ଭୁବନେଶ୍ୱର: ସୋନମ୍ ୱାଙ୍ଗଚୁକ୍ ଓ ଯନ୍ତର ମନ୍ତର ଆନ୍ଦୋଳନ ଏବେ ଦେଶର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ । ଆମ ରାଜ୍ୟରେ ଏହି ଜାତୀୟ ଖବର ସହ ଯୋଡି ହୋଇଛି ପାଠ୍ୟପୁସ୍ତକ ତ୍ରୁଟି ଏବଂ ରଥଯାତ୍ରା ପରିଚାଳନା ବିଭ୍ରାଟ୍ ପ୍ରସଙ୍ଗ । ଆସନ୍ତକାଲିଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେସନରେ ଏହା ପ୍ରସଙ୍ଗ ହେବାକୁ ଯାଉଥିବା ବେଳେ ଆମ ଓଡ଼ିଶାର ତଥାକଥିତ ଏକ ନମ୍ବର ଟିଭିରେ କିନ୍ତୁ ବଡ଼ ଖବର ହୋଇଥିଲେ ବିକ୍ରମ ଆରୁଖ । କ’ଣ ନା, ବିଜେଡିର ଏହି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଖୁବ୍ ଶୀଘ୍ର ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ଏକ ନମ୍ବରକୁ ଦେଖି ଆଉ ଦୁଇ ତିନୋଟି ଚାନେଲ୍ କପି-ପେଷ୍ଟ ମାରିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କର ବାଇଟ୍ ଆଣି ଦିନ ସାରା ବଜେଇଲେ । ଲାଗିଲା ଯେ ଆସନ୍ତାକାଲି ହିଁ ବିକ୍ରମ ଆରୁଖ ବିଜେପିରେ ମିଶିଯିବେ । ମାତ୍ର ସଂଧ୍ୟାବେଳକୁ ଦିନଯାକର ପରିଶ୍ରମ ଫୁସ୍ ହୋଇଯାଇଛି । ପ୍ରଚାରିତ ଏହି ଖବରକୁ ସମ୍ପୂର୍ଣ୍ଣ ଅମୂଳକ ଓ ଗୁଜବ କହି ଏକ ଭିଡିଓ ବାର୍ତ୍ତା ଛାଡ଼ିଛନ୍ତି ବିକ୍ରମ ଆରୁଖ ।
ବିକ୍ରମ କହିଛନ୍ତି, ମାନ୍ୟବର ନବୀନ ପଟ୍ଟନାୟକ ମୋର ପ୍ରିୟ ନେତା ଏବଂ ବିଜୁ ଜନତା ଦଳ ମୋର ପ୍ରିୟ ଦଳ । ମୁଁ ବିଜୁ ଜନତା ଦଳର ଜଣେ ପ୍ରତିଷ୍ଠିତ ସଦସ୍ୟ ଭାବେ ସମ୍ପୂର୍ଣ୍ଣ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରୁଛି ଏବଂ ଆଗାମୀ ଦିନରେ ମଧ୍ୟ କରିବି । ମୋ ସମ୍ପର୍କରେ ପ୍ରଚାରିତ ବିଭିନ୍ନ ଚର୍ଚ୍ଚା ଓ ଗୁଜବ ସମ୍ପୂର୍ଣ୍ଣ ଅମୂଳକ ଏବଂ ଭିତ୍ତିହନ । ଏପରି ଭ୍ରମାତ୍ମକ ପ୍ରଚାରକୁ କେହି ବିଶ୍ୱାସ କରନ୍ତୁ ନାହିଁ । ମୁଁ ବିଜୁ ଜନତା ଦଳ ସହ ଥିଲି, ଅଛି ଏବଂ ରହିବି ।
ବିକ୍ରମ ଆରୁଖଙ୍କ ଏହି ଭିଡିଓବାର୍ତ୍ତା ଶୁଣିଲା ପରେ ସେଇ ଖବର ତିଆରି ପଛର ରହସ୍ୟ ବାରି ହୋଇପଡୁଛି । ବିଜେଡିକୁ ଦୁର୍ବଳ କରି ଦେଖାଇବା ଯୋଜନାର ଏହା ଆଉ ଏକ ଉଦ୍ୟମ ବୋଲି କୁହାଯାଉଛି । ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ପାଇଁ ଏହା କରାଯାଇଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ବିକ୍ରମ ଆରୁଖଙ୍କ ଭିଡିଓ ଆସିଲା ପରେ ସେଇ ତଥାକଥିତ ଏକ ନମ୍ବର ଟିଭି କେବଳ ଭାଣ୍ଡିଆ ହୋଇନାହିଁ, ମନମୋହନ ସାମଲ ଏବଂ ଗୋକୁଳ ମଲ୍ଲିକ ମଧ୍ୟ ଭାଣ୍ଡିଆ ହୋଇଛନ୍ତି । କାରଣ, ଟିଭିକୁ ପ୍ରତିକ୍ରିୟା ଦେଲା ବେଳେ ଉଭୟ ଖୁବ୍ ଉତ୍ସାହିତ ଥିଲେ । ଲାଗୁଥିଲା, ଯେମିତି ବିଜେଡିରୁ ନେତା ଆଣିବାକୁ ମିଳିମିଶି ସମସ୍ତେ ଆତୁର ଅଛନ୍ତି ।
ମନମୋହନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ସମସ୍ତଙ୍କ ପାଇଁ ଦଳ ଓପନ୍ ଅଛି । ଗଞ୍ଜାମ ଜିଲ୍ଲା ସହିତ ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି । ମନ୍ତ୍ରୀ ଗୋକୁଳାନନ୍ଦ ତ ବିକ୍ରମ ଆରୁଖଙ୍କୁ ନେଇ ସିଧା ନିର୍ବାଚନ ଅଙ୍କ ଗାରେଇ ଥିଲେ । ବିକ୍ରମ ବାବୁ ଆସିଲେ ଗଞ୍ଜାମରେ ବିଜେପିର ଶକ୍ତିବୃଦ୍ଧି ହେବ । ଜିଲ୍ଲାରେ ଆମେ ୧୩ ସିଟ୍ ରୁ ୧୧ଟି ଜିତିଛୁ । ଆଗାମୀ ନିର୍ବାଚନରେ ୧୩ରୁ ୧୩ ସିଟ୍ ଜିତିବୁ ବୋଲି ଦମ୍ଭର ସହ କହିଥିଲେ ।