ଭୁବନେଶ୍ୱର: ବେଣୁ ମଉସା ଏବେ ଖାଲି ବାଲେଶ୍ୱର କାହିଁକି, ସାରା ରାଜ୍ୟରେ ଏକ ଚର୍ଚ୍ଚିତ ନାଁ ପାଲଟିଛନ୍ତି । ତାଙ୍କୁ ନେଇ ମିଡ଼ିଆ, ସୋସିଆଲ୍ ମିଡ଼ିଆରେ ଭରପୁର ଖବର । ଦଦରା ସାଇକେଲ ଖଣ୍ଡେ ଧରି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଥିବା ବେଣୁ ମଉସାଙ୍କ ଆକର୍ଷଣ ଆଗରେ ଫିକା ପଡ଼ିଯାଇଛି ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତାଙ୍କ ଘୋଡାଗାଡ଼ିରେ ପ୍ରଚାର ସୁଆର । ବୟସ ଓ ଦାରିଦ୍ର୍ୟତା ତାଙ୍କ ଇଚ୍ଛାଶକ୍ତିରେ ପ୍ରତିବନ୍ଧକ ହୋଇନାହିଁ ।
ବେଣୁଧର ବାରିକ ଓରଫ୍ ବେଣୁ ମଉସାଙ୍କର ବୟସ ୯୧ । ଏହି ପାଚିଲା ବୟସରେ ତାଙ୍କର ଯୁବସୁଲଭ ଚଞ୍ଚଳତା ସମସ୍ତଙ୍କୁ ଚକିତ କରିଛି । ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ମନ ଭାଙ୍ଗିଯାଇନି । ରାଜନୀତିର ପ୍ରାଞ୍ଜଳ ଭାଷା ଅନର୍ଗଳ କହିପାରୁଛନ୍ତି । ସମାଜରେ କ୍ରାନ୍ତିକାରୀ ବିପ୍ଲବର ଆହ୍ୱାନ ଦେଉଛନ୍ତି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଗରିବ ଲୋକର ଦୁଃଖ ଲାଘବ ହେଉନି କାହିଁକି? ନିର୍ବାଚିତ ଲୋକପ୍ରତିନିଧିମାନେ ବିଧାନସଭାରେ କ’ଣ କରୁଛନ୍ତି? ସମ୍ବିଧାନରେ କ’ଣ ରହିଛି ବ୍ୟବସ୍ଥା ତାହାର ପ୍ରତ୍ୟକ୍ଷ ଅନୁଭବ ପାଇଁ ମନରେ ତାଙ୍କର ପ୍ରବଳ ଆଗ୍ରହ ରହିଛି ।
ସେ ବିଧାନସଭା ଯିବେ ଏବଂ ଲୋକଙ୍କ ପାଇଁ କିଛି କରିବେ । ପରିଣତ ବୟସରେ, ଖାଲି ପକେଟ ହୋଇ ବି ଏଭଳି ସ୍ୱପ୍ନ ପଛରେ ତାଙ୍କର ପୁଞ୍ଜି ହେଉଛି ଲୋକଙ୍କ ଭଲ ପାଇବା । କେଟିଲି ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି ।
ଏହି ବୟସରେ ବି ନିଜର କୌଳିକ ବୃତ୍ତି ରେ ଗୁଜୁରାଣ ମେଣ୍ଟାଉଥିବା ବେଣୁ ମଉସା ଜଣେ ପରୋପକାରୀ ବ୍ୟକ୍ତି । ବାଲେଶ୍ୱର ସହରରେ ବସ୍ତିନେତା ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ମାତ୍ର ୧୩ ବର୍ଷ ବୟସରେ ସେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା କହନ୍ତି । ୯୧ ବର୍ଷ ବୟସରେ ନିର୍ବାଚନ ଲଢ଼ିବାକୁ କାହିଁକି ମନ ହେଲା ପ୍ରଶ୍ନରେ କହିଛନ୍ତି, ଜିତିବା ହାରିବା ସେମିତି କିଛି ନାହିଁ । ଲୋକଙ୍କ ସାଙ୍ଗରେ ଥିଲି, ମଲା ପର୍ଯ୍ୟନ୍ତ ରହିବି ।
ସୁତରାଂ ନିର୍ବାଚନ ଲଢ଼ିବାକୁ ଜୀବନର ଏକ ଏକ୍ସପେରିମେଣ୍ଟ ଭାବରେ ଗ୍ରହଣ କରିଛନ୍ତି ବେଣୁ ମଉସା । ଜିତିଲେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିବାର ଦୃଢ଼ ଆତ୍ମବିଶ୍ୱାସ ବି ରଖିଛନ୍ତି । ସେଥିପାଇଁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି । ସାଇକେଲରେ ଓ ଚାଲି ଚାଲି ପ୍ରତିଦିନ ସକାଳୁ ରାତି ଯାଏଁ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୬ ଟି ଯାକ ପଞ୍ଚାୟତ ଏବଂ ୩୧ ୱାର୍ଡ ର ଲୋକଙ୍କ ପାଖକୁ ଯିବାର ଯୋଜନା ରଖିଛନ୍ତି ।
ଉପନିର୍ବାଚନରେ ୬ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବେଣୁ ମଉସା । ବସ୍ତି ଭୋଟରଙ୍କ ସମର୍ଥନକୁ ପାଥେୟ କରି ନିର୍ବାଚନକୁ ମଇଦାନକୁ ଆସିଥିବା ବେଣୁ ମଉସାଙ୍କୁ ଇତିମଧ୍ୟରେ ଓକିଲ ସଂଘ ସମର୍ଥନ ଜଣାଇଛନ୍ତି । ଅନ୍ୟାନ୍ୟ ବିଭିନ୍ନ ସଂଗଠନ ମଧ୍ୟ ତାଙ୍କ ସପକ୍ଷରେ ବାହାରିଛନ୍ତି । ରାନୀ ପଣ୍ଡା, ଦାମ ପଣ୍ଡାଙ୍କ ଭଳି ନାମୀ ଯାତ୍ରା କଳାକାର ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ଆଜି ବେଣୁ ମଉସାଙ୍କୁ ସାଇକେଲ୍ ପଛରେ ବସାଇ ଭୋଟ ମାଗିଛନ୍ତି ରାନୀ ପଣ୍ଡା ।
ବେଣୁ ମଉସାଙ୍କୁ ନେଇ ଏବେ ବିଜେଡ଼ି, ବିଜେପି ଓ କଂଗ୍ରେସ ଶିବିର ବି ଛାନିଆଁ ହେଲେଣି । ପ୍ରଥମରୁ ତାଙ୍କ ପ୍ରାର୍ଥୀତ୍ୱକୁ ହସରେ ଉଡାଉଥିବା ନେତାମାନେ ବେଣୁ ମଉସାଙ୍କ ମିଡିଆ ହାଇପ୍ କୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବିଭିନ୍ନ ଦଳର ଅସନ୍ତୁଷ୍ଟ ଭୋଟ ବେଣୁ ମଉସାକୁ ପାଖକୁ ଯାଇପାରେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।
Very nice personality