ଭୁବନେଶ୍ୱର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ ହେବ ବୋଲି ଆଜି ଦଳ ତରଫରୁ କୁହାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ୱନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଆଜି ଶଙ୍ଖଭବନ ଠାରେ ଦଳର ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ ।
ସମନ୍ୱୟ କମିଟିର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ବୈଠକ ଓ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ବନ୍ଧରେ ସୂଚନା ଦେଇଥିଲେ । ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଏହି ବୈଠକରେ ଯୋଗଦେଇ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବ । ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଷ୍ଟେଟ୍କାଉନ୍ସିଲ ସଦସ୍ୟଙ୍କ ସହିତ ସଭାପତିଙ୍କ ନିର୍ବାଚନ ହେବ । ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ସଂଗଠନର ସହଯୋଗରେ ଏହି ନିର୍ବାଚନ ହେବ ବୋଲି ଶ୍ରୀ ଅମାତ କହିଥିଲେ ।
ଏହି ବୈଠକରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଉପଦେଷ୍ଟା କମିଟି ଆବାହକ ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ, ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା, କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ ସଞ୍ଜୟ ଦାସବର୍ମା, ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଡ଼ ଅରୁଣ କୁମାର ସାହୁ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବିଧାୟକ ସାରଦା ପ୍ରସାଦ ନାୟକ, ବିଧାୟକ ମନୋହର ରନ୍ଧାରୀ, ବରିଷ୍ଠ ନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପ୍ରଦୀପ କୁମାର ଅମାତ, ସୁଦାମ ମାରାଣ୍ଡି, ମହେଶ ସାହୁ, ଦେବେଶ ଆଚାର୍ଯ୍ୟ, ବିଜୟ ନାୟକ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।