର୍ଣ୍ଣବ ବୋଲି ଆରୋପ ଲାଗିଛି । ରିପବ୍ଲିକ୍ ନେଟୱର୍କ ଏବଂ ଦୁଇଟି ସହଯୋଗୀ ଫାର୍ମ ଠାରୁ ସମୁଦାୟ ୫ କୋଟି ୪୦ ଲକ୍ଷ ଟଙ୍କା ବକେୟା ପ୍ରାପ୍ୟ ତାଙ୍କୁ ମିଳି ନ ଥିଲା । ମାନସିକ ଭାବେ ଭାଙ୍ଗିପଡ଼ି ଆତ୍ମହତ୍ୟା କରୁଥିବା ସୁଇସାଇଡ୍ ନୋଟ୍ ରେ ଲେଖିଥିଲେ । ୨୦୧୮ ମସିହାର ଏହି ମାମଲାରେ ମୁମ୍ବାଇ ପୁଲିସ ଅର୍ଣ୍ଣବଙ୍କୁ ଆଇପିସିର ୩୦୬ ଏବଂ ୩୪ ଧାରାରେ ଗିରଫ କରିଛି ।
ଗତବର୍ଷ ଏହି ମାମଲାକୁ ରାଇଗଡ଼ ପୁଲିସ ବନ୍ଦ କରିଦେଇଥିଲା । ମାତ୍ର ଆତ୍ମହତ୍ୟା କରିଥିବା ଇଣ୍ଟେରିୟର୍ ଡିଜାଇନର୍ ଅନଭେ ନାଏକଙ୍କ ଝିଅ ଅଦନ୍ୟାଙ୍କ ଆବେଦନକ୍ରମେ ଗତ ମାର୍ଚ୍ଚ ମାସରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନିର୍ଦ୍ଦେଶରେ ଏହି ମାମଲାକୁ ପୁଲିସ ରିଓପନ୍ କରିଥିଲା । କିଛିଦିନ ତଳେ ଅନଭେଙ୍କ ପତ୍ନୀ ମୃତ ସ୍ୱାମୀ ଓ ଶାଶୁଙ୍କ ପାଇଁ ନ୍ୟାୟଭିକ୍ଷା କରି ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଛାଡ଼ିଥିଲେ । ସୁଶାନ୍ତ ରାଜପୁତଙ୍କ ପାଇଁ ହଲାପଟା କରୁଥିବା ଅର୍ଣ୍ଣବ ତାଙ୍କ ସ୍ୱାମୀ ଓ ଶାଶୁଙ୍କ ଆତ୍ମହତ୍ୟା ପାଇଁ ଦାୟୀ ହୋଇଥିବାରୁ ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ କରିଥିଲେ ।
(ସୋସିଆଲ୍ ମିଡ଼ିଆରେ ବୁଲୁଥିବା ଅନଭେଙ୍କ ସୁଇସାଇଡ ନୋଟ୍)
ତେବେ ଅର୍ଣ୍ଣବଙ୍କ ଏହି ଗିରଫଦାରିକୁ ନେଇ ଏବେ ସାରା ଦେଶରେ କମ୍ପନ । ସୋସିଆଲ୍ ମିଡ଼ିଆରେ ଅନେକ ଟୀକା ଟୀପ୍ପଣୀ । ଏହା ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି ଗୋଟେ ଗୋଷ୍ଠୀ କହୁଥିଲା ବେଳେ ଅର୍ଣ୍ଣବଙ୍କୁ ଗିରଫ କରିଥିବାରୁ ମୁମ୍ବାଇ ପୁଲିସକୁ ଅନ୍ୟ ଗୋଷ୍ଠୀ ସାବାସୀ ଦେଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଅର୍ଣ୍ଣବଙ୍କ ଗିରଫ ପ୍ରତିବାଦରେ କିଛି ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି ହେଉଛି । ତେବେ ଏସବୁ ବାଦବିବାଦ ଭିତରେ ମୌଳିକ ପ୍ରଶ୍ନଟି ହେଉଛି,
ପ୍ରକୃତରେ କିଏ ନ୍ୟାୟ ପାଇବା ପାଇଁ ହକଦାର । ଅର୍ଣ୍ଣବଙ୍କୁ ଦାୟୀ କରି ଯେଉଁ ମାଆପୁଅ ଆତ୍ମହତ୍ୟା କରିଛନ୍ତି ସେମାନଙ୍କୁ ନ୍ୟାୟ ଦରକାର ନା ବଡ଼ ସାମ୍ବାଦିକ ଅର୍ଣ୍ଣବଙ୍କ ଦେହରେ ପୁଲିସ ହାତ ମାରିଥିବାରୁ ତାଙ୍କୁ ନ୍ୟାୟ ଦରକାର?
ଅର୍ଣ୍ଣବଙ୍କ ସୁରକ୍ଷା ପାଇଁ କେନ୍ଦ୍ରର ବିଜେପି ସରକାର ଆଗକୁ ବାହାରିଛନ୍ତି । ଘଟଣାକୁ ନିନ୍ଦା କରି ଦେଶର ଗୃହମନ୍ତ୍ରୀ ଅମିତ୍ ଶାହା ଟୁଇଟ୍ କରିଛନ୍ତି । ଗଣମାଧ୍ୟମ ଉପରେ ସରକାରୀ କଳର ଏହା ଆକ୍ରମଣ । କଂଗ୍ରେସ ଓ ସହଯୋଗୀ ଦଳ ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି । ଏହା ଆମକୁ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଉଥିବା ଶାହା କହିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅର୍ଣ୍ଣବଙ୍କ ଗିରଫଦାରିକୁ ନିନ୍ଦା କରି ପ୍ରେସ୍ ଫ୍ରିଡମ୍ ଉପରେ ଆକ୍ରମଣ ବୋଲି କହିଛନ୍ତି ।
ଏକ ଧର୍ତ୍ତବ୍ୟ ଅପରାଧ ମାମଲାରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ପ୍ରେସ୍ ଫ୍ରିଡମ୍ ର ଖୋଳପାରେ ରଖୁଥିବା ବିଜେପି ଓ ତାଙ୍କ ସରକାରଙ୍କର ଡବଲ୍ ଷ୍ଟାଣ୍ଡାର୍ଡ ନୀତିକୁ ବୁଦ୍ଧିଜୀବୀମହଲ ପ୍ରଶ୍ନ କରିଛନ୍ତି । ‘ଗେଟିଙ୍ଗ୍ ଆୱେ ଉଇଥ୍ ମର୍ଡର’ ନାମକ ଏକ ସର୍ଭେରୁ ଯେଉଁ ରିପୋର୍ଟ ଆସିଛି ତାହା ସାଂଘାତିକ । ଗତ ୫ ବର୍ଷରେ ଦେଶରେ ୧୯ ମହିଳା ସାମ୍ବାଦିକଙ୍କ ସମେତ ୨୦୦ରୁ ଅଧିକ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଗୌରୀ ଲଙ୍କେଶ, ସୁଜତ୍ ବୁଖାରୀଙ୍କ ସମେତ ୪୦ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସାମ୍ବାଦିକ ଦମନ କ୍ଷେତ୍ରରେ ବିଜେପି ଶାସିତ ଉତ୍ତରପ୍ରଦେଶ ଓ ଗୁଜୁରାଟ ରାଜ୍ୟ ସର୍ବାଗ୍ରେ ଅଛନ୍ତି ।
ୟୁପିର ଏକ ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନରେ ରୁଟି ସଙ୍ଗେ ଲୁଣ ଦିଆଯାଉଛି ବୋଲି ଏକ ରିପୋର୍ଟ କରିଥିବା ସାମ୍ବାଦିକଙ୍କୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଗିରଫ କରିଥିଲା । କେରଳରୁ ୟୁପି ଯାଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ଆତଙ୍କବାଦୀ ଆଖ୍ୟା ଦେଇ ଗିରଫ କରିଥିଲା । ଯୋଗୀ ସରକାର ବିରୋଧରେ ଲେଖୁଥିବାରୁ ସାମ୍ବାଦିକ ପ୍ରଶାନ୍ତ କନୌଦିଆ ଏବେ ଜେଲ୍ ରେ ସଢ଼ୁଛନ୍ତି । ସରକାରଙ୍କ ବିରୋଧରେ ଆର୍ଟିକିଲ୍ ଲେଖି ଗୁଜୁରାଟର ବହୁ ବରିଷ୍ଠ ସାମ୍ବାଦିକ ଗିରଫ ହୋଇଛନ୍ତି । ବିଜେପି ହେଭିୱେଟ୍ ଙ୍କ ଆକ୍ରୋଶର ଶିକାର ହୋଇ ଆମ ଓଡିଶାର କିଛି ବରିଷ୍ଠ ସାମ୍ବାଦିକଙ୍କର ମଧ୍ୟ ଚାକିରି ଚାଲିଯାଇଛି ।
ଏହା କ’ଣ ପ୍ରେସ୍ ଫ୍ରିଡମ୍ ଉପରେ ଆକ୍ରମଣ ନୁହେଁ କି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଅର୍ଣ୍ଣବଙ୍କ ଗିରଫଦାରିକୁ ନିନ୍ଦା କରି ଆଜି ଯୋଗୀ ଓ ରୂପାନୀ ପ୍ରେସ୍ ଫି୍ରଡମ୍ ର କଥା କହିବା ଲଜ୍ଜାକର ବୋଲି ସେମାନେ କହିଛନ୍ତି । ସେହିଭଳି ଅର୍ଣ୍ଣବଙ୍କ ପଛରେ ଛିଡ଼ା ହେଉଥିବା ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଶତାଧିକ ନିରୀହ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଗିରଫ ବେଳେ କୁଆଡେ ଥିଲେ ବୋଲି ପ୍ରଶ୍ନ ଉଠିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାରାଷ୍ଟ୍ର ଜର୍ଣ୍ଣାଲିଷ୍ଟ ଆସୋସିଏସସନ୍ ଅର୍ଣ୍ଣବଙ୍କ ଗିରଫ ଘଟଣାରେ ନିଜକୁ ଦୂରେଇ ନେଇଛନ୍ତି । ଘଟଣାକୁ ସେମାନେ ନିନ୍ଦା ବି କରିନାହାନ୍ତି । ଅର୍ଣ୍ଣବ ସାମ୍ବାଦିକତା କାରଣରୁ ଗିରଫ ହୋଇନାହାନ୍ତି । ଆତ୍ମହତ୍ୟା ପାଇଁ ଉସକେଇବା ମାମଲାଟି ତାଙ୍କର ବ୍ୟକ୍ତିଗତ । ଏହି ବ୍ୟକ୍ତିଗତ ମାମଲାରେ ସେମାନେ ପକ୍ଷଭୁକ୍ତ ହେବାକୁ ଚାହୁଁନାହାନ୍ତି ବୋଲି ଆସୋସିଏସନ୍ ସ୍ପଷ୍ଟ କରିଛନ୍ତି ।
ଅର୍ଣ୍ଣବଙ୍କ ସମର୍ଥନରେ କିଛି ବରିଷ୍ଠ ସାମ୍ବାଦିକ ଓ ସାମ୍ବାଦିକ ସଂଘ ମତ ରଖିଥିଲେ ମଧ୍ୟ ଅଧିକାଂଶ ଜାତୀୟ ଚାନେଲ୍ ଏହାକୁ ଖବର ବି କରିନାହାନ୍ତି । ସୁତରାଂ ଅର୍ଣ୍ଣବଙ୍କ ପଛରେ ସେମାନଙ୍କର ସମର୍ଥନ ନ ଥିବା ସ୍ପଷ୍ଟ ।
