ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନ ସମୟ ଶେଷ ହୋଇଛି । ସଂଧ୍ୟା ୬ ଟା ସୁଦ୍ଧା ବାଲେଶ୍ୱରରେ ମତଦାନ ହାର ୭୧% ଥିବା ବେଳେ ତିର୍ତ୍ତୋଲ୍ ରେ ମତଦାନ ହାର ରହିଛି ୬୯.୯% । ତେବେ ଶେଷ ସମୟରେ ବାଲେଶ୍ୱରର ୩୦ଟି ବୁଥ୍ ଓ ତିର୍ତ୍ତୋଲ୍ ର ୧୨୦ ବୁଥ୍ ରେ ମତଦାନ ଜାରି ରହିଥିବାରୁ ଭୋଟହାର ବୃଦ୍ଧି ପାଇପାରେ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସଂଧ୍ୟାରେ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଛନ୍ତି ।
ଗତ ସାଧାରଣ ନିର୍ବାଚନରେ ବାଲେଶ୍ୱର ସଦର ଆସନରେ ଭୋଟହାର ୭୧.୨୯% ଥିଲା ବେଳେ ତିର୍ତ୍ତୋଲ୍ ରେ ଭୋଟହାର ଥିଲା ୭୪.୦୯% । ତେଣୁ ଉପନିର୍ବାଚନ ମତଦାନ ସମ୍ପୂର୍ଣ୍ଣ ହେବା ପରେ ଭୋଟହାର ପାଖାପାଖି ସେତିକି କିମ୍ବା ତା’ଠାରୁ ଅଧିକ ହୋଇପାରେ ବୋଲି ଶ୍ରୀ ଲୋହାନୀ କହିଛନ୍ତି ।
କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ଭୋଟ ଶେଷ ହୋଇଛି । କୋ÷ଣସି ସ୍ଥାନରେ ଗଣ୍ଡଗୋଳ ବା ସେଭଳି କିଛି ଘଟଣାର ରିପୋର୍ଟ ଆସିନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
କୋଭିଡ୍ ପରିସ୍ଥିତିରେ ରାଜ୍ୟରେ ଏହା ଥିଲା ପ୍ରଥମ ନିର୍ବାଚନ । କୋଭିଡ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ମତଦାନ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଦୁଇ ଆସନରେ ୧୫ ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ ହୋଇଛି । ଆସନ୍ତା ୧୦ ତାରିଖରେ ଭୋଟ ଗଣତି ହେବ ।