ଆଇଏଏସ୍ ବିଶାଲ୍ ଦେବ ସମ୍ପାଦକ ନିର୍ବାଚିତ
ଭୁୁବନେଶ୍ୱର: ଓଡ଼ିଶାର ଦୁଇ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇରେ ବାଜି ମାରିଛନ୍ତି ଅସିତ୍ ତ୍ରିପାଠୀ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଖଣ୍ଡ ଭୋଟରେ ପରାସ୍ତ କରି ଭୁବନେଶ୍ୱର କ୍ଲବ୍ ର ସଭାପତି ନିର୍ବାଚିତ ହୋଇଛନ୍ତି । ମୋଟ ୧,୨୭୪ ଭୋଟରୁ ଶ୍ରୀ ତ୍ରିପାଠୀଙ୍କୁ ୭୭୬ ଭୋଟ ମିଳିଥିଲା ବେଳେ ଶ୍ରୀ ପଟ୍ଟନାୟକଙ୍କ ସପକ୍ଷରେ ଯାଇଛି ୪୯୮ ଭୋଟ ।
୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ୨୦୨୦ ଡିସେମ୍ବର ୩୧ ରେ ଚାକିରିରୁ ଅବସର ନେଲା ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି । ଭୁବନେଶ୍ୱର କ୍ଲବ୍ କୁ ଏକ ମଲଟି ଡାଇମେନସନାଲ୍ କ୍ଲବ୍ ଭାବେ ଗଢ଼ିବାର ସ୍ୱପ୍ନ ସାକାର କରିବେ ବୋଲି ସଭାପତି ନିର୍ବାଚିତ ହେବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ତ୍ରିପାଠୀ କହିଛନ୍ତି ।
ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ଭୁବନେଶ୍ୱର କ୍ଲବ୍ ନିର୍ବାଚନ ହୋଇଥିଲା । ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ ବହୁ ବର୍ଷ ଧରି କ୍ଲବ୍ ର ପରିଚାଳନା ଦାୟିତ୍ୱରେ ଥିଲେ । ଗତବର୍ଷ କ୍ୟାନସର୍ ରେ ପ୍ରାଣ ହରାଇବା ପର୍ଯ୍ୟନ୍ତ ସେ କ୍ଲବ୍ ର ସଭାପତି ଥିଲେ । ଚଳିତ ବର୍ଷ ଅନୁଷ୍ଠିତ କ୍ଲବ୍ ର ନିର୍ବାଚନ ମୈଦାନରେ ଦୁଇ ପ୍ରଭାବଶାଳୀ ଅଧିକାରୀ ଅବତୀର୍ଣ୍ଣ ହୋଇଥିବାରୁ ଫଳାଫଳକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା ।
ଭୁବନେଶ୍ୱର କ୍ଲବ୍ ର ଅନ୍ୟ ପଦପଦବୀ ଯଥା ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ତଥା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା । ମହେନ୍ଦ୍ର ଗୁପ୍ତା ଉପସଭାପତି, ବିଶାଲ୍ ଦେବ ସମ୍ପାଦକ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ସୁଚନା ମିଳିଛି । ତେବେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ କଡ଼ା ଟକ୍କର ଚାଲିଛି ।
ସୂଚନା ଥାଉକି, ଅସିତ୍ ଙ୍କ ଭଳି ବିଜୟ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ଥିଲେ । ୧୯୭୬ ବ୍ୟାଚ୍ ର ଏହି ଅଧିକାରୀ ମୁଖ୍ୟ ଶାସନ ସଚିବ ପଦରେ ଥାଇ ୨୦୧୩ ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ଭାଳିଥିଲେ ।