ସେପଟେ ଅର୍ଣ୍ଣବଙ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଅନେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ସମ୍ବିଧାନ ଓ ନ୍ୟାୟିକ ବ୍ୟବସ୍ଥାରେ କେଉଁଠି ଲେଖାଅଛି ଯେ ଜଣେ ସାମ୍ବାଦିକ ଅପରାଧ କଲେ ତାଙ୍କ ପାଇଁ ଦଣ୍ଡ ନାହିଁ? ସେମିତି ଯଦି ହୋଇଥାଆନ୍ତା ସବୁ ମାଫିଆ, ଡକାଏତ, ରେପିଷ୍ଟ୍ ଗୋଟେ ଗୋଟେ ମିଡ଼ିଆ ସଂସ୍ଥା ଖୋଲି ନିଜର ଅପରାଧ ସାମ୍ରାଜ୍ୟ ବିସ୍ତାର କରୁଥାନ୍ତେ ।
ଆଉ ଆକ୍ରୋଶମୂଳକ ବୋଲି ଯେଉଁ ଶବ୍ଦ ବ୍ୟବହାର କରାଯାଉଛି ସେଥିରେ ବି ବିସ୍ମିତ ହେବାର କାରଣ ନାହିଁ । କାରଣ ତାହା ସମୟ ସମୟର କଥା । ରାଜନୈତିକ ଛତ୍ରଛାୟାରେ ପରାକ୍ରମୀ ସାଜୁଥିବା ଯେ କେହି ବ୍ୟକ୍ତିଙ୍କର ସେହି ରାଜନୀତି ହିଁ ପତ୍ତନର କାରଣ ହୋଇପାରେ । ଏହାର ଶହ ଶହ ଉଦାହରଣ ଅଛି । ଜଣେ ସାମ୍ବାଦିକଙ୍କର ବ୍ୟକ୍ତିଗତ ଅପରାଧ ସହ ସାମ୍ବାଦିକତାକୁ ଯୋଡିବା ନିନ୍ଦନୀୟ ବୋଲି ସେମାନଙ୍କର ଯୁକ୍ତି ।
ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଅର୍ଣ୍ଣବ ଗୋସ୍ୱାମୀ ଜଣେ ସାମ୍ବାଦିକ ବୋଲି ମାନିବାକୁ ଅନେକ ପ୍ରସ୍ତୁତ ନୁହଁନ୍ତି । ସେମାନଙ୍କ ମତରେ, ରିପବ୍ଲିକ୍ ଟିଭି ଆଣିଲା ପରେ ଅର୍ଣ୍ଣବ ସାମ୍ବାଦିକତାର ମୌଳିକତା ହରାଇ ସାରିଛନ୍ତି । ବରଂ ସାମ୍ବାଦିକତା ଛାଲ୍ ପିନ୍ଧି ବିଜେପି ର ମୁଖପାତ୍ର ସାଜିଛନ୍ତି । ବିଜେପି ଏଜେଣ୍ଡାର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଅଛନ୍ତି । କରୋନା ମହାମାରୀ, ଉକ୍ରଟ ଆର୍ଥିକ ସଙ୍କଟ, ବେକାରୀ ସମସ୍ୟା, ଚାଇନା ଅନୁପ୍ରବେଶ ଭଳି ଦେଶର ଜନସ୍ୱାର୍ଥସମ୍ବଳିତ ପ୍ରସଙ୍ଗ ତାଙ୍କ ପାଇଁ ମୁଖ୍ୟ ନୁହେଁ । ବରଂ ସରକାରଙ୍କ ଦୋଷ ଦୁର୍ବଳତା ଘୋଡେଇବାକୁ ଯାଇ ସେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଚତୁରତା ଦେଖାଇଛନ୍ତି ।
ଉଲ୍ଲେଖଥାଉକି, ଅର୍ଣ୍ଣବଙ୍କ ପଛରେ ବିବାଦ ସବୁବେଳେ ଯୋଡିହୋଇଛି । ପଲଘର୍ ସାଧୁ ହତ୍ୟା, ଦିଲ୍ଲୀରେ ବିକ୍ଷୋଭ, ଲକ୍ ଡାଉନ୍ ବେଳେ ମୁମ୍ବାଇ ଷ୍ଟେସନ୍ ରେ ପ୍ରବାସୀ ରୁଣ୍ଡ ହେବା ଘଟଣାରେ ଧାର୍ମିକ ବିଦ୍ୱେଷ ସୃଷ୍ଟି କରିବାର ଅଭିଯୋଗ ତାଙ୍କ ବିରୋଧରେ ରହିଛି । ବହୁ ଚର୍ଚ୍ଚିତ ହଥରାସ୍ ଗଣଦୁଷ୍କର୍ମ ମାମଲାକୁ ମନୋହର କାହାଣୀୟାଁ କହି ତାତ୍ସଲ୍ୟ କରିବାକୁ ପଛାଇ ନାହାନ୍ତି । ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ କୁ ଟାଣିଛନ୍ତି । ବଲିଉଡ୍ ବିରୋଧରେ କଟୁ ମନ୍ତବ୍ୟ ପାଇଁ ସେ ବେଶ୍ ଜଣାଶୁଣା । ନିକଟରେ ଅର୍ଣ୍ଣବ ଟିଆରପି ଜାଲିଆତିରେ ଫସିଛନ୍ତି ।
ଷ୍ଟୁଡ଼ିଓ ଡିବେଟ୍ ରେ ନ୍ୟୁଜ୍ ନୁହେଁ ନଏଜ୍ କୁ ପସନ୍ଦ କରନ୍ତି ଅର୍ଣ୍ଣବ । ତାଙ୍କର ହାବଭାବ, ବଡ଼ ପାଟିରେ ପ୍ରଳାପ, ଅତିଥିମାନଙ୍କୁ ଅଶାଳୀନ ବ୍ୟବହାର, କାହାରିକୁ କୁହାଇ ନ ଦେଇ ନିଜ ମତକୁ ଜୋର ଜବରଦସ୍ତ ଲଦିବା, ତୁ ତା ରେ ରା ଭଳି ଆଦି ଆଚରଣକୁ ଅନେକ ପସନ୍ଦ କରନ୍ତି ନାହିଁ । ଏହା ସାମ୍ବାଦିକର ଶିଷ୍ଟାଚାର ନୁହେଁ ବୋଲି ମତ ଦିଅନ୍ତି । ‘ପୁଛତା ହୈ ଭାରତ’ ନାଁରେ ଅର୍ଣ୍ଣବ ଷ୍ଟୁଡ଼ିଓରେ ବସି ନିଜକୁ ଏକାଧାରାରେ ସାମ୍ବାଦିକ, ପୁଲିସ, ଓକିଲ, ବିଚାରପତି ମଣନ୍ତି ।
କ୍ଷମତାକୁ ପ୍ରଶ୍ନ କରିବା ବଦଳରେ କେବଳ ବିରୋଧୀ ଦଳକୁ ପ୍ରଶ୍ନ କରିବା କେବଳ ଅର୍ଣ୍ଣବଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ପ୍ରତି ପ୍ରସଙ୍ଗରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଟାଣିବା ଏବଂ ସୋନିଆଙ୍କୁ ଇଟାଲିଆନ୍ ଆଣ୍ଟୋନିଆ ମାଇନୋ ଓ ରାହୁଲଙ୍କୁ ରାହୁଲ ଭିନ୍ସି ଡାକି ଅତ୍ୟନ୍ତ କଟୁ ଭାଷା କହିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ ଆଚରଣ ନୁହେଁ ବୋଲି ତାଙ୍କୁ ସମାଲୋଚନା କରାଯାଏ ।