ଭୁବନେଶ୍ୱର: କର୍ଲି ଟେଲସ୍ ପ୍ରତିଷ୍ଠାତା ତଥା ସାମ୍ବାଦିକା କାମିୟା ଜାନିଙ୍କ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବସି ମହାପ୍ରସାଦ ସେବନ ଘଟଣାକୁ ରାଜ୍ୟ ବିଜେପି ବିବାଦ ଭିତରକୁ ଟାଣିଛି । ଦଳର ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେଡି ପକ୍ଷରୁ ପାଲଟା ସାମ୍ବାଦିକ ସମ୍ମିଳନୀରେ ଏହାର ଜବାବ ଦିଆଯାଇଛି । ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ରାଜ୍ୟ ବିଜେପି ନେତା ନାଟକ କରୁଛନ୍ତି । ମନ୍ଦିର ଭିତରକୁ କୌଣସି କ୍ୟାମେରା ଯାଇନାହିଁ ଏବଂ ମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ମହାପ୍ରସାଦ ସେବନ କରାଯାଇଛି ବୋଲି ଦଳର ମୁଖପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ନିଜେ କାମିୟା ତାଙ୍କ ସୋସିଆଲ୍ ମିଡିଆ ହାଣ୍ଡଲ୍ ରେ ମୁଁ କେବେ ଗୋମାଂସ ଖାଇନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ଦେଶର ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରମୋଟ୍ କରିବା ପାଇଁ ସେ କାର୍ଯ୍ୟ କରୁଥିବା କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ମନ୍ଦିର ଭିତରକୁ କାମିୟା ଜାନି କ୍ୟାମେରା ନେଇ ଯାଇନାହାନ୍ତି ବୋଲି ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ, ବିଜେପି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଅଭିଯୋଗ କରିଥିଲେ ଯେ କାମିୟା ଜଣେ ଅଭକ୍ଷଣୀ । ସେ ଗୋରୁ ମାଂସ ଖାଆନ୍ତି । ଶ୍ରୀ ପାଣ୍ଡିଆନଙ୍କ ସାକ୍ଷାତକାର ପାଇଁ ସେ ଶ୍ରୀମନ୍ଦିରକୁ କ୍ୟାମେରା ନେଇ ଯାଇଥିଲେ ଏବଂ ସାଙ୍ଗରେ ବସି ମହାପ୍ରସାଦ ସେବନ କରିଥିଲେ ।
ତେବେ ବିଜେଡି ପକ୍ଷରୁ ଏହାକୁ ମିଛ ଦର୍ଶାଯାଇ ଶ୍ରୀକ୍ଷେତ୍ରର ବିକାଶକୁ ବିଜେପି ନେତା ସହିପାରୁନାହାନ୍ତି ବୋଲି ସମାଲୋଚନା କରାଯାଇଛି । ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଇପସିତା ସାହୁ ଏବଂ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରୁଥିବା ଉନ୍ନତିମୂଳକ କାର୍ଯ୍ୟ ଦେଖି ରାଜ୍ୟ ବିଜେପି ଓ ଏହାର ନେତା ଅତ୍ୟନ୍ତ ଇର୍ଷାନ୍ୱିତ । ରାଜ୍ୟ ବିଜେପି ନେତାଙ୍କ ମନରେ ପ୍ରକଳ୍ପକୁ ନେଇ ଅସହିଷ୍ଣୁତା ଭରି ରହିଛି । ସେଥିପାଇଁ ସବୁ ରାଜନୈତିକ ଦଳର ନେତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରାଜ୍ୟ ବିଜେପିର କର୍ମୀ ଅଣ୍ଡା ମାରିଥିଲେ ।
ସେମାନେ କହିଛନ୍ତି ଯେ, ଓଡିଶା ବିଜେପି ନେତାଙ୍କୁ ଲଜ୍ଜା ଲାଗିବା କଥା, କୈାଣସି ଭଲ କାମକୁ ଏମାନେ ସହି ପାରନ୍ତି ନାହିଁ । ପରିକ୍ରମା ପକ୍ରଳ୍ପକୁ ରାଜ୍ୟ, ଜାତୀୟ ସ୍ତରରେ ସଭିଏଁ ପ୍ରଶଂସା କରୁଛନ୍ତି । ଯାହା ରାଜ୍ୟ ବିଜେପି ନେତାଙ୍କ ବଦହଜମୀ କରୁଛି । ଓଡିଶାର ପ୍ରଶଂସା ଶୁଣିଲେ ରାତିର ନିଦ ଉଡିଯାଉଛି । ଡାହା ମିଛ କହି କୁତ୍ସାରଟନା କରନ୍ତି।
ଯେଉଁ ଭିଡିଓର ଉଦାହରଣ ଦେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା, ଏଥିରେ ଆଦୌ ସତ୍ୟତା ନାହିଁ । ମନ୍ଦିର ଭିତରକୁ କୈାଣସି କ୍ୟାମେରା ଯାଇନାହିଁ, ଯଦି ପ୍ରମାଣ ଅଛି ସାମ୍ନାକୁ ଆଣନ୍ତୁ । ମହାପ୍ରସାଦ ମନ୍ଦିର ଭିତରେ ନୁହେଁ, ମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ସେବନ କରାଯାଇଛି । ବିଶ୍ୱର କୋଣ ଅନୁକୋଣରେ ସଭିଙ୍କ ପାଖରେ ମହାପ୍ରସାଦର ମାହାତ୍ମ୍ୟ ଓ ପୈାରାଣିକ ତଥ୍ୟ ପହଁଚାଇବାକୁ ଉଦ୍ୟମ କରାଯାଇଥିଲା । ଯାହା ନିର୍ବୋଧ ରାଜ୍ୟ ବିଜେପି ନେତାଙ୍କୁ ବୁଝାପଡିଲାନି ।
ଓଡିଶା ବିଜେପି ନେତା ବହୁ ଚେଷ୍ଟା କରିଥିଲେ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଟକାଇବେ । ସେମାନଙ୍କ ଶତ ଚେଷ୍ଟା ବିଫଳ ହୋଇଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଛା ବିନା ପତ୍ରଟେ ହଲେନି ଏକଥା ସାଢେ ୪ କୋଟି ଓଡିଶାବାସୀ ବେଶ ଭଲ ଭାବେ ଜାଣନ୍ତି । ଯେତେ ଚକ୍ରାନ୍ତ, ଷଡଯନ୍ତ୍ର କରି ରାଜ୍ୟ ବିଜେପି ନେତା ପ୍ରକଳ୍ପ କାର୍ଯ୍ୟ ଅଟକାଇବାକୁ ଉଦ୍ୟମ କଲେ, ସବୁ କିଛି ଫେଲ୍ ମାରିଥିଲା । ଏବଂ ମହାପ୍ରଭୁଙ୍କ ଇଛା ଅନୁସାରେ ହିଁ ଶେଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା । ପ୍ରକଳ୍ପ ପାଇଁ ଜମି ଦେଇଥିବା ସ୍ଥାନୀୟ ଜନତାଙ୍କ ତ୍ୟାଗ, ଦୁଇ ବର୍ଷ ଧରି ଦିନ ରାତି ନିରନ୍ତର ପରିଶ୍ରମ ପରେ ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଯାଉଛି । ହେଲେ ନିଜର ମିଛ ଖବରର ପୁରୁଣା କୈାଶଳ ଆପଣାଇ, ଇର୍ଷାନ୍ୱିତ ରାଜ୍ୟ ବିଜେପି ଓ ସେହି ନିର୍ଦ୍ଦିଷ୍ଟ ନେତା ଅପପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି । ଓଡିଶା ବିଜେପି ଓ ସେହି ବ୍ୟକ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।






