ଭୁୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳକୁ ପୂରିବ ୨୩ ବର୍ଷ । ଦଳର ୨୪ ତମ ପୂର୍ତ୍ତି ପାଳନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଆସନ୍ତା ୨୦ ତାରିଖରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ପରଦିନ ଅର୍ଥାତ ୨୧ ତାରିଖରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ୨୬ ତାରିଖରେ କୋଭିଡ କଟକଣାକୁ ଅନୁପାଳନ କରି ତୃଣମୂଳସ୍ତରରୁ ରାଜ୍ୟସ୍ତର ଯାଏଁ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରାଯିବ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ବରିଷ୍ଠ ସାଧାରଣ ସମ୍ପାଦକ ଅତନୁ ସବ୍ୟସାଚୀ ନାୟକ ଏବଂ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି ।
୨୦ ଓ ୨୧ ତାରିଖରେ କାର୍ଯ୍ୟକାରିଣୀ ବୈଠକ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକରେ ଦଳର ସାଙ୍ଗଠନିକ ବିଷୟଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହୋଇ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ । ଏଥିସହ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ ହେବ । ଏହି ବୈଠକରେ ଦଳର ସମସ୍ତ ବିଧାୟକ, ସାଂସଦ ଏବଂ ରାଜ୍ୟ ପରିଷଦର ସଦସ୍ୟମାନେ ଯୋଗଦେବେ ।
ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ । ବିଭିନ୍ନ ଦୃଷ୍ଟିକୋଣରୁ ଏହି ୨ ଦିନିଆ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ସେହିପରି ୩୨ଟି ସାଙ୍ଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସଭ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯିବ ।
୨୬ ତାରିଖ ଦିନ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ, ମ୍ୟୁନିସିପାଲିଟି, ଏନ୍ଏସି ଏବଂ ଭୁବନେଶ୍ୱର, କଟକ ଭଳି ବଡ଼ ବଡ଼ ସହର ସମେତ ବ୍ଲକ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଭିଡ୍ କଟକଣାକୁ ଅନୁପାଳନ କରି ଦଳର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ ପାଳିତ ହେବ ବୋଲି କୁହାଯାଇଛି ।