ଭୁବନେଶ୍ୱର: ଏସସିବିରେ ଜଣେ ମାନସିକ ରୋଗୀକୁ ପିଟି ପିଟି ମାରିଦେବା ଏବଂ ଏସଆଇଆର ପ୍ରକ୍ରିୟାରେ ସାଂଘାତିକ ଅନିୟମମିତାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଧାରଣ ସମ୍ପାଦକ ବିଜୟ ନାୟକ ଓ ମୁଖପାତ୍ର ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାରକୁ କଟୁ ସମାଲୋଚନା କରିଥିଲେ ।
ଶ୍ରୀ ନାୟକ କହିଥିଲେ, ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏସସିବି ହେଉଛି ରାଜ୍ୟର ଏକ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ, ଯେଉଁଠି ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେମାନେ ଚିକିତ୍ସା ପାଇଁ ଆସିଥାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ହସ୍ପିଟାଲ କରିବା ପାଇଁ ପ୍ରୟାସ କରିଥିଲେ । ୫ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ବିଜେପି ସରକାରଙ୍କ ଅପାରଗତା ପାଇଁ ସାରା ଦେଶରେ ଏସସିବି ନିନ୍ଦିତ ହେଉଛି । ଏସସିବିରେ ଲୋକେ ସେବା ବଦଳରେ ନିର୍ଯାତନା ପାଉଛନ୍ତି । ମାନସିକ ଚିକିତ୍ସା ପାଇଁ ଆସିଥିବା ରୋଗୀକୁ ସୁରକ୍ଷାକର୍ମୀ ମାନେ ଶୌଚାଳୟରେ ବନ୍ଦ କରି ପିଟିପିଟି ମାରିଦେଲେ । କିନ୍ତୁ ହସ୍ପିଟାଲ କର୍ତ୍ତ୍ୟପକ୍ଷ ଘଟଣା ବାବଦରେ ଜାଣିପାରିଲେ ନାହିଁ । ଗତ ମାର୍ଚ୍ଚ ମାସରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ଟି ଅମୂଲ୍ୟ ଜୀବନ ଚାଲିଗଲା, କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏହି ଘଟଣାରେ କାହାକୁ ଉତ୍ତରଦାୟୀ କରାଗଲାନି । ହସ୍ପିଟାଲ ଅଧ୍ୟକ୍ଷ ଏଥିପାଇଁ ଦାୟୀ ଥିବାବେଳେ ତାଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଏତେ ବଡ ଘଟଣା ଘଟିବା ପରେ ବି ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ନିନ୍ଦନୀୟ ।
ଏସଆଇଆର ସମ୍ପର୍କରେ ବିଜୟ ନାୟକ କହିଥିଲେ ଯେ ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ବର୍ତ୍ତମାନ ବିବାଦ ଘେରରେ ଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଘଟଣା ସନ୍ଦେହ ଘେରରେ ରହିଛି । କେନ୍ଦ୍ରାପଡ଼ା ସମେତ ଧାମନଗର ଆଦି ସ୍ଥାନରେ ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ଥିବା ନେଇ ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ଶୂନ । ଏତେ ପରେ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ସନେ୍ଦହ ସୃଷ୍ଟି କରିଛି । ଏସଆଇଆର ପ୍ରକିୟା ନେଇ ଦେଶର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ରାଜ୍ୟର ୨୭ ଲକ୍ଷ ୫୦ ହଜାର ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । କେତେ ଯୋଗ୍ୟ ଓ ଅଯୋଗ୍ୟ ଭୋଟର୍ ବାଦ୍ ପଡିଲେ, ସେନେଇ ତଥ୍ୟ ମାଗିବା ପରେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ । ବିଜେଡି ପକ୍ଷରୁ ବାରମ୍ବାର ଅଭିଯୋଗ ଓ ଦାବିପତ୍ର ପରେ ମଧ୍ୟ ପଦକ୍ଷେପ ଶୂନ । ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି । ତେବେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଡ଼ ମହାନ୍ତି କହିଥିଲେ, ଏସସିବି ହସ୍ପିଟାଲରେ ପିଟି ପିଟି ରୋଗୀକୁ ମାରିଦେବା ଘଟଣା ଓ ଏସଆଇଆର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ସନ୍ଦେହ ସୃଷ୍ଟି କରୁଛି । ଏସସିବି ହସ୍ପିଟାଲ ରାଜ୍ୟର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର । ସେବା ପାଇଁ ଆସିଥିବା ରୋଗୀକୁ ପିଟି ପିଟି ମାରିଦେବା ରାଜ୍ୟ ପାଇଁ ଲଜ୍ଜାଜନକ ଘଟଣା । ଏସସିବି ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଚୂଡାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିପାରିଲା ନାହିଁ । ବିଜେଡି ଶାସନ ସମୟରେ ଯେତେବେଳେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା, ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ । ସେହିପରି ଏସଆଇଆର ପ୍ରକ୍ରିୟାରେ ଅନେକ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଗୋଟିଏ ସମୁଦାୟକୁ କାଟିବା ପାଇଁ ଧାମନଗର ଓ ଅନ୍ୟ ଜିଲ୍ଲାରେ ପ୍ରୟାସ କରାଯାଇଛି, ବିଜେପି ସରକାର ଚାପରେ ଏହା କରାଯାଇଛି । ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନ୍ୟ ବାଟ ନପାଇ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ।