ଭୁବନେଶ୍ୱର: ନିର୍ବାଚନ କମିସନଙ୍କ ନାଁ ନେଇ ନିର୍ବାଚନ ଡୁ୍ୟଟିରେ ଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଓଡ଼ିଶାର ବିଜେପି ନେତା ଓ ପ୍ରାର୍ଥୀମାନେ ଧମକୋଉଛନ୍ତି, ବଦଳି କରିଦେବେ ବୋଲି ଡରଉଛନ୍ତି । ତଥ୍ୟ ପ୍ରମାଣ ସହ ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ସେମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ହେଉନାହାନ୍ତି । ଆଜି ଏହି ମର୍ମରେ ରାଜ୍ୟ ବିଜେଡି ପ୍ରତିନିଧି ଦଳ ପୁନର୍ବାର ସିଇଓଙ୍କଠାରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବିଜେଡିର ଅଭିଯୋଗ ଅନୁଯାୟୀ, ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗାଁରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଦଯାତ୍ରା କଲା ବେଳେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳର ଦୃଶ୍ୟକୁ ସ୍ଥାନୀୟ ସାମ୍ବାଦିକ ପ୍ରକାଶ ହାତୀ ମୋବାଇଲ୍ ରେ ରେକର୍ଡିଂ କରୁଥିବା ଦେଖି ଚିଲିକା ବିଧାୟକ ତାଙ୍କୁ ଗାଳିଗୁଲଜ କରି ଧକ୍କା ମାରିବା ସହ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏ ସମ୍ପର୍କରେ ପ୍ରକାଶ ଜଙ୍କିଆ ଥାନାରେ ଅଭିଯୋଗ କରିବା ପରେ ବିଳମ୍ବିତ ରାତିରେ ବିଧାୟକ ଜଗଦ୍ଦେବ ମଦପିଇ ଥାନାକୁ ଯାଇଥିଲେ ଏବଂ ମାମଲା ରଫାଦଫା ପାଇଁ ଆଇଆଇସିଙ୍କୁ ଧମକାଇଥିଲେ । ନଚେତ୍ ନିର୍ବାଚନ କମିସନଙ୍କ ଜରିଆରେ ତାଙ୍କୁ ବଦଳି କରିବା ସହ କଠୋର ଦଣ୍ଡ ମିଳିବ ବୋଲି ଡରେଇଥିଲେ ।
ପୂର୍ବରୁ ଗଞ୍ଜାମ ଓ ଗଜପତିରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ନିର୍ବାଚନ କମିସନଙ୍କ ନାଁକୁ ଅପବ୍ୟବହାର କରି ସରକାରୀ ଅଧିକାରୀମାନଙ୍କୁ ଧମକ ଚମକ ଦେଉଥିବା ସିଇଓଙ୍କ ପାଖରେ ଅଭିଯୋଗ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ ପ୍ରାର୍ଥୀମାନେ ବିଡିଓ, ତହସିଲଦାର, ଆଇଆଇସି, ଡିଏସପିମାନଙ୍କୁ ଏଭଳି ଢ଼ଙ୍ଗରେ ବଦଳି ଧମକ ଦେଉଥିବା ନେଇ ସିଇଓଙ୍କ ନଜରକୁ ଅଣାଯାଇଥିଲା ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।
ରାଜ୍ୟରେ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ ନିର୍ବାଚନ ପାଇଁ ବିଜେପି ନେତାଙ୍କ ଏଭଳି ଆଚରଣ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇଓଙ୍କୁ ନିବେଦନ କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ମଦପିଇ ଜଙ୍କିଆ ଥାନା ଆଇଆଇସିଙ୍କୁ ଧମକାଇଥିବା ନେଇ ବିଜେଡି ଆଣିଥିବା ଅଭିଯୋଗକୁ କିନ୍ତୁ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଆଁରେଇ ଦେଇଛନ୍ତି । ବିଳମ୍ବିତ ରାତିରେ ସେ ଥାନା ଆଇଆଇସିଙ୍କ ପାଖକୁ ଯାଇଥିଲେ, ମାତ୍ର ମଦ ପିଇ ନ ଥିଲେ କି ତାଙ୍କୁ ଧମକେଇ ନ ଥିଲେ ବୋଲି ବିଧାୟକ କହିଛନ୍ତି ।
ଅନ୍ୟପକ୍ଷରେ, ପୁରୀ ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ଶ୍ରୀ ପାତ୍ର ଏବଂ ତାଙ୍କର ଟିମ୍ ନିର୍ବାଚନମଣ୍ଡଳୀର ଘରେ ଘରେ
ବିଜେପି ଲୋଗା, ପଦ୍ମ ଚିହ୍ନ ଏବଂ ସମ୍ବିତ ପାତ୍ରଙ୍କ ଫଟୋ ରହିଥିବା ଘଣ୍ଟା ବାଣ୍ଟୁଛନ୍ତି । ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଇଓଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେଡି ପ୍ରତିନିଧି ଦଳ ।
ତେବେ ବିଜେଡିର ଏହି ଅଭିଯୋଗ ସଂକ୍ରାନ୍ତରେ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିନାହିଁ ।