ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଅଚିହ୍ନା ଅଶୁଣା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି ବିଜେପି । ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭଜନଲାଲ ଶର୍ମା ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଆଜି ଜୟପୁରରେ ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ସରୋଜ ପାଣ୍ଡେ , ବିନୋଦ ତାୱଡେ ଏବଂ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ବିଧାୟକ ଦଳର ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇ କେବଳ ଔପଚାରିକତା ପୂରଣ କରାଯାଇଛି । ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇଜଣ ଉପମୁଖ୍ୟ ହୋଇଛନ୍ତି । ସେମାନେ ହେଉଛନ୍ତି ଦିୟା କୁମାରୀ ଓ ପ୍ରେମ ଚାନ୍ଦ ବୈରୱା ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ୱିନୀ ବୈଷ୍ଣବ, କିରୋଡି ଲାଲ ମୀନା, ଅର୍ଜୁନ ମେଘୱାଲଙ୍କ ଭଳି ହେଭି ହେଭି ୱେଟ୍ ନେତା ଥିଲେ । ତେବେ ହାଇକମାଣ୍ଡ କାହା ମୁଣ୍ଡରେ ଶିରିପା ଭିଡ଼ିବେ ତାହା ସସପେନ୍ସ ରହିଥିଲା । ମୁଖ୍ୟମନ୍ତ୍ରୀ ହେବାକୁ ବସୁନ୍ଧରା ଜିଦ୍ ଧରି ବସିଥିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚାଲେଂଜ କରୁଥିବାର ଖବର ମଧ୍ୟ ଆସିଥିଲା । ନିଜର ସମର୍ଥକ ବିଧାୟକଙ୍କୁ ଧରି ସେ ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ଆସୁଥିଲେ । ରାଜ୍ୟ ନେତାଙ୍କ ମଧ୍ୟରେ ଛକାପଂଝା ଲାଗି ରହିଥିବାରୁ ବିଧାୟକ ଦଳ ବୈଠକକୁ ଘୁଞ୍ଚା ଯାଇଥିଲା । ଗତକାଲି ନାଟକୀୟ ଘଟଣାକ୍ରମେ ବସୁନ୍ଧରା ମୁଖ୍ୟମନ୍ତ୍ରୀ ଦୌଡ଼ରୁ ରହସ୍ୟଜନ ଭାବେ ଓହରି ଯାଇଥିଲେ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସମସ୍ତେ ମାନିବାକୁ ବାଧ୍ୟ ବୋଲି ବାର୍ତ୍ତା ଦିଆଯାଇଥିଲା ।
୫୬ ବର୍ଷ ବୟସ୍କ ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏଥର ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ଘର ପୂର୍ବ ରାଜସ୍ଥାନର ଭରତପୁର ଜିଲ୍ଲାରେ ହୋଇଥିଲେ ମଧ୍ୟ ନିଜ ଅଞ୍ଚଳରେ ତାଙ୍କର ବିଜୟ ସମ୍ଭାବନା ନ ଥିବାରୁ ସଙ୍ଗାନର ଆସନରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀଙ୍କୁ ୪୮, ୦୮୧ ଭୋଟରେ ପରାସ୍ତ କରିଥିଲେ । ଛାତ୍ରାବସ୍ଥାରେ ଏବିଭିପିରେ ସକ୍ରିୟ ଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ସେ ଜଣେ ସକ୍ରିୟ କର୍ମୀ ଏବଂ ଦୃଢ଼ ସଂଗଠକ । ସେ ମୁଖ୍ୟମନ୍ତ୍ରୀ ହେବା ପଛରେ ସଂଘ ପରିବାର ଦୃଢ଼ ସମର୍ଥନ ରହିଛି । ଦୀର୍ଘ ସମୟ ଧରି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପଦରେ ରହି ଆସିଛନ୍ତି । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଭଜନଲାଲ ଶର୍ମା ଉଚ୍ଚ ଜାତିର ହୋଇଥିଲେ ମଧ୍ୟ ଜାତିପ୍ରଥାରେ ତାଙ୍କର ବିଶ୍ୱାସ ନାହିଁ ।
ସୂଚନାଥାଉକି, ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଆଦୌ ଚର୍ଚ୍ଚାରେ ନ ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା ବିଜେପି । ମଧ୍ୟପ୍ରଦେଶରେ ଦଳକୁ ଜିତାଇଥିବା ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ହାଇକମାଣ୍ଡ ବିଚାରକୁ ନେଇ ନଥିଲେ । ଛତିଶଗଡ଼ରେ ଆଦିବାସୀ ନେତା ବିଷ୍ଣୁ ଦେବ ସାଏ ଏବଂ ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କ ନାଁ ଘୋଷଣା କରି ହାଇକମାଣ୍ଡ ସମସ୍ତଙ୍କୁ ଚକିତ କରିଥିଲେ । ରାଜସ୍ଥାନରେ ମଧ୍ୟ ସେୟା ହୋଇଛି ।