ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଜନୈକ ଅଣଓଡ଼ିଆ ବୃଦ୍ଧଙ୍କର ଦାମୀ କମର୍ସିଆଲ୍ ପ୍ଲଟ୍ ହଡ଼ପ ଅଭିଯୋଗ ଏବେ ଜଟିଳ ମୋଡ଼ ନେଇଛି । ଖୋଦ୍ ରାଜ୍ୟପାଳ ମାଗିଥିବା ରିପୋର୍ଟକୁ ବିଡିଏ କର୍ତ୍ତୃପକ୍ଷ ଟାଳି ଦେଇଥିବା ବେଳେ ଆଇନଗତ ଲଢ଼େଇ ପାଇଁ ଅଭିଯୋଗକାରୀଙ୍କ ସଜବାଜ କର୍ତ୍ତୃପକ୍ଷଙ୍କ ହୋସ୍ ଉଡ଼ାଇ ଦେଇଛି । ପୂର୍ବ ଉପାଧ୍ୟକ୍ଷଙ୍କ ଜାଣତରେ ତଦନ୍ତ ରିପୋର୍ଟକୁ ଚାପି ଦିଆଯାଇଥିଲା । ନୂଆ ଉପାଧ୍ୟକ୍ଷ ଆସିଲା ପରେ ଅଭିଯୋଗର ତଦନ୍ତ ରିପୋର୍ଟ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର କୌଣସି କାରଣରୁ ସେ ଏହି ଫାଇଲ୍ ଉପରୁ ଦୃଷ୍ଟି ହଟାଇ ଦେଇଛନ୍ତି । ଆଇନଗତ ଲଢ଼େଇର ଧମକ ପାଇବା ପରେ ଏହାକୁ କିଭଳି ସାମନା କରାଯିବ ଓଲଟି ସେହି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଜାଗା ହଡ଼ପକାରୀ ଅଭିଯୁକ୍ତ ବିଲଡରଙ୍କୁ ସୁରକ୍ଷା ଦେବା ପାଇଁ ବିଡିଏ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଅଭିଯୋଗଟି ବହୁତ ସାଂଘାତିକ । ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଜଣେ ଅଣଓଡ଼ିଆ ବୃଦ୍ଧଙ୍କର ଏକ ଦାମୀ କମର୍ସିଆଲ୍ ପ୍ଲଟ୍ ହଡ଼ପ ହୋଇଯାଇଛି । ବିଡିଏ ଅଧିକାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଜଣେ ଜଣାଶୁଣା ବିଲଡରଙ୍କ ପାଖକୁ ରାତାରାତି ମାଲିକାନା ବଦଳିଯାଇଛି । ବୃଦ୍ଧଙ୍କର ଅଜାଣତରେ ତାଙ୍କର ଦସ୍ତଖତ ନିଆଯାଇ ସଂପୃକ୍ତ ବିଲଡରଙ୍କ ନାଁକୁ ପ୍ରଥମେ ସମ୍ପତ୍ତିର ପାୱାର ଅଫ୍ ଆଟର୍ଣ୍ଣିଂ ହସ୍ତାନ୍ତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ସେହି ସମ୍ପତ୍ତି ଖରିଦ୍ ହୋଇଛି । ଆନୁମାନିକ ୫୦ କୋଟି ମୂଲ୍ୟର ଏହି ଜାଗା ହରାଇଥିବା ବୃଦ୍ଧଜଣଙ୍କ ନିଜର ସମ୍ପତ୍ତି ଫେରିପାଇବା ପାଇଁ ବିଡିଏ ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭିଜିଲାନସ୍ ନିର୍ଦ୍ଦେଶକ ଏବଂ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏହି ଜାଗା ହେଉଛି, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ୍ ସେଣ୍ଟର ପ୍ଲଟ୍ ନଂ ୧୩୬ । ୬୪୫୬ ବର୍ଗଫୁଟ ପରିମିତ ଜାଗା ଉପରେ ଗଢ଼ା ହୋଇଥିଲା ଏସ୍+୩ ବିଲଡିଂ । ବିଡିଏ ଦ୍ୱାରା ଆବଣ୍ଟିତ ଏହି ପ୍ଲଟ୍ ର ମାଲିକ ହେଉଛନ୍ତି ପଶ୍ଚିମବଙ୍ଗ ଇଷ୍ଟ ମେଦିନାପୁର ଜିଲ୍ଲା ଜୁଖିଆ ବଜାରର ବାସିନ୍ଦା ଅନୀଲ ଚନ୍ଦ୍ର ଜାନା(୮୩) । ଗତ ଜୁନ୍ ୧୧ ତାରିଖରେ ବିଡିଏ ଉପାଧ୍ୟକ୍ଷଙ୍କୁ ସେ ଲିଖିତ ଅଭିଯୋଗ ଦେଇଥିଲେ । ଡିଷ୍ଟ୍ରିଟ୍ ସେଣ୍ଟରରେ ଥିବା ତାଙ୍କର ଉକ୍ତ ପ୍ଲଟ୍ ର ମାଲିକାନା ତାଙ୍କ ଅଗୋଚରରେ ବଦଳି ଯାଇଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ବିଲଡର ଶରତ କୁମାର ସାହୁଙ୍କ ନାଁକୁ ପ୍ରଥମେ ସମ୍ପତ୍ତିର ପାୱାର ଅଫ୍ ଆଟର୍ଣ୍ଣି ହସ୍ତାନ୍ତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଝିଅ ନାଁରେ ସେହି ସମ୍ପତ୍ତି ଖରିଦ୍ ହୋଇଛି । ତାଙ୍କୁ ଅନ୍ଧାରରେ ରଖି ଜୋରଜବରଦସ୍ତରେ ଏହି କାରବାର କେମିତି ହୋଇଛି ଶ୍ରୀ ଜାନା ତାହାର ଟିକନିକ୍ ତଥ୍ୟ ଦେଇଛନ୍ତି ।
ଉକ୍ତ ଅଭିଯୋଗ ବିଡିଏ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି । କାରଣ ବିଡିଏର ତକ୍ରାଳୀନ ସଚିବ କବୀନ୍ଦ୍ର ସାହୁଙ୍କୁ କିଙ୍ଗ-ପିନ୍ ଏବଂ ଜମି ହଡପ ରାକେଟ୍ ର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ସମ୍ପତ୍ତି ମାଲିକଙ୍କ ଅଜାଣତରେ ଓ ବିନା ସହମତିରେ ପାୱାର୍ ଅଫ ଆଟର୍ଣ୍ଣି ଜନୈକ ବିଲଡରଙ୍କ ପାଖକୁ ଚାଲିଯାଇଛି ଏବଂ ବିଲଡର ସେହି ସମ୍ପତ୍ତି ତାଙ୍କ ଝିଅକୁ ବିକ୍ରୀ କରିଛନ୍ତି । ପାୱାର୍ ଅଫ ଆଟର୍ଣ୍ଣି କପି ବିଡିଏରେ ଯେଉଁଦିନ ଦାଖଲ ହୋଇଛି ସେହିଦିନ ହିଁ ସେହି ସମ୍ପତ୍ତି ବିକ୍ରୀ ହୋଇଛି । ତକ୍ରାଳୀନ ସଚିବ କବୀନ୍ଦ୍ର ସାହୁଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ହୋଇଛି ବୋଲି ଶ୍ରୀ ଜାନା ଅଭିଯୋଗ କରିଥିବାରୁ କର୍ତ୍ତୃପକ୍ଷ ଅଡୁଆରେ ପଡ଼ିଛନ୍ତି । ଇତିମଧ୍ୟରେ ସଂପୃକ୍ତ ସଚିବ ବଦଳି ହୋଇସାରିଥିଲେ ମଧ୍ୟ ଏଥିରେ ବିଡିଏର ଆଉ କିଛି କର୍ମଚାରୀ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବାରୁ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଛି ।
ଅନୀଲ ଜାନାଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ବିଡିଏ କର୍ତ୍ତୃପକ୍ଷ ଆରମ୍ଭରୁ ତତ୍ପରତା ପ୍ରକାଶ କରିଥିଲେ । ଅତି ଗୋପନ ଭାବେ ଏହାର ତଦନ୍ତ ହୋଇଥିଲା । ଅଭିଯୋଗ ସମ୍ପୂର୍ଣ୍ଣ ଠିକ୍ ବୋଲି ତଦନ୍ତରୁ ଜଣାପଡ଼ିଲାଣି । ଇତିମଧ୍ୟରେ ଏହାର ଫାଇଲ୍ ଉପରକୁ ଯାଇଥିଲା । ମାତ୍ର ସଚିବଙ୍କ ଟେବୁଲ୍ ରୁ ତାହା ଆଉ ଉପରକୁ ଗଲାନି । ଏହା ଉପରେ ରାଜ୍ୟପାଳ ରିପୋର୍ଟ ମାଗିଥିଲେ ମଧ୍ୟ ତାଙ୍କୁ ମଧ୍ୟ ହେୟଜ୍ଞାନ କରିଦିଆଗଲା ।
ସୂଚନାଥାଉକି, ‘ମିଡଡେ ଓଡିଶା’ ଏହି ଅଭିଯୋଗକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲା ।







