ଭୁବନେଶ୍ୱର: ଜୟ ଢ଼ୋଲକିଆଙ୍କୁ ବିଜେଡିଠାରୁ ଛଡ଼େଇ ନେଲା ବିଜେପି । ତାଙ୍କ ବାପା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ନାଁରେ ବିଜେଡି ଅନୁକମ୍ପା ଭୋଟ ଗୋଟେଇବା ଯୋଜନା ଫସର ଫାଟିଗଲା । ବିଜେଡି କ୍ଷମତାରେ ନ ଥିବାରୁ ଅନୁକମ୍ପା ଭୋଟ ଉପରେ ନିର୍ଭରଶୀଳ ହେବା ସାଧାରଣ କଥା । ବିଜେପି କ୍ଷମତାରେ ଥିବାରୁ କଳେବଳେ କୌଶଳେ ବିରୋଧୀ ଯୋଜନାକୁ ଭଣ୍ଡୁର କରିବା ମଧ୍ୟ ସେହି ସାଧାରଣ କଥା । ବିଜେଡି କ୍ଷମତାରେ ଥିବା ବେଳେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ନିଜ ଦଳକୁ ଆଣି ଉପନିର୍ବାଚନରେ ଟିକେଟ୍ ଦେଇଥିଲା । ରାଜନୀତି ଖେଳରେ ଏମିତି ହୁଏ । ଅର୍ଥ କ୍ଷମତା ଯେଉଁଠି ଘୋଡ଼ା ବେପାର ସେଇଠି । କେବଳ ମିଡିଆରେ ନାଁକୁ ଆରୋପ ପ୍ରତ୍ୟାରୋପ ଚାଲେ ।
ଜୟ ଢ଼ୋଲକିଆ ବିଜେପିକୁ ଚାଲିଗଲେ ବୋଲି ବିଜେଡି ଯେ ସଫା ହୋଇଗଲା କି ବିଜେପି ଜିତିଗଲା, ସେମିତି ଭାବିବା ଭୁଲ୍ ହେବ । ରାଜନୀତିରେ କିଛି ବି ସମ୍ଭବ ହୋଇପାରେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମ୍ଭାବନା ଉଜ୍ଜଳ ବୋଲି ତ ଅନେକ ଆକଳନ କଲେଣି । ବାସ୍ତବତା ହେଉଛି, ନୂଆପଡ଼ା ଆସନ ତିନୋଟି ଯାକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜେଡି ଜିତିଲେ ସମ୍ମାନ ରହିବ । ହାରିଲେ ବିଧାନସଭା ଆସନ ସଂଖ୍ୟା ୫୦କୁ ଖସି ଆସିବ । ବିଜେପି ସରକାରରେ ଥିବାରୁ ହାରିଲେ ପତିଆରା ପଳେଇବ, ଜିତିଲେ ବିଧାନସଭା ଆସନ ସଂଖ୍ୟା ୭୯ ରେ ପହଞ୍ଚିବ । ଆଉ କଂଗ୍ରେସ ଜିତିଲେ କଥା ସରିଲା । ଆଗକୁ ଖେଳ ଜମିବ ।
ତେବେ ବଡ଼ କଥା ହେଉଛି, ଜୟ ଢ଼ୋଲକିଆଙ୍କୁ କାହିଁକି ଅଟକାଇପାରିଲାନି ବିଜେଡି?
ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରଠାରୁ ହିଁ ବିଜେଡି ନେତାମାନେ ନୂଆପଡ଼ାରେ ଡେରା ପକାଇଥିଲେ । ଜୟଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଉପସ୍ଥାପନ କରି ପ୍ରଚାର ଆରମ୍ଭ କରିଥିଲେ । ପୂର୍ବତନ ସାଂଗଠନିକ ସମ୍ପାଦକ ବବି ଦାସ ସେଠି ରହି ରଣନୀତି ତିଆରି କରୁଥିଲେ । ନିର୍ବାଚନା ପରିଚାଳନା ପାଇଁ ଦଳ ପକ୍ଷରୁ ୬ ଜଣିଆ ଷ୍ଟିୟରିଂ କମିଟି, ୧୦ ଜଣିଆ ଜୋନାଲ୍ କମିଟି ଏବଂ ତିନି ଜଣିଆ ଲୋକାଲ୍ ଆକ୍ସନ୍ କମିଟି ଘୋଷଣା ହୋଇଗଲା ।
ଦଳର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅତନୁ ସବ୍ୟସାଚୀ ନାୟକ ସେଠିକା ଅବସ୍ଥା ପରଖିବାକୁ ନୂଆପଡ଼ାରେ ଡେରା ପକାଇଲେ ।
ମାତ୍ର ଏତେ ସବୁ ସତ୍ତ୍ୱେ ଜୟଙ୍କୁ ଆନୁଷ୍ଠାନିକ ଭାବେ ବିଜେଡ଼ି କାହିଁକି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କଲା ନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରିଛି ।
ଦଳ ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ସେ ଫେରିଲା ପରେ ଯାଇ ଆନୁଷ୍ଠାନିକ ଘୋଷଣା ହେବ ବୋଲି କୁହାଗଲା । ଯଦି ଦିଲ୍ଲୀରେ ଥିବା ନବୀନଙ୍କ ଦସ୍ତଖତରେ ନୂଆପଡ଼ା ଉପନିର୍ବାଚନ ପାଇଁ ୬ ଜଣିଆ ଷ୍ଟିୟରିଂ କମିଟି, ୧୦ ଜଣିଆ ଜୋନାଲ୍ କମିଟି ଏବଂ ତିନି ଜଣିଆ ଲୋକାଲ୍ ଆକ୍ସନ୍ କମିଟି ଘୋଷଣା ହୋଇପାରିଲା ତେବେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାରେ ଅସୁବିଧା କେଉଁଠି ରହିଲା?
ତାଙ୍କର ପ୍ରାର୍ଥୀତ୍ୱ ଘୋଷଣାର ସମୟ ଗଡ଼ାଇ ବିଜେପିକୁ ମୂଲଚାଲ କରିବାର ସୁଯୋଗ ଦିଆଗଲା ନାହିଁ କି?
ଯଦି ପ୍ରଥମରୁ ଜୟଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥାନ୍ତା, ତେବେ ପରିସ୍ଥିତି ନିଶ୍ଚୟ ଭିନ୍ନ ହୋଇଥାନ୍ତା ବୋଲି କୁହାଯାଇପାରେ ।
ଅତଏବ ବିଜେଡି ନେତୃତ୍ୱଙ୍କ ଏହି ଭୁଲ ପଛରେ ଅନ୍ୟ କିଛି କାରଣ ଥିଲା କି ବୋଲି ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଲାଣି ।
ଉଲ୍ଲେଖଥାଉକି, ଜୟଙ୍କ ଟ୍ରାକ୍ ବଦଳିବା ପଛର କାରଣ ଯାହା ହଉନା କାହିଁକି, ବିଜେପି ସହ ବିଜେଡିର ଏହା ଡିଲ୍ ବୋଲି ଅନେକଙ୍କ ମନରେ ଧାରଣା ହୋଇଯାଇଛି । ବାସ୍ତବତା ଯାହା ହେଲେ ବି ଲୋକଙ୍କ ବିଶ୍ୱାସ ଉପରେ ରାଜନୀତି ହୁଏ । ଲୋକଙ୍କର ଏହି ବିଶ୍ୱାସ ହିଁ ଦୁର୍ବଳ ହୋଇ ଆସୁଥିବା ବିଜେଡିକୁ ଖତମ୍ କରିବାକୁ ଯଥେଷ୍ଟ ବୋଲି କୁହାଯାଉଛି । କାରଣ ଗତ ସାଧାରଣ ନିର୍ବାଚନ ଫଳାଫଳ ବିଜେଡି-ବିଜେପି ଡିଲ୍ ର ପରିଣାମ ବୋଲି ଅନେକ ବିଶ୍ୱାସ କରୁଛନ୍ତି । ୨୧ଟି ଯାକ ଲୋକସଭା ଆସନ ବିଜେପି ହାତକୁ ଟେକିଦେଉ ଦେଉ ବିଧାନସଭା ଆସନ ପଳେଇଲା ବୋଲି ଆଜି ବି ଚର୍ଚ୍ଚା ହେଉଛି ।
ଜୟ ଢ଼ୋଲକିଆ ଏପିସୋଡ୍ ବିଜେଡି ପାଇଁ ଆଉ ଏକ ବିପଦ ଯୋଡିଛି ।