ଭୁବନେଶ୍ୱର: ପୁଲିସ କମ୍ୟୁନିକେସନ୍ ର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନସ୍ ରେଡ୍ । ଆଜି ଭୋର୍ ୪ ଟା ବେଳୁ ଭିଜିଲାନସ୍ ଟିମ୍ ଏକକାଳୀନ ୧୧ ଜାଗାରେ ଚଢ଼ଉ କରି ମାତ୍ର କେଇ ଘଣ୍ଟା ଭିତରେ ବିପୁଳ ସମ୍ପତ୍ତି ଠାବ କଲେଣି । ଏହି ପୁଲିସ ବାବୁଙ୍କର ମାଳ ମାଳ ଦାମୀ କୋଠାବାଡ଼ି, ଗାଡ଼ି ସାଙ୍ଗକୁ ବେପାର ବଣିଜରେ ମୋଟା ପୁଞ୍ଜି ଲାଗିଛି । ଶାଶୁଙ୍କ ନାଁରେ ଫାର୍ମ ହାଉସ୍, ନର୍ସିଂ ହୋମ୍, ମେଡ଼ିସିନ୍ ଷ୍ଟୋର୍, ଦୁଇ ଦୁଇଟି ଟ୍ରାନସପୋର୍ଟ ଅଫିସ୍ ରହିଥିବା ବେଳେ ଦୁଇ ପୁଅ ନାଁରେ କଟକରେ ଡ୍ରଗ୍ ମ୍ୟାନଫାକଚରିଂ ୟୁନିଟ୍ ରହିଛି ।
ଭିଜିଲାନସ୍ ଚଢ଼ଉ କରୁଥିବା ଜାଗା ମଧ୍ୟରେ ଅଛି, ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟ୍ ର ଫ୍ଲାଟ୍ ନଂ ୨/୨୫, ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ଖଇରା ଗାଁରେ ଥିବା ଶ୍ୱଶୁରଙ୍କ ଘର, ଖଇରା ନିକଟ ତେଲିଗଡ଼ଠାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାର ଅନ୍ତର୍ଗତ ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂ ହୋମ୍ ଏବଂ ମେଡ଼ିସିନ୍ ସପ୍, ଶାନ୍ତିଲତା ଟ୍ରାନସପୋର୍ଟ-୧ ଏବଂ ଶାନ୍ତିଲତା ଟ୍ରାନସପୋର୍ଟ-୨, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଦଳେଇ ଗାଁରେ ଥିବା ଶ୍ରୀ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘର, କଟକ ମହାନଦୀବିହାରଠାରେ ଥିବା ଶ୍ରୀ ମିଶ୍ରଙ୍କ ଦୁଇ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ମ୍ୟାନଫାକଚରିଂ ୟୁନିଟ୍, ତୁଳସୀପୁରସ୍ଥିତ ଶ୍ରୀ ମିଶ୍ରଙ୍କ ଅଫିସ୍ ଏବଂ ମଧୁପାଟଣା ଥାନା କ୍ୟାମ୍ପସ୍ ରେ ଥିବା ସରକାରୀ କ୍ୱାର୍ଟର୍ ।
ଚଢ଼ଉ ଚାଲିଥିବାରୁ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ତାଙ୍କର ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇସାରିଲାଣି ବୋଲି ଭିଜିଲାନସ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।