ଭୁୁବନେଶ୍ୱର: କୋଟିପତି ପିଏସ୍ ବିରଞ୍ଚି ସାହୁ ଚାକିରିରୁ ତଡ଼ା ଖାଇଥିବା ସବୁ ଗଣମାଧ୍ୟମରେ ଖବର ହୋଇଛି । ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା କୁହାଯାଇଛି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ମିଡ଼ିଆକୁ ଏହି ସୂଚନା ଦିଆଯାଇ ନାହିଁ । ତେବେ ସେ ଯାହା ହେଉ, ବିରଞ୍ଚି ସାହୁ ଚାକିରିରୁ ତଡ଼ା ଖାଇବା ଅପରିହାର୍ଯ୍ୟ ଏଥିରେ କାହାର ଦ୍ୱିମତ ନଥିଲା ବେଳେ ନିର୍ଦ୍ଦିଷ୍ଟ ନୀତି ନିୟମ ବ୍ୟତିରକେ ସରକାରଙ୍କ ତରବରିଆ କାର୍ଯ୍ୟାନୁଷ୍ଠାନ(ଯଦି ସତ ହୋଇଥାଏ) ଅନେକଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଏଭଳି କାର୍ଯ୍ୟାନୁଷ୍ଠାନରୁ ବିରଞ୍ଚି ଖସି ଯାଇପାରନ୍ତି ବୋଲି ସେମାନଙ୍କର ଆଶଙ୍କା ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପିଏସ୍ ପଦରେ ଦୀର୍ଘ ୨୬ ବର୍ଷ ଧରି ଚାକିରି କରି ଆସୁଥିବା ବିରଞ୍ଚି ସାହୁଙ୍କ ଘରେ ଭିଜିଲାନସ୍ ଚଢ଼ାଉ କରି ସାଢ଼େ ତିନି କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି । ଚାକିରି କରାଇବା ନାଁରେ ଆଶାୟୀଙ୍କଠାରୁ ସେ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ଜଳ ଜଳ ଦିଶୁଛି । ଭିଜିଲାନସ୍ ତାଙ୍କୁ ଗିରଫ କରିଛି ଏବଂ ଆଜିଠାରୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚୁରା କରୁଛି ।
ଏଭଳି ଅସାଧୁ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବା ମେଜର୍ ପେନାଲିଟିସ୍ ନିମନ୍ତେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସିଏ)ରୁଲସ୍,୧୯୬୨ର ରୁଲ୍ ୧୫ ରେ ବ୍ୟବସ୍ଥା ଅଛି । ଏଥିରେ ସଂପୃକ୍ତ କର୍ମଚାରୀ(ଡେଲିକୁଏଣ୍ଟ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାର ତରିକା ସ୍ପଷ୍ଟ ଉଲ୍ଲେଖ ରହିଛି ।
ଏଭଳି କ୍ଷେତ୍ରରେ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆଧାରରେ ଚାର୍ଜସିଟ୍ ପ୍ରସ୍ତୁତ କରିବେ, ପକ୍ଷ ରଖିବାକୁ ଅନ୍ତତଃପକ୍ଷେ ୧୦ ଦିନ ସମୟ ଦେବେ । ବିରଞ୍ଚିଙ୍କ କ୍ଷେତ୍ରରେ ଏହା ନ ହୋଇଥିଲେ ଏଥିରୁ ଖସିବା ପାଇଁ ସେ କୋର୍ଟର ଆଶ୍ରୟ ନେଇପାରନ୍ତି । ଏବଂ କୋର୍ଟରେ ନିଜ ସପକ୍ଷରେ ରାୟ ଆଣିବା ବି ଅସମ୍ଭବ ନୁହେଁ ।
ଅତୀତରେ ପିପିଲି ବେବିନା ମୃତ୍ୟୁ ଘଟଣାରେ ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟ ସରକାରଙ୍କ ତରବରିଆ ନିଷ୍ପତ୍ତିର ସୁଯୋଗରେ ହାଇକୋର୍ଟରୁ ଖସି ଆସିଥିଲେ । ସିସିଏ ରୁଲସ୍,୧୯୬୨ ଠିକ୍ ଭାବେ ଅନୁପାଳନ ହୋଇ ନ ଥିବାରୁ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ତାଙ୍କ ଚାକିରି ବଞ୍ଚିଯାଇଥିଲା । ବିରଞ୍ଚିଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ନ ହେବା ଦରକାର । ଦୋଷୀ କଠୋର ଶାସ୍ତି ନ ପାଇଲେ ଏଭଳି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ ।