ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପୁଣି ଚର୍ଚ୍ଚାରେ । ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଶାସନ ବ୍ୟବସ୍ଥାକୁ ନିଜ ଖବରକାଗଜ ସମ୍ପାଦକୀୟରେ କଟୁ ସମାଲୋଚନା କରୁଥିବା ସୌମ୍ୟବାବୁ ଏଥର ଭିନ୍ନ ରୂପରେ ଚର୍ଚ୍ଚାକୁ ଆସିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ହାଇକମାଣ୍ଡ ଅମିତ ଶାହାଙ୍କର ମୁଗ୍ଧ ପ୍ରଶଂସକ ଭାବେ ଆଜି ତାଙ୍କୁ ଦେଖିବାକୁ ମିଳିଛି । ଶାହାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୌମ୍ୟ ।
ବିଜେପି ଆୟୋଜିତ ଉତ୍ସବରେ ଯୋଗଦେଇ ସେ ଅମିତ ଶାହାଙ୍କୁ ଅଦ୍ଭୂତପୂର୍ବ ସଫଳ କାହାଣୀର ନାୟକ ବୋଲି ବର୍ଣ୍ଣନା କରିଛନ୍ତି । କେବଳ ବିଜେପି ନୁହେଁ, ଅନ୍ୟ ଦଳର ଭୋଟ କାଙ୍ଗାଳ ନେତା ଏବଂ ସଫଳତାର ଭୋକରେ ଆକ୍ରାନ୍ତ ନେତାମାନେ ଅମିତ ଶାହାଙ୍କ ଜୀବନୀ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ବହିଟି ୧୧ କୋଟି ବିଜେପି ଲୋକଙ୍କ ପାଖରେ ପହଞ୍ଚାଇବାର ସୂତ୍ର ବି ବତେଇଛନ୍ତି ।
ଆଜି ସ୍ଥାନୀୟ ମେ ଫେୟାର କନଭେନସନ ହଲ୍ ରେ ଅମିତ ଶାହାଙ୍କ ଜୀବନୀ ପୁସ୍ତକ ‘ଅମିତ ଶାହା ଏବଂ ବିଜେପି ଯାତ୍ରା’ ର ଓଡ଼ିଆ ଅନୁବାଦ ଉନ୍ମୋଚନ ଉତ୍ସବରେ ସୌମ୍ୟବାବୁ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ସେ ଯୋଗଦେଇଛନ୍ତି ବୋଲି ଆରମ୍ଭରୁ ସଫେଇ ଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାମ୍ବାଦିକ ସପନ ଦାସଗୁପ୍ତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଆଉ ସେଠାରେ ବିଜେପି ନେତା/କର୍ମୀଙ୍କ ଭିଡ଼ରେ ନିଜର ଉପସ୍ଥିତିକୁ ନେଇ ଦ୍ୱନ୍ଦରେ ପଡ଼ିଥିବା ସୌମ୍ୟବାବୁ ଉକ୍ତ ସଭାକୁ ବିଜେପି ନବେ ଦଶକର ଓଲଡ୍ ବଏଜ୍ ଆସୋସିଏସନ୍ ସଭା ବୋଲି ପରିବେଶକୁ ହାଲକା କରିବାକୁ ଚେଷ୍ଟା କରିଥିଲେ ।
ସୌମ୍ୟ ତାଙ୍କ ଭାଷଣରେ ଅମିତ ଶାହାଙ୍କ ରାଜନୈତିକ ସଫଳତା, ମାର୍ଗଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । କହିଥିଲେ, ସଂଘର୍ଷ ଏବଂ ତଳସ୍ତରର ଲୋକଙ୍କ ସହ ନିଜକୁ ଯୋଡିବା ରାଜନୀତିରେ ସଫଳତାର ମନ୍ତ୍ର । ଅମିତ ଶାହାଙ୍କ ଜୀବନୀରୁ ଏହି ମାର୍ଗଦର୍ଶନ ମିଳିବ । ପୁରୁଣାକାଳିଆ ନେତାମାନେ ସଫଳତା ପାଇବାକୁ ସବୁବେଳେ ପବନ ଖୋଜୁଛନ୍ତି । ମାତ୍ର ଏଭଳି ମାନସିକତା ସ୍ପୃହଣୀୟ ନୁହେଁ । ବିନା ପବନରେ ପବନ ସୃଷ୍ଟି କରିବା ପାଇଁ ଯେଉଁ ଉଦ୍ୟମ କରାଯାଏ, ସେଭଳି ଉଦ୍ୟମର କିଛି କୌଶଳ ଅମିତ ଶାହାଙ୍କ ପୁସ୍ତକରୁ ଆମକୁ ମିଳିଛି ।
ଅମିତ ଶାହାଙ୍କ ରଣନୀତିକୁ ବେଶ ପ୍ରଶଂସା କରିଥିଲେ ସୌମ୍ୟ । କହିଥିଲେ, ଏହି ପୁସ୍ତକଟି କେବଳ ବିଜେପି ନୁହେଁ, ଅନ୍ୟ ଦଳର ନେତା ମଧ୍ୟ ପଢ଼ିବା ଉଚିତ । କାରଣ ଜଣେ ସଫଳ ନେତା ହେବା ପାଇଁ ଯାହା ଦରକାର ତାହା ଏହି ପୁସ୍ତକରେ ରହିଛି । ଭୋଟ କାଙ୍ଗାଳ ନେତା ଏବଂ ଯେଉଁମାନେ ସଫଳତା ପାଇବା ପାଇଁ ବ୍ୟସ୍ତ ସେମାନେ ଏହି ବହିଟି ପଢ଼ିବା ଆବଶ୍ୟକ । ସେଥିରେ ରହିଛି ଅଦ୍ଭୂତ ସଫଳତାର ରହସ୍ୟ । ଅମିତ ଶାହାଙ୍କୁ ଅଦ୍ଭୂତ ସଫଳ କାହାଣୀର ନାୟକ ବୋଲି କୁହାଯିବ । ତାଙ୍କ ସଫଳତାର ଜୟଯାତ୍ରା ଜ୍ୟୋତିଷମାନେ ପର୍ଯ୍ୟାଲୋଚନା କଲେ ବି ଭୁଲଭଟକା ହେବ ବୋଲି ମନ୍ତବ୍ୟ ଦେଇଥିଲେ ସୌମ୍ୟ ।
‘ଅମିତ ଶାହା ଓ ବିଜେପି ଯାତ୍ରା’ ପୁସ୍ତକର ଓଡ଼ିଆ ଉନ୍ମୋଚନ ଅବସରରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ଯୋଗଦାନ ଏକ ବ୍ୟତିକ୍ରମ ହୋଇଥିବା ବେଳେ ସଭାରେ ବିଜେପିର ଲମ୍ବା ଯାତ୍ରା ଏବଂ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତି ପକାଇବା ରାଜନୈତିକ ଦୃଷ୍ଟିେକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଭାଷଣରେ ସୌମ୍ୟବାବୁଙ୍କୁ ଭୂରି ଭୂରି ପ୍ରଶଂସା କରିବା ଏକ ନୂଆ ସମୀକରଣର ଇଙ୍ଗିତ ଦେଉଥିବା କୁହାଯାଉଛି ।
ମନ୍ତ୍ରୀପଦ ନ ପାଇବା କାରଣରୁ ସୌମ୍ୟବାବୁ ଖାଲି ଅସନ୍ତୁଷ୍ଟ ନୁହଁନ୍ତି ପ୍ରବଳ କ୍ଷୁବ୍ଧ ମଧ୍ୟ । ବିଜେଡି ଉପରୁ ସେ ଆସ୍ଥା ତୁଟାଇ ଦେଇଥିବା ବି ଆଲୋଚନା ହେଉଛି । ଏଭଳି ସମୟରେ ସୌମ୍ୟ, ଅମିତ ଶାହାଙ୍କ ଗୁଣଗାନ କରି ତାଙ୍କୁ ପ୍ରଶଂସାରେ ପୋତିବା ପଛରେ ତାଙ୍କର ଅନ୍ୟ କିଛି ମହତ୍ ଉଦ୍ଦେଶ୍ୟ ଥାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଚର୍ଚ୍ଚା କରୁଛନ୍ତି ।