ଭୁବନେଶ୍ୱର: ଆଜି ତୃତୀୟ ଦିନ ପାଇଁ ଚାଲିପାରିନି ବିଧାନସଭା । ଏମଏମଡିଆର ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସ ଗୃହରେ ହଙ୍ଗାମା କରିବାରୁ ଚାଲିପାରିନି ଗୃହ । ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହେଲା କ୍ଷଣି ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ଏହାର ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ ଆରମ୍ଭ କରିଥିଲେ । ପ୍ଲାକାର୍ଡ ଧରି ସେମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ୭ ମିନିଟ୍ ଚାଲିଲା ପରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଏହାପରେ ବିଜେଡି ବିଧାୟକ ଏକ ପଦଯାତ୍ରାରେ ଓଏମସି କାର୍ଯ୍ୟାଳୟ ଯାଇ ସେଠାରେ ଧାରଣା ଦେଇଥିଲେ । ବିଜେଡିର ପୂର୍ବଘୋଷିତ ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମ ଏଠାରୁ ଆରମ୍ଭ ହେଲା ବୋଲି ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ କହିଛନ୍ତି । ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲାରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଚେତାବନୀ ଦେଇଛି ।