ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ବୋଧହୁଏ ଓଡ଼ିଆ ଭାଷା ଠିକ୍ ରେ ବୁଝିପାରୁନାହିଁ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷରେ ୫୦ ହଜାର ଟଙ୍କାର ଭାଉଚର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ ପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ ବରଂ କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣାପଡ଼ିଛି । ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କର । ନଚେତ୍ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବୁ ।
ବିଜୁ ମହିଳା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଶଙ୍ଖଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦେଇଛନ୍ତି । ଶ୍ରୀମତୀ ଛୁରିଆ କହିଛନ୍ତି ଯେ ୧୮ ବର୍ଷରେ ଜଣଙ୍କୁ ନାଗରିକ ଅଧିକାର ମିଳୁଥିବା ବେଳେ ୧୮ ବର୍ଷରୁ ୨୦ ବର୍ଷର ମହିଳାଙ୍କୁ ଏହି ଯୋଜନାରୁ ବାଦ ଦେବାର କୌଣସି ଯଥାର୍ଥତା ନାହିଁ । ଏହି ବୟସରେ ମହିଳାମାନେ ପ୍ରାୟତଃ କଲେଜରେ ପଢ଼ୁଥାନ୍ତି ଓ ସେମାନଙ୍କ ନିଜ ଖର୍ଚ୍ଚ ପାଇଁ ଅର୍ଥର ଆବଶ୍ୟକତା ଥାଏ । କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ସରକାରଙ୍କ ଦ୍ୱାରା ନୂଆ-ଓଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି । ଅନ୍ୟପଟରେ, ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ନକରିବା କାରଣରୁ ସେମାନେ ଉଭୟ ପଟରୁ କ୍ଷତି ସହିବାକୁ ପଡୁଛି ।
ସେହିପରି, ଷାଠିଏ ବର୍ଷରୁ ଉର୍ଦ୍ଧ ମହିଳାମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରୁ ବଞ୍ଚିତ କରିବା ସେମାନେ ମଧ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଛନ୍ତି । ଯେଉଁ ମହିଳାମାନେ ଜାତୀୟ ଖାଦ୍ୟ ସୁରକ୍ଷା ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଛନ୍ତି ଓ ସେମାନଙ୍କ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ, ସେମାନଙ୍କ ପରିବାରର କେବଳ ଜଣେ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ, ଯାହା ପରିବାରର ଅନ୍ୟ ମହିଳାମାନଙ୍କ ପ୍ରତି ପ୍ରତାରଣାସଦୃଶ୍ୟ ।
ସେହିପରି, ଯେଉଁ ମହିଳାମାନଙ୍କ ବୟସ ୫୭ ରୁ ୫୯ ବର୍ଷ ଭିତରେ ରହିଛି, ସେମାନେ ଏହି ଯୋଜନାରୁ ପୁରା ମାତ୍ରାରେ ଲାଭ ପାଇପାରିବେ ନାହିଁ । ସୁଭଦ୍ରା ଯୋଜନା ମାଧ୍ୟମରେ ଗୋଲାପୀ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କ ଭୋଟ ହାସଲ କରି ସରକାରକୁ ଆସିବା ପରେ ରାଜ୍ୟର ଅଧିକାଂଶ ମହିଳାଙ୍କୁ ଏଥିରୁ ବଞ୍ଚିତ କରିବାକୁ ଯାଉଛି ବୋଲି ଏହାର ଏସଓପିରୁ ସ୍ପଷ୍ଟ ହେଉଛି । ମହିଳାମାନେ ହେଲେ, ମା ଦୁର୍ଗା, ମାକାଳୀ ଓ ମା ସରସ୍ୱତୀରରୂପ । ତେଣୁସେମାନେ ଏହାର ଉଚିତ ଜବାବ ଦେବେ । ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକମହିଳାଙ୍କୁ ଏଥିରେସାମିଲ ନକଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଓ ପ୍ରତ୍ୟେକ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ଛୁରିଆ କହିଥିଲେ ।
ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ ।