ଭୁବନେଶ୍ୱର: କଟକ ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ କଟକ ଡିସିପିଙ୍କୁ ଭେଟି ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ଜଣାଇବା ସହିତ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଛି ବୋଲି ମନ୍ତବ୍ୟ ରଖିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ, ଗତ ପାଞ୍ଚ ମାସରେ ସାତଟି ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି, ଯାହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସୂଚାଉଛି ।
କଟକର ବାଦାମବାଡ଼ି ପୋଲିସ ଥାନାରେ ନଭେମ୍ୱର ୪ ତାରିଖରେ ରୁଜୁ ହୋଇଥିବା ଘଟଣାରେ, ଦଳିତ ପରିବାରର ଏକ ଝିଅକୁ କିଛି ଯୁବକ ପ୍ରାୟ ଏକ ମାସ ଧରି ବ୍ଲାକମେଲ କରିବା ସହିତ ଗଣଦୁଷ୍କର୍ମ କରି ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଦୁଷ୍କର୍ମ କରିଥିବା ଯୁବକମାନେ ପୀଡ଼ିତାଙ୍କ କିଛି ଫଟୋ ରଖି ତାକୁ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାର ଗୁରୁତ୍ୱ ଉପଲବ୍ଧô କରି ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ କଟକ ଡିସିପିଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଦଳ ତରଫରୁ ଦିଆଯାଇଥିବା ସ୍ମାରକ ପତ୍ରରେ କୁହାଯାଇଛି, ପୀଡିତାଙ୍କ ଅଭିଯୋଗ ବାଦାମବାଡ଼ି ପୋଲିସ ଥାନାରେ ଗ୍ରହଣ କରାଯିବା ପୂର୍ବରୁ ସେ ବାରଙ୍ଗ ଥାନା, ପୁରୀଘାଟ ଥାନା ଓ ସଦର ଥାନାକୁ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇ ନ ଥିଲା । ଗୋଟିଏ ପଟେ ପୋଲିସ ତାଙ୍କ ଅଭିଯୋଗ ରଖୁ ନ ଥିଲା ବେଳେ, ଅପର ପକ୍ଷରେ ଦୁଷ୍କର୍ମକାରୀମାନେ ତାଙ୍କୁ ବ୍ଲାକମେଲ କରି ବାରମ୍ୱାର ଗଣବଳକ୍ରାର କରୁଥିଲେ । ମାମଲା ରୁଜୁ ହେବା ନେଇ ପୋଲିସର ଟାଳଟୁଳ ନୀତି ସରକାରୀ ଦଳର ଇଙ୍ଗିତରେ ହୋଇଥିଲା ବୋଲି ସନେ୍ଦହ ପ୍ରକାଶ ପାଇଛି । ଦୁଷ୍କର୍ମ ଘଟିଥିବା କାଫେଟି ଗତ ନିର୍ବାଚନ ସମୟରେ ବିଜେପି କାର୍ଯ୍ୟାଳୟ ହୋଇଥିଲା ବୋଲି ଜଣାପଡିଛି, ଯାହା ସନେ୍ଦହର ମୁଖ୍ୟ କାରଣ । ସ୍ମାରକ ପତ୍ରରେ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଏହି ସବୁ ଦିଗରୁ ଅନୁସନ୍ଧାନ ହେଉ ବୋଲି ଦାବି କରିବା ସହିତ ଯେଉଁ ପୋଲିସ ଅଧିକାରୀମାନେ ଅଭିଯୋଗ ରଖି ନଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିସିପିଙ୍କ ନିକଟରେ ଦାବି କରାଯାଇଛି ।
ଡିସିପିଙ୍କୁ ଭେଟି ଫେରିବା ପରେ ବିଜୁଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ, ଗତ ପାଞ୍ଚ ମାସରେ ସାତଟି ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି । ଏହିଘଟଣା ଘଟିଥିବା କାଫେଟି ଗତ ନିର୍ବାଚନ ସମୟରେ ବିଜେପିର ଅଫିସ ହୋଇଥିବା ବେଳେଏହି ଘରର ମାଲିକ ଜଣେ ବିଜେପି କର୍ମୀ । ସେହିପରି, କାଫେଟିର ପାଖ ଘର ହେଉଛି ବିଜେପି କର୍ପୋରେଟରଙ୍କର । ପୋଲିସ ଅଭିଯୋଗ ଗ୍ରହଣ କରିବାରେ ବିଳମ୍ୱର କାରଣଏହି ରାଜନୈତିକ ବ୍ୟକ୍ତି ହୋଇଥାଇ ପାରନ୍ତି । ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ସହିତ ଉପଯୁକ୍ତ ସୁରକ୍ଷା ପାଇଁ ଆମେ ଦାବି କରିଛୁ ।
ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ସ୍ନେହାଙ୍ଗିନୀ ଛୁରିଆଙ୍କ ବ୍ୟତୀତ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ ଗୀତା ବସ୍ତିଆ, ଶ୍ରୀମତୀ ଭାରତୀ ସିଂ, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ ଇପ୍ସିତା ସାହୁ, ଶ୍ରୀମତୀ ସୁମିତ୍ରା ଜେନା, ଶ୍ରୀମତୀ ତନ୍ମୟା ରାୟ ଓ କଟକ ମହାନଗର ମହିଳା ସଭାପତି ଶ୍ରୀମତୀ ପୂର୍ଣ୍ଣିମା ସିଂଙ୍କ ସହିତ ବହୁ ମହିଳାନେତ୍ରୀ ଯୋଗ ଦେଇଥିଲେ ।