ଭୁବନେଶ୍ୱର: ଗଞ୍ଜାମର କୁକୁଡାଖଣ୍ଡି ପଞ୍ଚାୟତ ସମିତିର ଗତ ଚାରିମାସ ହେବ ଅଧ୍ୟକ୍ଷ ପଦ ଖାଲି ପଡିଥିଲା ବେଳେ, ଆଜି କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭ୍ୟମାନେ ଓ ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏହି ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛନ୍ତି । ବିଜୁଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବା ବେଳେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସରକାରୀ ଦଳରଏହି ପଦବୀ ପାଇଁ ବିଜୟ ସମ୍ଭାବନା ନଥିବାରୁ, ନିର୍ବାଚନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।
ଡଃ ସାହୁ କହିଥିଲେ, ଗତ ସାଧାରଣ ନିର୍ବାଚନ ପରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦେହାନ୍ତ ହୋଇଥିଲା । ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ସେହି ପଦ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା କଥା, କିନ୍ତୁ ନିର୍ବାଚନ ପାଇଁ କୌଣସି ତତ୍ପରତା ଦେଖାଯାଇ ନଥିଲା ।ସେଠାକାର ପଞ୍ଚାୟତ ସମିତି ସଭ୍ୟମାନେ ନିର୍ବାଚନ କରିବା ପାଇଁ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ । ମାମଲାର ଶୁଣାଣି କରିବା ପରେ, ଉଚ୍ଚ ନ୍ୟାୟାଳୟ ତୁରନ୍ତ ନିର୍ବାଚନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଇତିମଧ୍ୟରେ ଚାଳିଶ ଦିନ ବିତିଯାଇଥିଲେ ମଧ୍ୟ ନିର୍ବାଚନ କରାଯାଇନାହିଁ । ଦୁଇ ଦୁଇ ଥର ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ନ ଆସିବାରୁ ନିର୍ବାଚନ ହୋଇପାରି ନାହିଁ ।
ଡଃ ସାହୁ କହିଥିଲେ, ଯେଉଁ ସ୍ଥାନରେ ସରକାରୀ ଦଳର ବିଜୟ ସମ୍ଭାବନା ଅଛି କେବଳ ସେହି ସ୍ଥାନରେ ନିର୍ବାଚନ ହୋଇଯାଉଛି ଓ ଯେଉଁ ସ୍ଥାନରେ ସରକାରୀ ଦଳର ବିଜୟ ସମ୍ଭାବନା ନାହିଁ, ସେହି ସ୍ଥାନରେ ସରକାରଙ୍କ ଚାପରେ ଅଧିକାରୀମାନେ ଆସୁନାହାନ୍ତି । ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇଥିବା ବେଳେ ସରକାର ନିଜ କ୍ଷମତାର ଅପବ୍ୟବହାର କରି ନିର୍ବାଚନକୁ ରୋକିବା ଏକ ନିନ୍ଦନୀୟ ଘଟଣା । ସରକାରଙ୍କ ଚାପରେ ଅଧିକାରୀମାନେ ଚେପା ହୋଇ ଯାଉଛନ୍ତି, ଯାହା ଫଳରେ ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ।କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦେହାନ୍ତ ପରଠାରୁ କୌଣସି ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆମେ ଅଧ୍ୟକ୍ଷ ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛୁ । ତାଛଡା ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ନିର୍ବାଚନ ପରି ଗଣତାନ୍ତ୍ରିକ ପ୍ରକିୟାକୁ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଲାଗି କ୍ଷମତାର ଅପବ୍ୟବହାର ନକରନ୍ତୁ ।
ବିଜେଡି ପ୍ରତିନିଧିମଣ୍ଡଳୀରେ ଡଃ ଅରୁଣ ସାହୁଙ୍କ ବ୍ୟତୀତ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି, ମୁଖପାତ୍ର ଭୃଗୁ ବକ୍ସିପାତ୍ର, ମୁଖପାତ୍ର ତୁମ୍ୱନାଥ ପଣ୍ଡା, ମୁଖପାତ୍ର ମିହିର ରାୟ ଓ କୁକୁଡ଼ାଖଣ୍ଡି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚମାନେ ଥିଲେ ।